କିଛି ଦିନ ତଳେ ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜ୍ଜୁନଙ୍କ ସିନେମା ପୁଷ୍ପା – ୨ ର ସ୍ପେଶାଲ୍ ସ୍କ୍ରିନିଂ ବେଳେ ଧାଁଦଉଡ଼ ପରିସ୍ଥିତି ଉପୁଜିଥିଲା । ହାଇଦ୍ରାବାଦର ଚିକ୍କଡପଲ୍ଲୀ ସଂନ୍ଧ୍ୟା ୭୦ ଏମଏମ୍ ହଲରେ ସିନେମାର ପ୍ରିମିୟର୍ ଦେଖିବା ପାଇଁ ଦିଲସୁଖ ନଗରରୁ ୩୯ ବର୍ଷୀୟ ରେବତୀ ନିଜ ସ୍ୱାମୀ ଭାସ୍କର ଏବଂ ୨ ସନ୍ତାନ ଶ୍ରୀତେଜ୍ ଏବଂ ସମ୍ଭୀକାଙ୍କ ସହ ପହଁଞ୍ଚିଥିଲେ । କେହି କିଛି ଭାବିବା ପୂର୍ବରୁ ଅଲ୍ଲୁ ଅର୍ଜ୍ଜୁନଙ୍କୁ ଦେଖିବା ପାଇଁ ଠେଲାପେଲା ପରିସ୍ଥିତି ସୃଷ୍ଟି ହେଲା ଏବଂ ତଳେ ପଡ଼ି ରେବତୀଙ୍କର ଜୀବନ ଚାଲିଗଲା । ରେବତୀଙ୍କର ୯ ବର୍ଷର ପୁଅ ଶ୍ରୀତେଜକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଗଲା। ଘଟଣାଟି ଏତେ ବଡ଼ ହେଲା ଯେ ସିନେମାର ଅଭିନେତା ଅଲ୍ଲୁ ଅର୍ଜ୍ଜୁନଙ୍କୁ ଥାନାର ଦୁଆର ମଧ୍ୟ ଦେଖିବାକୁ ପଡ଼ିଲା । କିନ୍ତୁ ଦିନକରେ ହିଁ ତାଙ୍କୁ ଜାମିନ୍ ମଧ୍ୟ ମିଳିଗଲା । ଘଟଣାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଲା ।
ଏହାରି ଭିତରେ ଏବେ ହସ୍ପିଟାଲରୁ ଶ୍ରୀତେଜଙ୍କ ସ୍ବାସ୍ଥ୍ୟ ଅପଡେଟ୍ ଆସିଛି । ଶ୍ରୀତେଜଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଗମ୍ଭୀର ରହିଛି । ତାଙ୍କୁ ଭେଣ୍ଟିଲେଟର୍ ସପୋର୍ଟରେ ରଖାଯାଇଛି । କଓଗଝ ଉଙ୍କୟୟକ୍ଷରଗ୍ଦ ହସ୍ପିଟାଲରେ ଚାଲିଛି ଶ୍ରୀତେଜଙ୍କ ଚିକିତ୍ସା । ମଙ୍ଗଳବାର ହେଲ୍ଥ ରିପୋର୍ଟ ଦେଇ ହସ୍ପିଟାଲ କହିଥିଲା ଯେ ପେଡିୟାଟ୍ରିକ୍ ଆଇସିୟୁରେ ରହି ଚିକିତ୍ସୀତ ହେଉଛନ୍ତି ଶ୍ରୀତେଜ୍ ଏବଂ ତାଙ୍କୁ ଏବେ ବି ମେକାନିକାଲ୍ ଭେଣ୍ଟିଲେସନ୍ ର ଆବଶ୍ୟକତା ରହିଛି । ଅକ୍ସିଜେନ୍ ଏବଂ ପ୍ରେସରର ସପୋର୍ଟ କମ୍ ପଡୁଛି । ପିଲାଟିର ଶରୀରର ତାପମାତ୍ରା ମଧ୍ୟ ଠିକଠାକ୍ ରହିଛି , ଶରୀରକୁ ଖାଦ୍ୟ ଦେଲେ ସଠିକ୍ ରେସପନ୍ସ ମଧ୍ୟ ମିଳୁଛି । ଶରୀରରେ ନ୍ୟୁରୋଲୋଜିକଲ୍ ରେସପନ୍ସ ନ ହେବା କାରଣରୁ ଶ୍ରୀତେଜଙ୍କ ପାଇଁ ଏକ ସର୍ଜରୀ ପ୍ଲାନ୍ ମଧ୍ୟ କରାଯାଉଛି । ଯେଉଁଥିରେ ଗଳା ମାଧ୍ୟମରେ ନିଶ୍ବାସ ନେବା ପାଇଁ ଟ୍ୟୁବ୍ ଲଗାଯିବ ।
ହାଇଦ୍ରାବାଦ୍ ସିଟି ପୁଲିସ୍ ମିଡ଼ିଆକୁ ଅପଡେଟ୍ ଦେଇ କହିଛନ୍ତି ଯେ , ଧାଁ ଦଉଡ଼ ବେଳେ ନିଶ୍ବାସ ନନେବା କାରଣରୁ ଶ୍ରୀତେଜଙ୍କ ‘ବ୍ରେନ୍ ଡେଡ୍’ ହୋଇଯାଇଥିଲା । ପିଲାଟିର ସ୍ବାସ୍ଥ୍ୟ ରିକଭର୍ କରିବା ପାଇଁ ଲମ୍ବା ସମୟ ଲାଗିବ । ଏହି ଘଟଣାରେ ସିନେମା ହଲର ମାଲିକଙ୍କୁ ସୋ କଜ୍ ନୋଟିସ୍ ପଠାଇଛି ପୁଲିସ୍ ।