କନକ ବ୍ୟୁରୋ: ବିଜେଡି ସରକାର ସମୟରେ ବେଶ୍ ପାୱାରଫୁଲ ଥିଲେ ବିଡିଓ । ବିନା ଟେଣ୍ଡରରେ ମନଇଛା ବିଭିନ୍ନ କାର୍ଯ୍ୟାଦେଶ ବାଣ୍ଟୁଥିଲେ। କାମ ହେଉ କି ନହେଉ, ବିଲ ବି ହୋଇ ଯାଉଥିଲା। ଯାହାକୁ ନେଇ ବାରମ୍ବାର ଅଭିଯୋଗ ହୋଇଥାଏ। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବ ସେହିଭଳି ୯୧ ଜଣ ବିଡିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରଧୀନ ଅଛି ।

କାର୍ଯ୍ୟରେ ଅବହେଳା ପାଇଁ କୋରାପୁଟ ଜିଲ୍ଳା ପରିଷଦ ବୈଠକରେ ଯେତେବେଳେ ବିଡିଓଙ୍କୁ ଅଧ୍ୟକ୍ଷା ତାଗିଦ କରିଛନ୍ତି ଆଉ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଅଙ୍ଗନୱାଡି ଭଳି ସମସ୍ୟା ଗୁଡିକର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେତିକିବେଳେ ବିଧାନସଭାରେ ଉଠିଛି ବିଡିଓଙ୍କ ପ୍ରସଙ୍ଗ । କେତେଜଣ ବିଡିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ନେଇ ଗୃହରେ ତଥ୍ୟ ରଖିଛନ୍ତି ମନ୍ତ୍ରୀ।

  • ସ୍କାନରରେ ୯୧ ବିଡିଓ
  • ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧିନ

ରାଜ୍ୟର କେଉଁ କେଉଁ ବ୍ଲକ ଉନ୍ନୟନ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ଅଛି? ଏନେଇ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଉତ୍ତର ରଖିଛନ୍ତି। ରାଜ୍ୟରେ ୯୧ ବ୍ଲକ ଉନ୍ନୟନ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ରହିଛି। ତେବେ ମନ୍ତ୍ରୀଙ୍କ ଏହି ଉତ୍ତର ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।

ସୂଚନାଯୋଗ୍ୟ ଯେ, ନୂଆ ସରକାର ଆସିବା ପରେ, ବଡ ବଡ ବାବୁଙ୍କ ଉପରେ ଛାଟ ପଡିଛି। ତେଣୁ ଯେଉଁ ୯୧ ବିଡିଓଙ୍କ କଥା କୁହାଯାଉଛି, ସେମାନଙ୍କ ବିରୋଧରେ କି ଅଭିଯୋଗ ରହିଛି? ସେମାନଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି କି ନାହିଁ? ତାହା ବେଶ୍ ଗୁରୁତ୍ୱପୂର୍ଣ୍ଣ।