କନକ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି ଆଇପିଏଲ ୨୦୨୫ । ପ୍ଲେଅଫରେ ପହଞ୍ଚି ସାରିଲେଣି ୪ ଟିମ୍ । ଗୁଜରାଟ, ବେଙ୍ଗାଲୁରୁ, ପଞ୍ଜାବ ଓ ମୁମ୍ୱାଇ ପ୍ରସ୍ତୁତ ହେଲେଣି ପ୍ଲେ ଅଫ ଖେଳିବାକୁ । ହେଲେ ଚଳିତ ବର୍ଷ ଲକ୍ଷ୍ନୌ ଟିମ ବେଶ ଚର୍ଚ୍ଚାରେ ରହିଛି । କାରଣ ଦଳରେ ସବୁଠାରୁ ଦାମୀ ଖେଳାଳି ଋଷଭ ପନ୍ତଙ୍କ ପ୍ରଦର୍ଶନ ଆଉ ଦିଗ୍‌ବେଶ୍ ସିଂ ରାଠିଙ୍କ ସେଲିବ୍ରେସନ ଦଳକୁ ବ୍ୟାକଫୁଟକୁ ନେଇଯାଇଥିଲା । ଦିଗ୍‌ବେଶ୍ ଚଳିତ ଆଇପିଏଲରେ ଏବେ ଯାଏ ୯ ଲକ୍ଷ ୩୭ ହଜାର ଟଙ୍କା ଫାଇନ୍ ଦେଇସାରିଲେଣି । ଯାହା ଟିମ୍ ସହ ତାଙ୍କ କ୍ୟାରିୟର ଉପରେ ବି ଖରାପ ପ୍ରଭାବ ପକାଇଛି । 

Advertisment

ଲକ୍ଷ୍ନୌ ସୁପର ଜାଏଣ୍ଟସର ସ୍ପିନର ଦିଗ୍‌ବେଶ୍ ସିଂ ରାଠି ନିଜର ପ୍ରଥମ ଆଇପିଏଲରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ସେ ୧୨ ମ୍ୟାଚରେ ୮.୧୮ ଇକୋନୋମିରେ ୧୪ ଓ୍ୱିକେଟ ହାସଲ କରିଛନ୍ତି । କିନ୍ତୁ ତାଙ୍କ ସେଲିବ୍ରେସନ ସବୁବେଳେ ତାଙ୍କୁ ବିବାଦକୁ ନେଇ ଯାଇଥିଲା । ତାଙ୍କ ନୋଟବୁକ ସେଲିବ୍ରେସନ ପାଇଁ ସେ ବହୁବାର ଦଣ୍ଡିତ ବି ହୋଇଛନ୍ତି । ୩୦ ଲକ୍ଷ ଟଙ୍କାରେ ଲକ୍ଷ୍ନୌ ତାଙ୍କୁ ଟିମରେ ସାମିଲ କରିଥିଲା । ହେଲେ ଚଳିତ ଆଇପିଏଲରେ ସେ ୩ ଥର ଦଣ୍ଡିତ ହୋଇ ମୋଟ୍ ୯ ଲକ୍ଷରୁ ଅଧିକ ଟଙ୍କା ହରାଇ ସାରିଲେଣି ।

ଦିଗ୍‌ବେଶ୍ ରାଠି ପ୍ରଥମଥର ଏପ୍ରିଲ ୧ରେ ପଞ୍ଜାବ ବିପକ୍ଷ ମ୍ୟାଚରେ ଫାଇନ ଦେଇଥିଲେ । ଏହି ମ୍ୟାଚରେ ସେ ପ୍ରିୟାଂଶ ଆର୍ଯ୍ୟଙ୍କୁ ଆଉଟ କରିବା ପରେ ସେ ନୋଟବୁକ ସେଲିବ୍ରେସନ କରିଥିଲେ, ଯେଉଁଥିପାଇଁ ବିବାଦ ସୃଷ୍ଟି ହୋଇଥିଲା । ଆଉ ତାଙ୍କୁ ୧.୮୭ ଲକ୍ଷ ଟଙ୍କା ଫାଇନ ଲାଗିଥିଲା । ଏହାର ୩ ଦିନ ପରେ ୪ ଏପ୍ରିଲକୁ ମୁମ୍ୱାଇ ଇଣ୍ଡିଆନ୍ସ ବିପକ୍ଷରେ ବି ସେ ନୋଟବୁକ ସେଲିବ୍ରେସନ କରିଥିଲେ । ଯେଉଁଥିପାଇଁ ତାଙ୍କୁ ପୁଣି ୩.୭୫ ଲକ୍ଷ ଟଙ୍କାର ଜରିମାନା ଲାଗିଥିଲା । ବାରମ୍ୱାର ଦଣ୍ଡିତ ହେବା ପରେ ବି ନିଜ ଅଭ୍ୟାସ ବଦଳାଇନଥିଲେ ଏହି କ୍ରିକେଟର । ପୁଣି ମେ ୧୯ରେ ହାଇଦ୍ରାବାଦର ଓପନର ଅଭିଷେକ ଶର୍ମାଙ୍କ ସହ ଝଗଡ଼ା କରିଥିଲେ । ଯେଉଁଥିପାଇଁ ତାଙ୍କୁ ପୁଣି ୩.୭୫ ଲକ୍ଷ ଟଙ୍କାର ଫାଇନ୍ ଲାଗିବା ସହ ଗୋଟିଏ ମ୍ୟାଚରୁ ବ୍ୟାନ୍ କରାଯାଇଥିଲା । ଯେଉଁଥିପାଇଁ ତାଙ୍କୁ ଗୁଜରାଟ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିନଥିଲା ।

ଦିଗ୍‌ବେଶ୍ ରାଠି ଯେତେବେଳେ କୌଣସି ବୋଲରଙ୍କୁ ଆଉଟ କରନ୍ତି ସେତେବେଳେ ସେ ନିଜର ଗୋଟିଏ ହାତରେ ଆଉ ଗୋଟିଏ ହାତରେ କାଳ୍ପନିକ ଭାବେ କିଛି ଲେଖନ୍ତି । ଏହା ତାଙ୍କ ସେଲିବ୍ରେସନ କରିବାର ଏକ ବିବାଦୀୟ ଢଙ୍ଗ । ଯାହା ବ୍ୟାଟ୍ସମ୍ୟାନଙ୍କୁ ପସନ୍ଦ ଆସେନାହିଁ, ତେଣୁ ବିବାଦ ସୃଷ୍ଟି ହୁଏ । ଜଣେ ନବାଗତ ବୋଲର ଆଇପିଏଲ ଡେବ୍ୟୁ କରି ଭଲ ପ୍ରଦର୍ଶନ କରୁଛନ୍ତି, ହେଲେ ତାଙ୍କ ବ୍ୟବହାର ପାଇଁ ସେ ବାରମ୍ୱାର ଦଣ୍ଡିତ ହେଉଛନ୍ତି । ଯାହା ତାଙ୍କ କ୍ୟାରିୟର ଉପରେ ଖରାପ ପ୍ରଭାବ ପକାଉଛି । ଗୋଟିଏ ଭୁଲକୁ ଜାଣି ଜାଣି ସେ ବାରମ୍ୱାର କରୁଛନ୍ତି । ହୁଏତ ଏହି ଗୋଟିଏ ଭୁଲ ପାଇଁ ତାଙ୍କ କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ଶେଷ ବି ହୋଇଯାଇପାରେ ।