କନକ ବ୍ୟୁରୋ : ପାଖେଇ ଆସୁଛି ଦୀପାବଳି । ଛୁଟି ଆରମ୍ଭ ହେବା ପୂର୍ବରୁ କାମ ଶେଷ କରିବାକୁ ପଡ଼ିବ । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ବ୍ୟସ୍ତ କାର୍ଯ୍ୟଭାର, ଚାପ ଏବଂ ମାନସିକ କ୍ଳାନ୍ତି ମଧ୍ୟରେ କମ୍ପାନୀର ସିଇଓଙ୍କ ଠାରୁ ହଠାତ୍ ଏକ ମେଲ୍ ଆସିଲା ଯେଉଁଥିରେ ଦୀପାବଳି ଛୁଟି ଘୋଷଣା କରାଯାଇଥିଲା । କେବଳ ଗୋଟିଏ କି ଦୁଇ ଦିନ ପାଇଁ ନୁହେଁ ବରଂ ନଅ ଦିନ ପାଇଁ । ଏବେ କୁହନ୍ତୁ, ଏପରି ଇମେଲ୍ ପଢ଼ି କେଉଁ କର୍ମଚାରୀ ଉତ୍ସାହିତ ହେବେ ନାହିଁ ? ବର୍ତ୍ତମାନର କର୍ପୋରେଟ୍ ଯୁଗରେ ଯେଉଁଠାରେ କମ୍ପାନୀ ବଳକା କାମକୁ ୱାର୍କ ଫ୍ରମ୍ ହୋମ୍ ମାଧ୍ୟମରେ ସମାପ୍ତ କରିବାକୁ ଚାପ ପକାଉଛନ୍ତି , ଅଫିସ ନିୟମକୁ କଡ଼ାକଡ଼ି କରୁଛନ୍ତି ଏବଂ କର୍ମଚାରୀଙ୍କ କାର୍ଯ୍ୟଜୀବନ ସହିତ ବ୍ୟକ୍ତିଗତ ଜୀବନରେ ମଧ୍ୟ ହସ୍ତକ୍ଷେପ କରୁଛନ୍ତି ସେଠାରେ ଏକ ପିଆର (ଜନସମ୍ପର୍କ) କମ୍ପାନୀ, ଏଲିଟ୍ ମାର୍କ ନିଜ କର୍ମଚାରୀମାନଙ୍କୁ ୯ ଦିନର ଛୁଟି ଦେଇଛି । ଯାହା ଦ୍ୱାରା କର୍ମଚାରୀମାନେ ସେମାନଙ୍କ ପରିବାର ସହିତ ଉତ୍ସବର ମଜା ନେଇପାରିବେ ଏବଂ ପୁଣିଥରେ ଏକ ଫ୍ରେଶ୍ ଅନୁଭୂତି ନେଇ ଆସି ଭଲରେ କାମ କରିପାରିବେ । 

Advertisment
mail
mail Photograph: (google)

କମ୍ପାନିର ପ୍ରତିଷ୍ଠାତା ଏବଂ ସିଇଓ ରଜତ ଗ୍ରୋଭର, କର୍ମଚାରୀମାନଙ୍କୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଇମେଲ୍ ପଠାଇଥିଲେ । ସେ ଲେଖିଥିଲେ ଯେ, "ଏହି ଦୀପାବଳିରେ ଇମେଲ୍ ବନ୍ଦ କର, ବିଳମ୍ବିତ ରାତି ପର୍ଯ୍ୟନ୍ତ ହସ ଏବଂ ମିଠେଇ ଖାଅ ଆଉ ଶୋଇବାର କଳାରେ ପାରଙ୍ଗମ ହୁଅ ।" ସେ ସମସ୍ତଙ୍କୁ ଛୁଟିଦିନରେ କୌଣସି ଅଫିସ୍ ଇମେଲ୍ କିମ୍ବା କାର୍ଯ୍ୟ ଚାଟ୍ ନଖୋଲିବାକୁ ମଧ୍ୟ ଅନୁରୋଧ କରିଥିଲେ । ତାଙ୍କ ବାର୍ତ୍ତାରେ, ଗ୍ରୋଭର କର୍ମଚାରୀମାନଙ୍କୁ ମାନସିକ ଏବଂ ଶାରୀରିକ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ଯାହା ଦ୍ଵାରା ସେମାନେ ଛୁଟି ପରେ ଫ୍ରେଶ୍ ଶକ୍ତି ସହିତ କାମକୁ ଫେରିପାରିବେ । 

ଲିଙ୍କଡିନ୍‌ରେ ଜଣେ କର୍ମଚାରୀ ପୋଷ୍ଟ କରି ଲେଖିଛନ୍ତି, "ସମସ୍ତେ ୱାର୍କ କଲ୍ଚର ବିଷୟରେ କଥା ହୁଅନ୍ତି, କିନ୍ତୁ ପ୍ରକୃତ ୱାର୍କ କଲ୍ଚର ହେଉଛି ଯେଉଁଠାରେ ମାଲିକ ସେମାନଙ୍କ କର୍ମଚାରୀଙ୍କ ସୁବିଧାକୁ ପ୍ରାଥମିକତା ଦିଅନ୍ତି । ଏଲିଟ୍ ମାର୍କ ଆମକୁ ଆମ ପରିବାର ସହିତ ସମୟ ବିତାଇବାର ସୁଯୋଗ ଦେଇଥିଲେ, ଏହା ଏକ ପ୍ରକୃତ ଦୀପାବଳି ଉପହାର ।" ସେ ଆହୁରି ଲେଖିଛନ୍ତି ଯେ କମ୍ପାନି ଯଦି କର୍ମଚାରୀଙ୍କ ଖୁସିକୁ ଗମ୍ଭୀରତାର ସହିତ ନେବ ତା’ହେଲେ କର୍ମଚାରୀ କମ୍ପାନିକୁ ପରିବାର ଭାବି କାମ କରିବେ । ଆଜିର ସମୟରେ ଯେଉଁଠି ଅଫିସର କର୍ମଚାରୀଙ୍କୁ ମେସିନ୍ ପରି ଭାବୁଛନ୍ତି ଏବଂ କାମ ଚାପକୁ ଅତ୍ୟଧିକ କରୁଛନ୍ତି ସେଭଳି କମ୍ପାନିଙ୍କୁ ଏଲିଟ୍ ମାର୍କଠାରୁ କିଛି ଶିଖିବା ଦରକାର ।