କନକ ବ୍ୟୁରୋ : ଆଜି ୩୧ ବର୍ଷରେ ପାଦ ଥାପିଛି ବୌଦ୍ଧ ଜିଲ୍ଲା । ଓଡିଶାର ହୃଦୟରେ ବୌଦ୍ଧ ଜିଲ୍ଲା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କିନ୍ତୁ ଆଜି ବି ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ପାଇଁ ଲୋକ ହଇରାଣ ହେଉଛନ୍ତି । ନୂତନ ସରକାର ଆସିବା ପରେ ପରିସ୍ଥିତି ବଦଳିବ ବୋଲି ଭାବିଥିଲେ । ହେଲେ ଆଜିବି ଅବହେଳିତ ହୋଇ ରହିଛନ୍ତି ବୌଦ୍ଧବାସୀ ।
ଅବିଭକ୍ତ କନ୍ଧମାଳରୁ ଅଲଗା ହୋଇ ସ୍ୱତନ୍ତ୍ର ଭାବେ ଜନ୍ମ ନେଇଥିଲେ ବୌଦ୍ଧ । ଆଜି ସେ ଯୁବାବସ୍ଥାରେ । କିନ୍ତୁ ପରିପକ୍ୱ ନୁହେଁ । ୩୧ ବର୍ଷରେ ବି ରହିଛି ଅନେକ ସମସ୍ୟା । ଜିଲ୍ଲାର ସବୁ ଭାଗରେ ମିଳି ପାରିନି ମୌଳିକ ସୁବିଧା । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ପାନୀୟ ଜଳର ଅଭାବ ରହିଛି । ବିଶୁଦ୍ଧ ପିଇବା ପାଣି ପାଇଁ ସଂଘର୍ଷ କରିବାକୁ ପଡୁଛି । ଉଚ୍ଚଶିକ୍ଷା ଓ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ବାହାର ଜିଲ୍ଲା ଉପରେ ନିର୍ଭର କରନ୍ତି ବୌଦ୍ଧବାସୀ । ହାତ ଗଣତି କେତୋଟି କଲେଜ ଅଛି । ସେଗୁଡ଼ିକୁ ସରକାରୀ ମାନ୍ୟତା ମିଳିନି । ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆ କୋଠା ନିର୍ମାଣ ସରିଛି କିନ୍ତୁ ଉଦଘାଟନ୍ ହୋଇନି । ତେଣୁ ଚିକିତ୍ସା ପାଇଁ ବି ପଡ଼ୋଶୀ ଜିଲ୍ଲାକୁ ଯିବାକୁ ପଡୁଛି । ଭଲ ରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ ବଦଳରେ ଦୋଳାରେ ବୁହା ହୁଅନ୍ତି ରୋଗୀ ।
ରାଜ୍ୟରେ ସରକାର ବଦଳିଲେ ସ୍ଥିତି ବଦଳିବ ବୋଲି ଭାବିଥିଲେ ବୌଦ୍ଧବାସୀ । ହେଲେ ବିଜେପି ସରକାର ଆସିବା ପରେ ବି କୌଣସି ଆଖି ଦୃଷ୍ଟିଆ ବିକାଶ ହୋଇପାରିନି । ବରଂ ଅନେକ କିଛି ବନ୍ଦ ହେବା ସ୍ଥିତିରେ । ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହଳାୟ ଧୀରେଧୀରେ ଅଚଳ ହେବାକୁ ବସିଲାଣି । ବିରନରସିଂହପୁର ଠାରେ ଥିବା ନନ୍ଦନ ବନ ସଫାରୀ ପ୍ରକଳ୍ପ ବି ଆଜି କୋମାରେ । ପୂର୍ବ ସରକାରଙ୍କ ଦ୍ବାରା ୭୩୦ କୋଟି ବ୍ୟୟର ମେଗା ପାନୀୟ ଜଳ ପ୍ରକଳ୍ପ କାମ ବି ଧୀମେଇ ଯାଇଛି ।
ପଶ୍ଚିମ ଓଡିଶାକୁ ଉତ୍ତର ଓଡିଶା ସହ ସଂଯୋଗ କରିବାରେ ବୌଦ୍ଧର ଭୂମିକା ଗୁରରୁତ୍ବପୂର୍ଣ୍ଣ । ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ସଂଯୋଗ ସେତୁ ପାଲଟିଛି । ଗମନାଗମନର ଆଉ ଏକ ଖୁସି ଖବର, ପଶ୍ଚିମ ଓଡିଶାର ଲାଇଫ ଲାଇନ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ବୌଦ୍ଧ ଦେଇ ଯାଉଛି । ତେଣୁ ଖୁବଶୀଘ୍ର ରେଳ ଦେଖିବେ ବୋଲି ଆଶା ରଖିଛନ୍ତି ଜିଲ୍ଲାବାସୀ ।