କନକ ବ୍ୟୁରୋ: ବର୍ଷା ପାଣିରେ ଭାସିଗଲା ପୋଲ । ଯାଜପୁର ବ୍ଲକ ସୁଜନପୁର ପଞ୍ଚାୟତର ହସନପୁର ଦୁଧେଇ ନାଳରେ ପୋଲ ଆଜି ସକାଳେ ବର୍ଷା ପାଣିରେ ଭାସିଯାଇଛି । ୧୧ ବର୍ଷ ତଳେ ଏହି ପୋଲ ନିର୍ମାଣ ହୋଇଥିଲା । ନିମ୍ନମାନର କାର୍ଯ୍ୟ ଯୋଗୁଁ ବର୍ଷାରେ ପୋଲଟି ଭାସି ଯାଇଥିବା ଅଭିଯୋଗ ହୋଇଛି । ବର୍ଷବର୍ଷ ଧରି ପୋଲର ରକ୍ଷଣାବେକ୍ଷଣ ହେଉନଥିବା ବେଳେ ଏହି ପୋଲ ଉପରେ ଦୈନିକ ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ପୋଲ ଆରପଟେ ସ୍ଥାନୀୟ ଲୋକଙ୍କ ଏକର ଏକର ଚାଷ ଜମି ରହିଛି ।
ପିଲାମାନେ ସ୍କୁଲ କଲେଜ ଯିବାକୁ ସମସ୍ୟାରେ ପଡ଼ିଛନ୍ତି। ଅବଶିଷ୍ଟ ପୋଲ ବି ବିପଦ ସଂକୁଳ ଅବସ୍ଥାରେ ରହିଛି । ଦୁଇ ଦିନ ଧରି ଯାଜପୁର ବ୍ଲକରେ ଶହେ ମିଲିମିଟର ବର୍ଷା ହୋଇଛି । ବର୍ଷା ଯୋଗୁଁ ଦୁଧେଇ ନାଳରେ ପ୍ରବଳ ପାଣି ଆସିବାରୁ ପୋଲଟି ଭାସି ଯାଇଛି। ଅନ୍ୟପଟେ ଖବର ପାଇଁ ବିଭାଗୀୟ ଯନ୍ତ୍ରୀ ପହଂଚି ଯାଞ୍ଚ କରିଛନ୍ତି । କିପରି ଏହାର ମରାମତି କରାଯାଇ ବ୍ୟବହାର ଉପଯୋଗୀ କରି ହେବ ନା ନାଇଁ ସେନେଇ ଅଂଚଳବାସୀ ଦାବି କରିଛନ୍ତି ।
ସେପଟେ ଘରେ ଶୋଇଥିଲେ ପିଲା । ଲଗାଣ ବର୍ଷାରେ ଭୁସୁଡ଼ିଲା କାନ୍ଥ । ଖସି ପଡ଼ିଲା ଛପର । ଏଥିରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଦୁଇ ଶିଶୁ । ଏଥିରେ ଲକ୍ଷାଧିକ ଟଙ୍କାର ଆସବାପତ୍ର ନଷ୍ଟ ହୋଇଛି । ସହାୟତା ପାଇଁ ସ୍ଥାନୀୟ ପ୍ରଶାସନକୁ ଗୁହାରୀ କରିଛନ୍ତି ବିପନ୍ନ ପରିବାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୀଳଗିରି ଉପଖଣ୍ଡ ମିତ୍ରପୂର କେପି ମହଲ ଗାଁରେ ।