କନକ ବ୍ୟୁରୋ : ସାଉଦି ଆରବରେ ଭବିଷ୍ୟତର ଏକ ସହର ନିର୍ମାଣ ହେଉଛି । ଏମିତି ଏକ ସହରର ନିର୍ମାଣ ଯାହା ଭାବିବାକୁ ବାଧ୍ୟ କରୁଛି , ସତରେ କ’ଣ ମାନବଜାତି ଏତେ ଉନ୍ନତି କରିସାରିଛି ଯେ ଏତେ ବଡ଼ ସ୍କେଲର ଆଧୁନିକ ସହର ତିଆରି କରିବାକୁ ଯାଉଛି ! ଆମେ କହୁଛୁ ସାଉଦି ଆରବର NEOM ସିଟି ପ୍ରକଳ୍ପ ବିଷୟରେ । ଯାହାକୁ ୨୦୧୭ ରେ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ ବିନ୍ ଅବଦୁଲାଜିଜ୍ ଦ୍ୱାରା ଲଞ୍ଚ୍ କରାଯାଇଥିଲା । ଉତ୍ତର-ପଶ୍ଚିମ ସାଉଦି ଆରବରେ ନିର୍ମିତ ଏହି ଭବିଷ୍ୟତର ସହର 100% ନବୀକରଣୀୟ ଶକ୍ତିରେ ଚାଲିବ । ଅର୍ଥାତ୍ ସହରରେ ଡିଜେଲ ଏବଂ କୋଇଲା ମିଳିବ ନାହିଁ । ତେବେ ଏତେ ବଡ଼ ସହର ତିଆରି ହେବ ଏବଂ ଆଗରେ କିଛି ଚ୍ୟାଲେଞ୍ଜ ଆସିବନି ଏ କେମିତି ସମ୍ଭବ ! ତେବେ ଆସନ୍ତୁ ଜାଣିବା ଏହି ସହର ପ୍ରସ୍ତୁତ ହେବା ପରେ ଏହାର ବିଶେଷତା କ’ଣ ରହିବ ଏବଂ ବର୍ତ୍ତମାନ ପାଇଁ ସାମ୍ନାରେ କ’ଣ ଚ୍ୟାଲେଞ୍ଜ ରହିଛି ?
ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଉଦି ଆରବର ଅର୍ଥନୀତିକୁ ବର୍ତ୍ତମାନର ତୈଳ ଉପରେ ନିର୍ଭରଶୀଳତାରୁ ଦୂରେଇ ବିବିଧ କରିବା ଏବଂ ଏହାକୁ ପର୍ଯ୍ୟଟନ ଏବଂ ପ୍ରଯୁକ୍ତିବିଦ୍ୟାରେ ନିବେଶର ଏକ କେନ୍ଦ୍ର କରିବା । ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ୩୭ ଲକ୍ଷ କୋଟି ଟଙ୍କା ଅର୍ଥାତ ୫୦୦ ବିଲିୟନ ଡଲାର । କିନ୍ତୁ ଏହା ପରବର୍ତ୍ତୀ ସମୟରେ ଅଧିକ ହେବାର ଆଶଙ୍କା କରାଯାଉଛି । ପ୍ରକଳ୍ପର ଆକାର କଥା ଯଦି କହିବା ଏହା ୨୬,୫୦୦ ବର୍ଗ କିଲୋମିଟରରେ ବିସ୍ତାରିତ , ଯାହା ଦିଲ୍ଲୀ କ୍ଷେତ୍ରଫଳର ପ୍ରାୟ ୧୭ ଗୁଣ । ଯଦି ସହରର ନାଁ କଥା କହିବା ତା’ହେଲେ ନିଓମ୍ ନାମଟି ଦୁଇଟି ଶବ୍ଦରେ ଗଠିତ । ଏହି ନାମ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଦେଇଥିଲେ । ପ୍ରଥମ ତିନୋଟି ଅକ୍ଷର ପ୍ରାଚୀନ ଗ୍ରୀକ୍ ଶବ୍ଦ ନିଓରୁ ଆସିଛି, ଯାହାର ଅର୍ଥ "ନୂତନ"। "M" ର ଅର୍ଥ "ମୁସ୍ତାକବାଲ୍", ଏକ ଆରବି ଶବ୍ଦ ଯାହାର ଅର୍ଥ "ଭବିଷ୍ୟତ"। ଏହା ବ୍ୟତୀତ, M ହେଉଛି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ନାମର ପ୍ରଥମ ଅକ୍ଷର ।
