କନକ ବ୍ୟୁରୋ: ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ଏକ ଅତ୍ୟନ୍ତ ନିନ୍ଦନୀୟ ଏବଂ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ କିଛି   ଦୁର୍ବୃତ୍ତ ଜଣେ ୯୨ ବର୍ଷୀୟା ବୃଦ୍ଧା ମହିଳାଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରିଛନ୍ତି । ସୁନା କାନଫୁଲ ଲୁଟିବା ପାଇଁ ସେମାନେ ବୃଦ୍ଧାଙ୍କ କାନକୁ ଛିଡାଇ ଦେଇଛନ୍ତି । ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିବା ସହ ମାନବିକତାର ସ୍ତର କେତେ ତଳକୁ ଖସିଯାଇଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି ।

Advertisment


ସୂଚନା ଅନୁଯାୟୀ, ରାଜଗଡ଼ ଜିଲ୍ଲାର ସାରଙ୍ଗପୁର ଅଞ୍ଚଳରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା ।  ପୀଡ଼ିତା ବୃଦ୍ଧା ଜଣକ ଘରେ ଏକୁଟିଆ ଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ । ସେମାନେ ବୃଦ୍ଧାଙ୍କୁ କାବୁ କରି ତାଙ୍କ କାନରେ ଥିବା ସୁନା କାନଫୁଲକୁ ଜୋର ଜବରଦସ୍ତ ଛିଣ୍ଡାଇ ନେଇଥିଲେ । ଏହି ଟଣାଓଟରାରେ ବୃଦ୍ଧାଙ୍କ ଦୁଇଟି କାନରେ ସମ୍ପୂର୍ଣ୍ଣ ଭାବେ  ଆଘାତ ଲାଗିଛି ଏବଂ ସେ ଗୁରୁତର ଭାବେ ରକ୍ତାକ୍ତ ହୋଇଛନ୍ତି । 


ଘଟଣା ପରେ ବୃଦ୍ଧାଙ୍କ ଚିତ୍କାର ଶୁଣି ପଡୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।