କନକ ବ୍ୟୁରୋ: ଆପଣ ତ ଅନେକ ବାହାଘର ଦେଖିଥିବେ, ଆଉ ଅନେକ ବିବାହିତ ଯୋଡ଼ିଙ୍କୁ ମଧ୍ୟ ଦେଖିଥିବେ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଗୋଟିଏ ଯୋଡ଼ି ବିଷୟରେ କହିବୁ, ଯାହାଙ୍କ ବିଷୟରେ ଜାଣିଲେ ଆପଣ ଘଡ଼ିଏ ଅଟକିଯିବେ । ୯୫ ବର୍ଷର ବରକୁ ବାହା ହୋଇଛନ୍ତି ୯୦ ବର୍ଷର କନିଆ ।
/kanak/media/media_files/2025/06/05/j8Xg9uyUH9pDuOiWcr3P.jpg)
ଥରେ ଦେଖନ୍ତୁ ତ, ଏହି ଫଟୋକୁ...ଏହି ଫଟୋରେ ବର ବେଶରେ ସଜେଇ ହୋଇଥିବା ବୃଦ୍ଧଙ୍କ ବୟସ ୯୫ ବର୍ଷ ଆଉ ତାଙ୍କ କନିଆକୁ ୯୦ ବର୍ଷ । ଆଉ ଏ ବୟସରେ ଏ ପ୍ରେମିକ-ପ୍ରେମିକା ଯୋଡ଼ି ହାତକୁ ଦି ହାତ ହେଇଛନ୍ତି, ରୀତିନୀତିରେ ବାହା ହୋଇଛନ୍ତି । ତେବେ ୭୦ ବର୍ଷ ଧରି ଲିଭ୍ ଇନରେ ରହିଥିଲେ ଏହି ଯୋଡ଼ି । ଆଉ ୭୦ ବର୍ଷ ଲିଭ୍ ଇନରେ ରହିବା ପରେ ଏବେ ଏହି ଯୋଡ଼ି ବାହା ହେଇଛନ୍ତି । ତେବେ ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାର ଗଲନ୍ଦର ଗାଁରୁ ଆସିଛି ଏହି ଖବର । ଯେଉଁଠି ଏହି ଯୋଡ଼ି ବୃଦ୍ଧ କାଳେ ବାହା ହେବା ପରେ, ଏବେ ସୋସିଆଲ୍ ମିଡିଆରେ ତାଙ୍କ ଫଟୋ ଭାଇରାଲ୍ ହେବା ସହିତ ତାଙ୍କ ବାହାଘରକୁ ନେଇ ମଧ୍ୟ ସୋସିଆଲ୍ ମିଡିଆରେ ଖୁବ ଚର୍ଚ୍ଚା ଜୋର୍ ଧରିଛି ।
୯୫ ବର୍ଷୀୟ ରାମା ଭାଇ ଦୀର୍ଘ ୭୦ ବର୍ଷ ହେଲା ଜିବଲୀ ଦେବୀଙ୍କ ସହିତ ଲିଭ୍ ଇନରେ ରହୁଥିଲେ । ଏମିତି କି ତାଙ୍କର ୮ ଜଣ ପିଲା ମଧ୍ୟ ଅଛନ୍ତି । ହେଲେ ରୀତିନୀତିରେ କିନ୍ତୁ ସେ କେବେ ବାହା ହେଇନଥିଲେ । ଯାହାକି ତାଙ୍କ ଜୀବନର ବଡ଼ ଅବସୋସ୍ ହୋଇରହିଯାଇଥିଲା । ହେଲେ ବୁଢ଼ା କାଳରେ କିନ୍ତୁ ସେ ରୀତିନୀତିରେ ବାହା ହେବାକୁ ଇଚ୍ଛା କରିଥିଲେ । ଆଉ ତାଙ୍କର ଏହି ଇଚ୍ଛାକୁ ପୂରା କରିଥିଲେ ତାଙ୍କର ପିଲା ।
ରାମା ଭାଇଙ୍କ ସହ ଜିବଲୀ ଦେବୀଙ୍କ ରୀତିନୀତିରେ ହୋଇଥିଲା ବାହାଘର । ଆଉ ଏ ବାହାଘରରେ ସାମିଲ ହେଇଥିଲା ପୂରା ଗାଁ । ଡିଜେ ବାଜିଥିଲା, ହଳଦୀ, ମେହେନ୍ଦୀ ମଧ୍ୟ ହୋଇଥିଲା । ଆଉ ସବୁ ବାହାଘର ଭଳି ବରଯାତ୍ରୀ ନେଇ ଜିବଲୀ ଦେବୀଙ୍କ ପାଖରେ ପହଞ୍ଚିଥିଲେ ରାମା ଭାଇ । ଯେଉଁଠି ବୈଦିକ ରୀତିରେ ତାଙ୍କର ବାହାଘର ହେବା ସହିତ ୯୫ ବର୍ଷ ବୟସରେ ସେ ହାତକୁ ଦି ହାତ ହୋଇଥିଲେ ।