କନକ ବ୍ୟୁରୋ : ବିହାରର ନୱାଡା ଠାରେ ଉଗ୍ର ହେଉଛି ଜମି ବିବାଦ । ୮୦ଟି ଦଳିତ ପରିବାରଙ୍କ ଘରେ ନିଆଁ ଲଗାଇଦେଲେ ଦୁବୃର୍ତ୍ତ । ଉତ୍ତେଜନା ପ୍ରକାଶ ପାଇବା ପରେ ଘଟଣା ସ୍ଥଳରେ ପହଁଚି ସ୍ଥିତି ଉପରେ ନଜର ରଖିଛି ପୋଲିସ ପ୍ରଶାସନ । ଲୋକଙ୍କୁ ବୁଝାସୁଝା କରୁଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ । ଅଗ୍ନିଶମ ବିଭାଗ କର୍ମଚାରୀମାନେ ମଧ୍ୟ ଘଟଣା ସ୍ଥଳରେ ପହଁଚି ଅଗ୍ନିକାଣ୍ଡକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି । 

ବର୍ତ୍ତମାନ ପର୍ୟ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସିନି । ନୱାଡ଼ା ଅଞ୍ଚଳରେ ଥିବା ଏକ ବିଶାଳ ଭୁଖଣ୍ଡ ଉପରେ ଦଳିତ ପରିବାରର ଦଖଲ ରହିଆସିଛି । ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ଦେଖିବାକୁ ମିଳିଥାଏ । ଏହା ଉଗ୍ର ରୂପ ନେବା ସହିତ ଦୁବୃର୍ତମାନେ ଦଳିତ ପରିବାରଙ୍କ ଘରେ ନିଆଁ ଲଗାଇଥିବା ଜଣାପଡିଛି । ସବ-ଡିଭିଜନାଲ ଅଫିସର ଅଖିଳେଶ କୁମାର, ସଦର ଡିଏସପିଙ୍କ ସହ ବହୁ ସଂଖ୍ୟକ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ପୁରା ଗାଁରେ ପୋଲିସ ଛାଉଣୀ ହୋଇ ରହିଥିବା ବେଳେ ଘଟଣାରେ କିଛି ଜଣଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ତଦନ୍ତ କରୁଛି ବିହାର ପୋଲିସ ।