ଆସୁଛି ଭୀଷଣ ବାତ୍ୟା । ସୁରକ୍ଷା ମାଗୁଛି ଆଶ୍ରୟସ୍ଥଳୀ । ଆଶ୍ରୟସ୍ଥଳୀ ସଜାଡିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ

ବାତ୍ୟା ଆସିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ବିଶେଷକରି ଏମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀର ରଖାଯିବାର ବ୍ୟବସ୍ଥା ରହିଛି।

CYCLONE GROUND ZERO

କନକ ବ୍ୟୁରୋ: ବାତ୍ୟା ଆସିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ବିଶେଷକରି ଏମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀର ରଖାଯିବାର ବ୍ୟବସ୍ଥା ରହିଛି। ହେଲେ କିଛି ସ୍ଥାନରେ ଆଶ୍ରୟସ୍ଥଳୀ ଗୁଡ଼ିକ ଅସୁରକ୍ଷିତ ଅବସ୍ଥାରେ ରହିଛି। କେଉଁଠି ଛାତରୁ ପ୍ଲାଷ୍ଟର ଖସୁଛି ତ କେଉଁଠି ଆସବାବ ଜିନିଷ ଚୋରି ହୋଇଯାଇଛି। ଏପରିକି କିଛି ସ୍ଥାନରେ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଆଶ୍ରୟସ୍ଥଳୀ।

  • ଆସୁଛି ଭୀଷଣ ବାତ୍ୟା
  • ସୁରକ୍ଷା ମାଗୁଛି ଆଶ୍ରୟସ୍ଥଳୀ

କେଉଁଠି କାନ୍ଥ ଫାଟି ଆଁ କରିଛି ତ, କେଉଁଠି ଛାତରୁ ଖସୁଛି ପ୍ଲାଷ୍ଟର। ବାଲେଶ୍ୱର ଜିଲ୍ଲା ସଦର ବ୍ଲକ କଶାଫଳ ପଞ୍ଚାୟତରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ କୋଟି କୋଟି ଟଙ୍କାରେ ନିର୍ମିତ ହେଇ ବି ଏବେ ଅସୁରକ୍ଷିତ । ଏପରି ସ୍ଥିତିରେ ଆଶ୍ରୟସ୍ଥଳୀରେ କେମିତି ରହିବେ, ତାକୁ ନେଇ ଚିନ୍ତାରେ କଶାଫଳବାସୀ।

ପଞ୍ଚାୟତର ୬ହଜାର ଲୋକଙ୍କ ପାଇଁ ଏହି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଏହି ବାତ୍ୟା ଆଶ୍ରୟସ୍ଥଳୀ। ସୁରକ୍ଷାକର୍ମୀ ରହୁନଥିବାରୁ ଅସାମାଜିକ ଲୋକଙ୍କ ଆଡାସ୍ଥଳୀ ପାଲଟିଛି। ବାତ୍ୟା ସମୟରେ ଲୋକେ ରହୁଥିବାରୁ ଲାଇଟ ବ୍ୟବସ୍ଥା ବି ନାହିଁ। ଲାଇଫ ଜ୍ୟାକେଟ କିମ୍ବା ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ମଧ୍ୟ ନାହିଁ।

କେବଳ ବାଲେଶ୍ୱର ନୁହେଁ, ଆଉ କିଛି ସ୍ଥାନରୁ ମଧ୍ୟ ଏଭଳି ଖବର ଆସିଛି । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଦେଖି ବିରକ୍ତି ପ୍ରକାଶ କରିଛନ୍ତି ସ୍ଥାନୀୟ ତହସିଲଦାର ଓ ଆରଆଇ। ଫ୍ୟାନ, ଡିଜି କେହି ଚୋରି କରି ନେଇଥିବାବେଳେ, ଭଙ୍ଗା ଅବସ୍ଥାରେ ପାଇଖାନା ରହିଛି । ସେପଟେ ରାଜନଗର ସାତଭାୟା ମଗରକନ୍ଦା ଗ୍ରାମବାସୀଙ୍କୁ ଉଚ୍ଚସ୍ଥାନ କିମ୍ବା ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ପରାମର୍ଶ ଦେଇଛନ୍ତି ତହସିଲଦାର।

ସୂଚନାଯୋଗ୍ୟ ଯେ, ବାତ୍ୟା ବେଳେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ରହିବାର ସମ୍ଭାବନା ରହିଛି। ଆଉ ଏହାର ପ୍ରଭାବ ଉପକୂଳରେ ଅଧିକ ପଡ଼ିବାର ଆଶଙ୍କା ରହିଛି। ତେଣୁ ଏହା ପୂର୍ବରୁ ଆଶ୍ରୟସ୍ଥଳୀଗୁଡ଼ିକୁ ରହିବା ଉପଯୋଗୀ କରିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe