୭୨ ଘଣ୍ଟା ପରେ ବି ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ପୋଲିସ ହାତ ଖାଲି,  ଅଭିଯୁକ୍ତଙ୍କୁ ଧରିବାକୁ ଆନ୍ଧ୍ରକୁ ଗଲା ୬ ଜଣିଆ ଟିମ୍

ନ୍ୟାୟ ପାଇଁ ଗୁହାରୀ କଲେ ପୁଅ । ସେପଟେ ଅଶାନ୍ତ ହେଉଛି ଗଞ୍ଜାମ ।

ପୀତବାସ ହତ୍ୟା: ପୁଲିସ ହାତ ଖାଲି

ପୀତବାସ ହତ୍ୟା: ପୁଲିସ ହାତ ଖାଲି Photograph: (KanakNews)

କନକ ବ୍ୟୁରୋ   ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ୭୨ ଘଣ୍ଟା ପୂରିବାକୁ ବସିଲାଣି । ବାଇକରେ ଆସି ପଏଣ୍ଟ୍ ବ୍ଲାଙ୍କରେ ଗୁଳି କରି ଚମ୍ପଟ ମାରିଲେ ୨ ଦୁର୍ବୃତ୍ତ । କିନ୍ତୁ କେମିତି? ଘଟଣାର ତଦନ୍ତ ଜାରି ଥିବା ବେଳେ, ପାତାଳରେ ଥିଲେ ବି ଅପରାଧୀ ଧରା ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମନ୍ତ୍ରୀ । ହେଲେ ବିଡ଼ମ୍ୱନା, ଏଯାଏଁ ପୁଲିସ ହାତ ଖାଲି । ଏଠି ପ୍ରଶ୍ନ ଉଠୁଛି  
କୁଆଡ଼େ ଗଲେ ପୀତବାସ ପଣ୍ଡାଙ୍କୁ ଗୁଳି କରିଥିବା ୨ ଦୁର୍ବୃତ୍ତ?  
ହତ୍ୟାକାଣ୍ଡର ପ୍ରାୟ ୭୦ ଘଣ୍ଟା ପରେ ବି କାହିଁକି ପୁଲିସ ହାତ ଖାଲି? 
କେଉଁ ଦିଗରେ ଯାଉଛି ଓ କେତେ ବାଟ ଆଗେଇଛି ତଦନ୍ତ? 
ଗୁଳି କରି କୁଆଡ଼େ ଉଭାନ ହୋଇଗଲେ ଅପରାଧୀ?  
ବ୍ରହ୍ମପୁର ସହର ସାରା ଏତେ ସିସିଟିଭି କ୍ୟାମେରା ଲାଗିଛି 
ଏହାର ରକ୍ଷଣାବେକ୍ଷଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି 
ହେଲେ ଦୁଇଜଣ ଦୁର୍ବୃତ୍ତଙ୍କୁ ସିସିଟିଭି କ୍ୟାମେରା ଖୋଜି ପାଉନି କି? 
ବାଇକରେ ନକଲି ନମ୍ବର ପ୍ଲେଟ୍‌ ଲଗାଇ ଛୁ’ ହୋଇଗଲେ ଅପରାଧୀ !  
ଦେଶୀ ବନ୍ଧୁକରୁ ଗୁଳିମାଡ଼ ହୋଇଥିବା ପୁଲିସ ଅନୁମାନ କରୁଛି 

ହେଲେ ଅପରାଧୀଙ୍କ ହାତକୁ ବନ୍ଧୁକ ଆସୁଛି କେଉଁଠୁ? 
ସୂଚନା ଅନୁସାରେ, ଘଟଣା ଦିନ ଆଇନଜୀବୀ ପୀତବାସ ପଣ୍ଡା ସନ୍ଧ୍ୟାରେ ଘରୁ ବାହାରିଯାଇଥିଲେ । ପ୍ରଥମେ ବଡ଼ବଜାର ଥାନା ଓ ସେଠାରୁ ପାର୍କ ସାହିରେ ଥିବା ନିଜ ଚାମ୍ବରକୁ ଯାଇ ରାତି ୯ଟା ୪୦ ଯାଏଁ ଥିଲେ । ଏହାପରେ ଏକ ହୋଟେଲରୁ ବିରିୟାନୀ, ରାବିଡି ଓ ରୁଟି ପାର୍ସଲ ଧରି ବୈକୁଣ୍ଠନଗର ସ୍ଥିତ ନିଜ ଘରକୁ ଫେରୁଥିଲେ । ତେବେ ନିଜ ସାହି ଗଳି ଭିତରେ  ପଶୁ ପଶୁ ତାଙ୍କୁ ଗୁଳି କରିଥିଲେ ଦୁର୍ବୃତ୍ତ । ସେପଟେ ମୋତେ ନ୍ୟାୟ ଦରକାର ବୋଲି କହିଛନ୍ତି ପୀତବାସଙ୍କ ପୁଅ । 
 
ଗଞ୍ଜାମରେ ଗଡ଼ୁଛି ନେତାଙ୍କ ମୁଣ୍ଡ । କେବଳ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ନୁହଁନ୍ତି, ଗତ ୨୭ ବର୍ଷ ଭିତରେ ହେଲାଣି ୧୭ଟି ହାଇପ୍ରୋଫାଇଲ୍ ମର୍ଡର୍ । କାହାକୁ ଗୁଳି କରି ତ କାହାକୁ ଖଣ୍ଡାରେ ହାଣି ହତ୍ୟା । ଆଶଙ୍କା ଉପୁଜିଛି- ଜିଲ୍ଲାକୁ ଫେରିଲା କି ରାଜନୈତିକ ସୁପାରି କିଲିଂ ? ନଜର ପକାନ୍ତୁ ଗତ ୩ ଦଶନ୍ଧି ଭିତରେ ଗଞ୍ଜାମରେ ଘଟିଥିବା କିଛି ଚର୍ଚ୍ଚିତ ନେତାଙ୍କ ହତ୍ୟାକାଣ୍ଡ ଉପରେ ।...

୨୭ ବର୍ଷରେ ୧୭ ହାଇପ୍ରୋଫାଇଲ୍ ମର୍ଡର୍ 
- ୧୯୯୮ରେ ଆସିକା ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ସାହିବ ପରିଡ଼ା 
- ୨୦୦୨ରେ ଆସିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଉମାଚରଣ ବିଷୋୟୀ 
- ୨୦୧୦ରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏନ୍‌. ସୀମାଞ୍ଚଳ ରେଡ୍ଡୀ 
- ୨୦୧୫ରେ ବୁଗୁଡ଼ା ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ବାଳକୃଷ୍ଣ ପାତ୍ର 
- ୨୦୧୭ରେ କାଉନସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନ 
- ୨୦୧୯ରେ ଆସିକା କଂଗ୍ରେସ ପାର୍ଥୀ ମନୋଜ ଜେନା 
- ୨୦୨୧ରେ ବେଗୁନିଆପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁ 
ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଦେଢ଼ ବର୍ଷ ଭିତରେ ୧୩୦ରୁ ଅଧିକ ହତ୍ୟାକାଣ୍ଡ ଘଟିଥିବା ସୂଚନା ରହିଛି । ପୁଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ । ଗୁଇନ୍ଦା ଫେଲ୍ ମାରିଥିବା ଚର୍ଚ୍ଚା ହେଉଥିବା ବେଳେ, ପଦାରେ ପଡ଼ିଛି ପୁଲିସର ପାରିବା ପଣିଆ । ସେପଟେ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ଅସାମାଜିକ ତତ୍ତ୍ୱକୁ ପ୍ରଶ୍ରୟ ଦିଆଯିବନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe