କନକ ବ୍ୟୁରୋ : ଅନାହାର ପରେ ଅପପୁଷ୍ଟି । ଓଡ଼ିଶା ମୁଣ୍ଡରେ କଳଙ୍କ ବୋଳିଛି ପୂର୍ବ ସରକାର । ଗତ ୨ ଦଶନ୍ଧିର ବଡ଼ ଉପଲବ୍ଧି ହେଲା ଅନାହାରରୁ ମୁକୁଳିଲା ଓଡ଼ିଶା । କିନ୍ତୁ ସମସ୍ତଙ୍କ ଅଗୋଚରରେ ଏବେ ଅପପୁଷ୍ଟିର କଳଙ୍କ ମୁଣ୍ଡାଇଛି ଓଡ଼ିଶା । ପୂର୍ବରୁ ଗୋଟିଏ ନଗଡାକୁ ନେଇ ଚର୍ଚ୍ଚା ହେଉଥିଲା, ଏବେ କିନ୍ତୁ ପରିସଂଖ୍ୟାନ କହିଲାଣି ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ମାଳ ମାଳ ନଗଡାର ସ୍ଥିତି ସୃଷ୍ଟି ହୋଇଛି । କ୍ଷୁଧାର ଆଁରେ ଛଟପଟ ହେଉଛି ଶୈଶବ । ନିଜେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଧାନସଭାରେ ବିକଶିତ ଓଡ଼ିଶାର ବିକଳ ସତ୍ୟକୁ ସାମ୍ନାକୁ ଆଣିଛନ୍ତି ।

୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାରେ ୯୮୬୨୦ ସଂଖ୍ୟକ ଶିଶୁ ଅପପୃଷ୍ଟିର ଶିକାର ହୋଇଛନ୍ତି । ଓଡ଼ିଶାର ଅପପୁଷ୍ଟି ହାର ୩.୩୭% । ଏହି କଳଙ୍କ ପାଇଁ ପୂର୍ବ ବିଜେଡି ସରକାରକୁ ଦାୟୀ କରୁଛି ବିଜେପି। ବିଜେଡି କିନ୍ତୁ ଏହି ତଥ୍ୟକୁ ମାନିବାକୁ ନାରାଜ ।

ଓଡ଼ିଶା ମୁଣ୍ଡରୁ ଅପପୁଷ୍ଟିର ଟିକା ହଟାଇବା ପାଇଁ ରାଜ୍ୟ ସରକାର ପରିପୂରକ ପୁଷ୍ଟି ଯୋଜନା ଓ ମୁଖ୍ୟମନ୍ତ୍ରୀ ପୁଷ୍ଟି ଯୋଜନାକୁ ଗାଁରେ ଗାଁରେ ପହଞ୍ଚାଇବାକୁ ଅଣ୍ଟା ଭିଡ଼ିଛନ୍ତି । ହେଲେ ଯେଉଁ କଥାଟି ସରକାରଙ୍କ ଯୋଜନାକୁ ସନ୍ଦେହକୁ ଭିଡିଛି ତାହା ହେଲା, ଛତୁଆ କେଳେଙ୍କାରୀ । ଯାହାର ତଦନ୍ତ ପାଇଁ ବାଚସ୍ପତି ଏବେ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ସେତିକି ନୁହେଁ, ପିଲାଙ୍କ ପାଇଁ ଅଣ୍ଡା ଏବେ ସ୍ୱପ୍ନ । ମଧ୍ୟାହ୍ନ ଭୋଜନର ହାଲ ପୂରା ବେହାଲ । ଏକଥା ଖୋଲାଖୋଲି ଅଭିଯୋଗ କଲେଣି ବିଧାୟକ । କଂଗ୍ରେସ କହିଛି, ମିଳୁଥିବା ଛତୁଆ ଗୋରୁଗାଈ ମଧ୍ୟ ଖାଉନାହାନ୍ତି । ତେଣୁ ପ୍ରୋଟିନ ଖାଦ୍ୟ ଦିଆଯାଉ ।

ପରିସଂଖ୍ୟାନ କହୁଛି ଅପପୁଷ୍ଟିରେ ଜାତୀୟ ହାର ଠାରୁ ତଳେ ରହିଛି ଓଡ଼ିଶା । ହେଲେ ସତ କିନ୍ତୁ ଅଲଗା, ଗାଁ ଗଣ୍ଡା ଯେଉଁଠି ନଜର ପଡୁଛି ସେଠାରେ ଚେହେରା ତଳେ ଅପପୁଷ୍ଟି ଜଳଜଳ ଦିଶୁଛି । ମୋହନ ସରକାର ସାମ୍ନାରେ ଏହା ସବୁଠୁ ବଡ ଚ୍ୟାଲେଞ୍ଜ ।