କନକ ବ୍ୟୁରୋ: ସେଲ୍ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ଜଗଦା ସିଡବ୍ଲ୍ୟୁଏସ ହସ୍ପିଟାଲ ନିକଟରେ ଇସ୍ପାତ ସବୁଜ ବନଠାରେ ଜୁଲାଇ ୪ ତାରିଖରେ ଆୟୋଜିତ ଗଣ ପରିବେଶ ସଚେତନତା ଓ ବୃକ୍ଷରୋପଣ ଉତ୍ସବରେ ଇସ୍ପାତ ସହରର ବିଭିନ୍ନ ବିଦ୍ୟାଳୟର ୩୦୦ରୁ ଅଧିକ ଛାତ୍ରଛାତ୍ରୀ, ଆରଏସପିର ବହୁ ବରିଷ୍ଠ ଅଧିକାରୀ ଓ ସିଆଇଏସଏଫ କାର୍ମିକ ଉତ୍ସାହ ସହକାରେ ଭାଗ ନେଇଥିଲେ । ଏହି ଉତ୍ସବରେ ରାଉରକେଲା ଇସ୍ପାତ କାରଖାନା ଓ ଦୁର୍ଗାପୁର ଇସ୍ପାତ କାରଖାନା ତଥା ଇସ୍କୋ ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।
ଏହି ଅବସରରେ ଓଡିଶା ସରକାରଙ୍କ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡକ୍ଟର ଅନୁପ ମଲ୍ଲିକ, ମାନବ ସମ୍ବଳ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ତରୁଣ ମିଶ୍ର, କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ବିଶ୍ବରଞ୍ଜନ ପଲାଇ, ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଅନିଲ କୁମାର, ଚିକିତ୍ସା ଓ ସ୍ଵାସ୍ଥ୍ୟସେବା ବିଭାଗର ସିଏମଓ ଇନ ଚାର୍ଜ ଡାକ୍ତର ଜୟନ୍ତ କୁମାର ଆଚାର୍ଯ୍ୟ, ବିତ୍ତ ଓ ଲେଖା ବିଭାଗର ସିନିୟର ମ୍ୟାନେଜର ରାଜେଶ ଦାସଗୁପ୍ତା, ସିଆଇଏସଏଫର ସିନିୟର କମାଣ୍ଡାଣ୍ଟ ବିଜୟ କୁମାର, ବହୁ ମୁଖ୍ୟ ମହାପ୍ରବନ୍ଧକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଛାତ୍ରଛାତ୍ରୀମାନଙ୍କୁ ସମ୍ୱୋଧିତ କରି ଡିଆଇସି କହିଥିଲେ ଯେ, "ପ୍ରତ୍ୟେକ ଗଛର ଜୀବନ ରହିଛି ଏବଂ ଆମକୁ ଏହାର ସୁରକ୍ଷା ଓ ଯତ୍ନ ନେବାକୁ ହେବ । ଏକ ସବୁଜ ପରିବେଶ ସୃଷ୍ଟି କରିବା ଆମର ଲକ୍ଷ୍ୟ ହେବା ଉଚିତ, ବିଶେଷକରି ଯଦି ପିଲାମାନେ ଗଛର ଦାୟିତ୍ଵ ନିଅନ୍ତି, ତେବେ ସେମାନେ ବହୁତ ଭଲ ଭାବରେ ବଢ଼ିବେ" ।
ଆଲୋକ ବର୍ମା ପ୍ରଥମ ଚାରା ରୋପଣ କରିବା ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଉତ୍ସବରେ ପ୍ରାୟ ୧.୨୫ ଏକର ପରିମିତ ଅଞ୍ଚଳରେ ଛତିଆନା, କରଞ୍ଜ, ନିମ୍ବ, ପୂତୁଲି, ଜାମୁନ, ସୁନାରି, ଶିଶୁ, ବକୁଳ, ଅଁଳା, ପଣସ, ପିଜୁଳି, ଓ ଆତ ଇତ୍ୟାଦି କିସମର ବୃକ୍ଷ ରୋପଣ ସମ୍ପନ୍ନ ହୋଇଥିଲା । ସୂଚନାଯୋଗ୍ୟ ଯେ, ଉଦ୍ୟାନକୃଷି ବିଭାଗ ନିଜସ୍ବ ଉଦ୍ୟମରେ ଏହି ଚାରା ବିକାଶ କରିଛି ଏବଂ ଚଳିତ ବର୍ଷ ୫୦୦୦ ବୃକ୍ଷରୋପଣର ଯୋଜନା ରଖୁଛି ।
ସହର ଇଞ୍ଜିନିୟରିଂ ଉଦ୍ୟାନ କୃଷି ବିଭାଗର ପୁରୁଷୋତ୍ତମ ସାହୁ ଏକ ଉପସ୍ଥାପନା ପ୍ରସ୍ତୁତ କରି ଅତିଥିମାନଙ୍କୁ ଉଦ୍ୟାନକୃଷି ବିଭାଗ ଦ୍ଵାରା ସମ୍ପାଦିତ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଇଥିଲେ । ପ୍ରାରମ୍ଭରେ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେକ୍ଟର ୨୦ର ଛାତ୍ରଛାତ୍ରୀମାନେ ପରିବେଶ ଉପରେ ଆଧାରିତ ଆବାହନୀ ସଙ୍ଗୀତ ପରିବେଷଣ କରିଥିଲେ ।
ଏଥୁପୂର୍ବରୁ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସେକ୍ଟର-୨୦, ଇସ୍ପାତ ବିଦ୍ୟା ମନ୍ଦିର, ସେକ୍ଟର ୧୯, ଦିଲ୍ଲୀ ପବ୍ଲିକ ସ୍କୁଲ, ସେକ୍ଟର-୧୪, ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ,ସେକ୍ଟର-୧୯ ଏବଂ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସେକ୍ଟର-୫ ଓ ଦୀପିକା ଇସ୍ପାତ ଶିକ୍ଷା ସଦନର ଛାତ୍ରଛାତ୍ରୀମାନେ ହାତରେ ପରିବେଶ ସୁରକ୍ଷା ବାର୍ତ୍ତା ବହନ କରୁଥିବା ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଏକ ଆକର୍ଷଣୀୟ ପଦଯାତ୍ରାରେ ବୃକ୍ଷରୋପଣ ସ୍ଥଳୀରେ ପହଞ୍ଚିଥିଲେ । ଉଦ୍ୟାନକୃଷି ବିଭାଗର ଏଜିଏମ ଡକ୍ଟର ସତ୍ୟ ନାରାୟଣ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ସୂଚନାଯୋଗ୍ୟ ଯେ, ଆରଏସପି ଇସ୍ପାତ ସହର ଓ ଏହାର ଆଖପାଖ ଅଞ୍ଚଳରେ ଅଦ୍ୟାବଧି ୫୨ ଲକ୍ଷରୁ ଅଧିକ ବୃକ୍ଷରୋପଣ ସମ୍ପନ୍ନ କରିଛି । ଯାହା ଏହି ସମଗ୍ର ଅଞ୍ଚଳରେ ସବୁଜିମା ବଳୟ ସୃଷ୍ଟିରେ ବିଶେଷ ସହାୟକ ହୋଇଛି । ଚଳିତ ବର୍ଷ ଇସ୍ପାତ କାରଖାନା ଉଭୟ କାରଖାନା ଓ ସହରାଞ୍ଚଳରେ ବ୍ୟାପକ ଚାରା ଲଗାଇବା ନିମନ୍ତେ ଯୋଜନା ପ୍ରସ୍ତୁତ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/07/05/tree-2025-07-05-18-26-07.jpeg)