୨୦୨୧ ମସିହାରେ କ୍ରାଉନ୍ ପ୍ରିନ୍ସଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦି ଲାଇନ ହେଉଛି ନିଓମ୍ ପ୍ରକଳ୍ପର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ । ସମୁଦ୍ର କୂଳରେ ୫୦୦ ମିଟର ଉଚ୍ଚ କୋଠା ନିର୍ମାଣ କରାଯିବ, ଯାହା ୧୭୦ କିଲୋମିଟର ଏକ ସରଳ ରେଖାରେ ବିସ୍ତାରିତ ହେବ । ଦି ଲାଇନ ହେଉଛି ସହରୀ ଜୀବନଶୈଳୀର ଏକ ବୈପ୍ଳବିକ ଧାରଣା ଯାହା ଲୋକ ଏବଂ ପ୍ରକୃତି ଉଭୟକୁ ପ୍ରାଥମିକତା ଦିଏ । ଏହା ସମ୍ପୂର୍ଣ୍ଣ ନବୀକରଣୀୟ ଶକ୍ତି ଉପରେ ଆଧାରିତ ଏକ ନୂତନ ସହରୀ ସ୍ଥାୟୀତ୍ୱ ମଡେଲ ସୃଷ୍ଟି କରେ । ଗୋଟିଏ ରେଖାରେ ସଜାଯାଇଥିବା କୋଠାଗୁଡ଼ିକର ଏକ ରେଖୀୟ ସହର, ଏହାର ୯୫% ଜମି ପ୍ରକୃତି ପାଇଁ ସଂରକ୍ଷଣ କରେ । ଅକ୍ସାଗନର ଯଦି କଥା କହିବା ଏହା ଭବିଷ୍ୟତରେ ଏକ ଭାସମାନ ଶିଳ୍ପ କ୍ୟାମ୍ପସ୍ ହେବ । ଯାହା ଲାଲ ସାଗର ଉପକୂଳରେ ଅବସ୍ଥିତ ହେବ, ଯେଉଁଠାରୁ ବିଶ୍ୱ ବାଣିଜ୍ୟର ୧୩% ଯାତାୟାତ କରେ । ସ୍କି ରିସର୍ଟ ହେବ ଟ୍ରୋଜାନା । ହିଲ୍ ଷ୍ଟେସନ ପାଇଁ ଏହି ସ୍ଥାନକୁ ବିକଶିତ କରାଯାଉଛି । ଯାହା ଦୁଃସାହସିକ କ୍ରୀଡ଼ା ଏବଂ ଅନନ୍ୟ ପର୍ଯ୍ୟଟନ ଅଭିଜ୍ଞତା ପ୍ରଦାନ କରିବ । ସବୁ ପରେ ଆସେ ଏକ ବିଳାସପୂର୍ଣ୍ଣ ଆଇଲ୍ୟାଣ୍ଡର କଥା ଯାହା ସିନ୍ଦାଲାହ ପୂରଣ କରିବ । ସିନ୍ଦାଲାହକୁ ଦ୍ୱୀପ ଏବଂ ୟାଟ୍ ପ୍ରେମୀଙ୍କ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବରେ ଡିଜାଇନ୍ କରାଯାଇଛି । ଏହା ଏହାର ବିବିଧ ସାମୁଦ୍ରିକ ଇକୋସିଷ୍ଟମକୁ ସଂରକ୍ଷଣ କରିବା ସହ ଲାଲ ସାଗରର ପ୍ରବେଶ ଦ୍ୱାର ଭାବରେ କାର୍ଯ୍ୟ କରିବ । ତେବେ ବର୍ତ୍ତମାନ ପ୍ରକଳ୍ପଟି ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛି ଏବଂ ଏହାର ସମାପ୍ତି ସମୟସୀମା ବୃଦ୍ଧି ହୋଇପାରେ । ମାର୍ଚ୍ଚ ୨୦୦୨୫ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ଅନୁଯାୟୀ, ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ, ସିନ୍ଦାଲାହ, ନିର୍ଦ୍ଧାରିତ ସମୟଠାରୁ ବର୍ଷ ବର୍ଷ ପଛରେ ଅଛି ଏବଂ ବଜେଟ୍ ଅପେକ୍ଷା ବହୁତ ଅଧିକ ଖର୍ଚ୍ଚ ହେଉଛି । ଏଭଳି ପରିସ୍ଥିତିରେ ପୂରା ସହର କେମିତି ମୁଣ୍ଡ ଟେକିବ ତାହା ଦେଖିବାକୁ ବାକି ରହିଲା ।