କନକ ବ୍ୟୁରୋ: ୨୦୨୪-୨୫ ଆର୍ଥିକ ବର୍ଷରେ କେତେ ଦୁର୍ଘଟଣା ହୋଇଛି ? କେତେ ଜଣଙ୍କ ମୃତ୍ୟୁ ହୋଇଛି ଓ ଦୁର୍ଘଟଣାରେ କେତେ ଜଣ ଦିବ୍ୟାଙ୍ଗ ପାଲଟିଛନ୍ତି ? ଏହାକୁ ନେଇ ଗୃହରେ ଉତ୍ତର ମାଗିଥିଲେ ବିଜେଡି ବିଧାୟକ ଅରୁଣ ସାହୁ । ଖାଲି ସେତିକି ନୁହେଁ, ସଡ଼କ ସୁରକ୍ଷା ସପ୍ତାହ ପାଳନରେ ଚଳିତବର୍ଷ କେତେ ଅର୍ଥ ବ୍ୟୟ ହୋଇଛି ? ସଡ଼କ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ପାଇଁ କେଉଁ କେଉଁ ସଂସ୍ଥାକୁ କେତେ ଅର୍ଥ ପ୍ରଦାନ କରାଯାଇଛି ତାହାର ମଧ୍ୟ ତଥ୍ୟ ମାଗିଥିଲେ ବିଜେଡି ବିଧାୟକ ଅରୁଣ ସାହୁ ।
ଏ ବାବଦରେ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଗତ ଜାନୁଆରୀରେ ରାଜ୍ୟରେ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଥିଲା । ଗୋଟେ ମାସରେ ହିଁ ୮୪୮ ଦୁର୍ଘଟଣା ହୋଇଛି । ଏହି ସବୁ ଦୁର୍ଘଟଣାରେ ୪୭୨ ଜଣ ଆହତ ହୋଇଥିଲେ, ଗୋଟିଏ ମାସରେ ୫୦୫ ଜଣଙ୍କ ମୁଣ୍ଡ ଯାଇଛି । ସଡ଼କ ସୁରକ୍ଷା ସଚେତନତା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ଏକ କୋଟି ୮୯ ଲକ୍ଷ ୬୬ ହଜାର ୬୯୪ ଟଙ୍କା । ୨୦୨୫ରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ବିଭିନ୍ନ ଆର୍ଟିଓକୁ ୧୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଓଡ଼ିଶାରେ ବିଗତ ୫ ବର୍ଷରେ ହାରାହାରି ବାର୍ଷିକ ସଡ଼କ ଦୁର୍ଘଟଣା ସଂଖ୍ୟା ୧୧ ହଜାର ୩୬୬ରେ ପହଞ୍ଚିଛି । ସେହିଭଳି ଦୁର୍ଘଟଣାରେ ଆହତ ସଂଖ୍ୟା ହାରାହାରି ୧୦ ହଜାର ୮ ରହିଛି । ଉଦବେଗଜନକ ତଥ୍ୟ ହେଉଛି ଏଭଳି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ହାରାହାରି ୫ ହଜାର ୪୩୩ ରହିଛି ।