କନକ ବ୍ୟୁରୋ : ରାୟଗଡ଼ା ନୂଆ ରେଳ ଡିଭିଜନ୍ ଘୋଷଣା ହୋଇ କାର୍ଯ୍ୟକ୍ଷମକୁ ୯ ମାସ ବିତିଲାଣି । ତଥାପି ମିଳିପାରୁନି ସ୍ୱୟଂ ସମ୍ପୂର୍ଣ୍ଣ ପରିଚାଳନା କ୍ଷମତା । ଏବେ ବି ସବୁକିଛି ବିଶାଖାପାଟଣା ସ୍ଥିତ ୱାଲଟିୟର ଡିଭିଜନରୁ ପରିଚାଳନା କରାଯାଉଛି । ଯାହାକୁ ନେଇ ରାୟଗଡ଼ା ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ଆଗକୁ ବଡ଼ ଧରଣର ଆନ୍ଦୋଳନ ନେଇ ମିଳିଛି ଚେତାବନୀ । ନୂଆ ରେଳ ଡିଭିଜନ୍ ଘୋଷଣା ପାଇଁ ୨୦୧୯ ଫେବ୍ରୁଆରି ୨୮ ତାରିଖରେ ନିଷ୍ପତ୍ତି ନେଇଥିଲେ କ୍ୟାବିନେଟ୍‌ , ଯୋଜନା ଅନୁସାରେ କାମ ଆରମ୍ଭ ହେଲା । ୨୦୨୫ ଜାନୁଆରି ୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ ବି କଲେ । ହେଲେ ନୂଆ ରେଳ ଡିଭିଜନ୍‌ ଘୋଷଣା ପରେ ମଧ୍ୟ ରାୟଗଡ଼ାକୁ ସ୍ୱୟଂ ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱ ମିଳୁନି । ଡିଆରଏମ୍‌ଙ୍କ କାର୍ଯ୍ୟାଳୟ ରାୟଗଡ଼ାରେ ଥାଇ ବି ସବୁ କିଛି ପରିଚାଳନା ହେଉଛି । 

Advertisment

୪୪୬ କିମି କିରଣ୍ଡୁଲ- କୋତାୱାଲସା ରେଳପଥ ଓ ୧୬୭ କିମି ଲମ୍ବା କୋରାପୁଟ-ରାୟଗଡ଼ା ରେଳ ଲାଇନ୍‌ରେ ଆଲୁମିନିୟମ, ଲୁହା ଆଦି ପରିବହନ କରି ମୋଟା ଅଙ୍କର ରାଜସ୍ବ ପାଉଛି ରେଳ ବିଭାଗ । ସେହିପରି ଜୟପୁର-ବିଜୟନଗରମ୍ ରେଳପଥରେ ମାଲ ପରିବହନ କରି ୱାଲଟିୟର ଡିଭିଜନର ରାଜସ୍ୱ ବଢ଼ାଉଛି ରାଷ୍ଟ୍ରାୟତ୍ତ କମ୍ପାନି । ଯାହାକୁ ହରାଇବାକୁ ଚାହୁନାହାନ୍ତି ଉଭୟ ୱାଲଟିୟର ଓ ସମ୍ବଲପୁର ଡିଭିଜନ । ଆଗକୁ ରାୟଗଡା ଡିଭିଜନ ଅଧୀନରେ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି, ମାଲକାନଗିରି-ଭଦ୍ରାଚଲମ ଓ ଥେରୁବାଲି-ଗୁଣପୁର ନୂଆ ରେଳପଥ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଯାହା ରେଳ ବିଭାଗର ରାଜସ୍ୱ ବୃଦ୍ଧିକୁ ଗତି ଦେବ । ତେଣୁ ରାୟଗଡ଼ା ରେଳ ଡିଭିଜନ୍‌କୁ ସ୍ୱୟଂ ସମ୍ପୂର୍ଣ୍ଣ ପରିଚାଳନା କ୍ଷମତା ପ୍ରଦାନ ଦାବି ହୋଇଛି ।