କନକ ବ୍ୟୁରୋ: ବୟସ ୯୫ ଛୁଇଁଲାଣି । ହେଲେ ଦେଖିଲେ ଲାଗୁନି । ଆଜିକା ଦିନରେ ଏ ବୟସରେ ଏତେ ଚଳଚଞ୍ଚଳ ଜଣେ ହୋଇପାରେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ । କିନ୍ତୁ ଏହା ଯେ ସତ ତାର ପ୍ରମାଣ ହେଉଛନ୍ତି କେ. ଶନଭୁଗାସୁନ୍ଦରମ୍ । ରାତି ପାହିନଥିବ , ୩ଟା ୩୦ରୁ ନିଦ ଭାଙ୍ଗିବା ଧାର୍ଯ୍ୟ । ରାତିରୁ ଉଠି ଘର , ବାହାର ସବୁ ପରିଷ୍କାର କରି ନିତ୍ୟ କର୍ମ ଶେଷ ପରେ ଦିଅଁଙ୍କୁ ଜୁହାର ହୋଇ କ’ଣ ଦିଟା ପାଟିରେ ପକାଇ ବାହାରି ପଡ଼ନ୍ତି କର୍ମରେ । ନିଜର ଚିର ସାଥୀ ସାଇକେଲ, ତା ଦୁଇ ହ୍ୟାଣ୍ଡେଲରେ ଓହଳି ଥିବ ଦୁଇ ବ୍ୟାଗ୍ । ସେଥିରେ ଥିବ କ୍ଷୀର ପ୍ୟାକେଟ୍ । ଆଉ ଆଗ ବାସ୍କେଟ ଓ ପଛ କେରିୟଲରେ ଥାକ ମରା ହୋଇଥିବା ବିଭିନ୍ନ ନ୍ୟୁଜପେପର୍ । 

Advertisment

ବୟସକୁ ହରାଇଛନ୍ତି 
                       ସହର ମଝିରେ ସାଇକେଲ୍ ସାଇଁ ସାଇଁ ଚଲାଉଛନ୍ତି
                       ସମସ୍ତଙ୍କ  ପ୍ରିୟ ପେପର୍ ଅଜା 

 ସହରର ୮ଟି ଗଳିରେ ଶନଭୁଗାସୁନ୍ଦରମଙ୍କ ସାଇକେଲ ସାଇଁ ସାଇଁ ଗଡ଼େ ।  ୮ଟି କଲେନିରେ ବୁଲି ବୁଲି ୧୦୦ରୁ ଅଧିକ ଘରେ  ତାମିଲ  ଓ ଇଂରାଜୀ ନ୍ୟୁଜପେପର୍ ପକାନ୍ତି । ଖାଲି ସେତିକି ନୁହେଁ ଲୋକଙ୍କ ଘରେ ସାଢ଼େ ୭ଟା ଭିତରେ କ୍ଷୀର ପ୍ୟାକଟ୍ ବି ପହଞ୍ଚାଇଥାନ୍ତି ।  କାମରେ ଯେତିକି ଚଞ୍ଚଳ , ମନରେ ବି ସେତିକି ଧନୀ । କହିବାରେ ମାନେ ଭାରୀ ମେଳାପୀ ଶନଭୁଗାସୁନ୍ଦରମ୍ । ସହରରେ ପେପର ବାଣ୍ଟିବା କ୍ରମରେ ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧିଙ୍କ ସହ ଅନେକ ଜ୍ଞାନୀମାନୀଙ୍କ ସହ ବେଶ୍ ଭଲ ସମ୍ପର୍କ ରହିଥିଲା ଏବେବି ରହିଛି ।

’ତାଙ୍କୁ ଦେଖିଦେଲେ ଆମ ଦେହ ମନ ବି  ସତେଜ୍ ହୋଇଯାଏ ।  ୯୫ ବର୍ଷରେ ପେପର ଥାଥାଙ୍କ ପରିଶ୍ରମ ଆମ ସମସ୍ତଙ୍କୁ ଫିଟତନେସ୍ ମନ୍ତ୍ର ଦିଏ’ ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା । ତେଣୁ ତାଙ୍କୁ ସେଠିକା ଲୋକଙ୍କ ସବୁ କାର୍ଯ୍ୟକ୍ରମରେ ଖୋଜାପଡ଼େ  ।  ଚାକିରି ସରିବା ପରେ କେନରେ ପାଣି ନେଇ ବାଣ୍ଟିବା କାମ କଲେ । ଏହାପରେ ଗତ ୨୫ ବର୍ଷ ହେଲା ସାଇକେଲରେ ବୁଲି ବୁଲି କ୍ଷୀର ଓ ପେପର ପକାଇବା କାମ କରିଆସୁଛନ୍ତି ।

ବୟସ ବେଳେ ଚାକିରି କରି ସ୍ବଳ୍ପ ଦରମାରେ ୫ ପୁଅ ଝିଅଙ୍କୁ ପାଳିପୋଷି ପାଠପଢ଼ାଇ ମଣିଷ କରିଛନ୍ତି । ଏବେ ସୋମନେ ଭଲ ସ୍ଥାନରେ ଚାକିରି କରୁଛନ୍ତି, ନାତି ନାତୁଣୀ ବି ଉଚ୍ଚ ଶିକ୍ଷିତ । ଏବେ ଆଉ ପେପର ନ ବାଣ୍ଟି ଘରେ ବିଶ୍ରାମ ନେବାକୁ କହୁଛନ୍ତି ନାତନାତୁଣୀ। କିନ୍ତୁ ଶନଭୁଗାସୁନ୍ଦରମଙ୍କ କହିବା କଥା, ଏ କାମରେ ତାଙ୍କୁ ଟିକେ ବି ଥକ୍କା ଲାଗୁନି ବରଂ ଏ କାମରେ ତାଙ୍କ ଦେହ ସୁସ୍ଥ ରହୁଛି । ଲୋକଙ୍କ ସହ କଥା ହୋଇ ମନକୁ ଅକୁହା ଖୁସି ମିଳୁଛି ।
 କରୋନା ସମୟରେ ଯେତେବେଳେ ଲୋକେ ଘରୁ ବାହାରୁନଥିଲେ , ସେ ସମୟରେ ବି ଶନଭୁଗାସୁନ୍ଦରମ ଘରେ ଘରେ ପେପର ପକାଇ କ୍ଷୀର ବାଣ୍ଟିବା କାମ କରିଛନ୍ତି । ତାଙ୍କର ସାହାସକୁ ସଲାମ କରିବା ସହ ତାଙ୍କୁ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଛି । ସମସ୍ତେ ତାଙ୍କୁ ଖୁସିରେ ଡାକନ୍ତି ’ଓଲ୍ଡ   ୟଙ୍ଗମ୍ୟାନ୍’ ।

ପେପର ବାଣ୍ଟିବା ପରେ ବି ତାଙ୍କ ମୁହଁରେ କି ଦେହରେ ଟିକେ ବି ଥକ୍କାପଣ ନଥାଏ । ଘରେ ପହଞ୍ଚି ନିଜେ ଖବର କାଗଜକୁ ତନ୍ନ ତନ୍ନ କରି ପଢ଼ି ଦେଶ ଦୁନିଆର ଖବର ରଖନ୍ତି । ସେଥିପାଇଁ ସେ ପୁରା ଅପଡେଟ୍‌  ।  ସତରେ ଶନଭୁଗାସୁନ୍ଦରମ କେବଳ ଚେନ୍ନାଇ ପାଇଁ ନୁହେଁ ପୂରା ଦେଶ ପାଇଁ ଆଦର୍ଶ ।  ତାଙ୍କ କହିବା କଥା, ପରିଶ୍ରମ କର, ନିଜେ ରୋଜଗାର କର, ଲୋକଙ୍କ ଭଲମନ୍ଦରେ ଭାଗୀ ହୁଅ ଆଉ ଖୁସି ରୁହ…