କନକ ବ୍ୟୁରୋ : କଠିନ ପରିଶ୍ରମର ମୂଲ କେବେ ବୁଡ଼େ ନାହିଁ। ସଂଘର୍ଷ କଲେ, ସଫଳତାର ବାଟ ଆପେଆପେ ଫିଟାଯାଏ। ରାସ୍ତା ଯେତେ କଂଟକିତ ହେଲେ ବି ଲକ୍ଷ୍ୟ ପାଖରେ ପହଂଚି ହୁଏ। ଠିକ୍ ସେମିତି ସଫଳତା ପାଖରେ ପହଂଚି ପାରିଛନ୍ତି ଗଞ୍ଜାମ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ରାଣୀପଡ଼ା ଗାଁର ବିକାଶ ସାହୁ। ଆର୍ଥିକ ଅନଟନ ଓ ପ୍ରତିକୁଳ ପରିସ୍ଥିତିରେ ହାର ମାନିନାହାନ୍ତି। ଡାକ୍ତର ହେବା ପାଇଁ ଦେଖିଥିବା ସ୍ୱପ୍ନ ସାକାର କରିବାକୁ ଯାଉଛନ୍ତି ।
 ପାଠ ପଢିବା ଲାଗି ଖୁବ୍ ସଂଘର୍ଷ କରିଛନ୍ତି ବିକାଶ। ୨୦୧୭ରେ ବାପାଙ୍କ ମୃତ୍ୟୁ ପରେ ଭାଇ ସହ ମିଶି ଗାଁ ଗାଁ ବୁଲି ଜଳଖିଆ ବିକ୍ରି କରିଛନ୍ତି। ସକାଳ ଓ ସନ୍ଧ୍ୟାରେ ବରା, ସିଙ୍ଗଡ଼ା ଓ ଚାଟ୍ ବିକ୍ରି କରୁଥିଲେ। ଦିନରେ ସ୍କୁଲ ଯାଇ ପାଠ ପଢୁଥିଲେ। ମାଟ୍ରିକରେ ୮୯% ମାର୍କ ରଖି ପାସ କରିବା ପରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ +୨ ପଢ଼ିଛନ୍ତି। ଆଉ ଏବେ ଡାକ୍ତରୀପାଠ ପଢ଼ିବା ଲାଗି ମନୋନିତ ହୋଇଛନ୍ତି। ବିକାଶଙ୍କ ଏହି ସଂଘର୍ଷରେ ସାରଥୀ ସାଜିଛନ୍ତି ଭାରତୀୟ ସେନା ବାହୀନରେ କିରାଣୀ ଭାବେ କାର୍ୟ୍ୟରତ ଚିନ୍ମୟ ଦଳାଇ। ଆର୍ଥିକ ଅଭାବରୁ ଶିକ୍ଷାରୁ ବଞ୍ଚିତ ପିଲାଙ୍କୁ ପାଠ ପଢିବାର ନିଜ ଦରମାରୁ ଟଙ୍କା ଖର୍ଚ୍ଚ କରିଥାନ୍ତି।

Advertisment

 ଆର୍ଥିକ ସହୟତା ଯୋଗାଇ ଦେଇଥିବା ଚିନ୍ମୟ ନିଜ କାର୍ୟ୍ୟରୁ ଛୁଟିରେ ଆସି ବିକାଶଙ୍କୁ ଭେଟିଛନ୍ତି । ଆଉ ତାଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।