କନକବ୍ୟୁରୋ : ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ । ପ୍ରତ୍ୟେକ ବିଦ୍ୟାଳୟ ପାଇଁ ଖର୍ଚ୍ଚ ହେବ ସର୍ବାଧିକ ୭ କୋଟି ଟଙ୍କା । ଗ୍ରାମ ପଞ୍ଚାୟତର ମୁଖ୍ୟାଳୟରେ ନିର୍ମାଣ କରାଯିବ ସ୍କୁଲ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି ।
ବୈଠକରୁ ଜଣାଯାଇଛି ଯେ, ପ୍ରଥମ ପର୍ଯ୍ୟାୟରେ ୮୩୫ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ । ଏହି ବିଦ୍ୟାଳୟ ଗୁଡିକ ରାଜ୍ୟର ଉଚ୍ଚ ବିଦ୍ୟାଳୟ ପାଇଁ ଏକ ଫିଡର ସ୍କୁଲ ଭାବରେ କାର୍ଯ୍ୟ କରିବ । ପ୍ରତ୍ୟେକ ବିଦ୍ୟାଳୟ ପାଇଁ ୭ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ ଅଟକଳ ରଖା ଯାଇଛି ।
ଯେଉଁ ସ୍କୁଲରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବେ , ୨ ଏକରରୁ ଅଧିକ ଜମି ଉପଲବ୍ଧ ହେଉଥିବ, ଏବଂ ଶିଶୁ ବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ହେଉଥିବ , ସେହି ସ୍କୁଲ ଗୁଡିକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ନିର୍ମାଣ କରାଯିବ । ବୈଠକରେ ମୁଖ୍ୟମନ୍ତ୍ରୀ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ହେଡକ୍ୱାର୍ଟର୍ସରେ ଭୌଗୋଳିକ ଅବସ୍ଥିତିକୁ ଦୃଷ୍ଟିରେ ରଖି ଗୋଟିଏ ଲେଖାଏଁ ଆଦର୍ଶ ସ୍କୁଲ ନିର୍ମାଣ କରାଯିବ ।
ବିଶେଷ କରି ଦୁର୍ଗମ ଓ ଦୂର ଅଂଚଳରେ ରହୁଥିବା ପିଲାଙ୍କ ଯିବା ଆସିବା ପାଇଁ ମାଗଣାରେ ପରିବହନ ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ପର୍ଯ୍ୟାପ୍ତ ଜମି ଥିବା ସ୍କୁଲଗୁଡ଼ିକୁ ଚୟନ କରାଯାଇ , ଭବିଷ୍ୟତରେ ହାଇସ୍କୁଲ ସ୍ତରକୁ ଅପଗ୍ରେଡ୍ ପାଇଁ ଏହାକୁ ଉନ୍ନତିକରଣ କରାଯିବ ।