ଜ୍ଞାନଦୀପ୍ତ ବୃହତ୍ତର ପାଠକ ସମାଜ ପାଖରେ ପହଞ୍ଚିବାକୁ ଏକ ବଡ଼ ମାଧ୍ୟମ ହେଉଛି ପ୍ରବନ୍ଧ । କିନ୍ତୁ ସମୟକ୍ରମେ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟକୁ ଯେମିତି ‌କୋଣଠେସା କରାଯାଉଛି । ତରୁଣମାନେ ପ୍ରବନ୍ଧ ପାଠ ଓ ରଚନା ପ୍ରତି ମନ ଦେଉନାହାନ୍ତି । ଏହା ଏକ ବିପନ୍ନ ଅବସ୍ଥା । ଗୋଟେ ଜାତିର ସାଂସ୍କୃତିକ ତେଜଦୀପ୍ତ ପ୍ରଜ୍ଞାଶୀଳତାର ବଡ଼ ପ୍ରମାଣ ଦିଏ ‘ପ୍ରବନ୍ଧ ଓ ସମାଲୋଚନା’ । ଜଣେ ବଡ଼ କବିର ସମାଲୋଚକ ଗୁଣ ଥାଏ ଏବଂ ଜଣେ ବଡ଼ ସମାଲୋଚକର ମଧ୍ୟ କବି ପଣ ଥାଏ । ତେଣୁ ପ୍ରାବନ୍ଧିକ କିମ୍ବା ସମାଲୋଚକଙ୍କ ସହ ଲେଖକୀୟ ଜୀବନର ପୂର୍ଣ୍ଣତା ପାଇଁ କବି ମାନେ ମଧ୍ୟ ପ୍ରବନ୍ଧ ଲେଖନ୍ତୁ । ତରୁଣ ଓ ପ୍ରବୀଣମାନେ ପ୍ରବନ୍ଧକୁ ଦୀପ୍ତ ସାହିତ୍ୟ ବିଭବ ରୂପେ ଗ୍ରହଣ କଲେ ସାଂସ୍କୃତିକ ଜୀବନ ସୁନ୍ଦର ହୋଇ ଉଠିବ । ଜଣେ ବିଦ୍ୟାନୁରାଗୀ ହିଁ ଉତ୍କୃଷ୍ଟ ସମାଲୋଚନା ଓ ପ୍ରବନ୍ଧ ରଚନା କରିପାରିବ । ଶୁକ୍ରବାର ‘ଆମ ଓଡ଼ିଶା’ କାର୍ଯ୍ୟ‌ାଳୟରେ ଆୟୋଜିତ ‘ସମ୍ବାଦ ସାହିତ୍ୟପକ୍ଷ’ର ସପ୍ତମ ସନ୍ଧ୍ୟାରେ ଆଶୀର୍ବଚନ ପ୍ରଦାନ କରି ଏହା କହିଛନ୍ତି ସାହିତ୍ୟିକ ତଥା ବିଶିଷ୍ଟ ସମାଲୋଚକ ଆଦିକନ୍ଦ ସାହୁ । 

Advertisment

ଷଷ୍ଠ ସନ୍ଧ୍ୟାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କୁ ‘ସାହିତ୍ୟ ସମାଲୋଚନା ଓ ପ୍ରବନ୍ଧ ସାହିତ୍ୟ’ ମଞ୍ଚ ଉତ୍ସର୍ଗ କରାଯାଇଥିଲା । ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ ଅତିଥିଙ୍କୁ ସ୍ବାଗତ କରି କହିଲେ, ୯୦ ବର୍ଷ ପୂର୍ବରୁ ୨୯ ନଭେମ୍ବରରୁ ୪ ଡିସେମ୍ବର ୧୯୩୫, ୬ ଦିନ ଧରି ‘ଉତ୍କଳ ସାହିତ୍ୟ ସମାଜ’ ଶ୍ରୀରାମଚନ୍ଦ୍ର ଭବନଠାରେ ଆୟୋଜିତ ହୋଇଥିଲା ସାରସ୍ବତ ଆସର । ନବଯୁଗ ସାହିତ୍ୟ ସଂସଦର ଜନ୍ମ ଦିନ ଅବସର ଥିଲା ଏବଂ ଏହାର ଉଦ୍ୟୋକ୍ତା ଥିଲେ ଭଗବତୀ ଚରଣ ପାଣିଗ୍ରାହୀ । ସେହିପରି ୫୩ ବର୍ଷ ପୂର୍ବରୁ ୨୮ ଫେବ୍ରୁଆରିରୁ ୪ ମାର୍ଚ୍ଚ ୧୯୬୨ ଯାଏ ୫ଦିନ ଧରି ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସେହି ଶ୍ରୀରାମଚନ୍ଦ୍ର ଭବନରେ ସାରସ୍ବତ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଆଜି ‘ସମ୍ବାଦ ସାହିତ୍ୟପକ୍ଷ’ର ସପ୍ତମ ସନ୍ଧ୍ୟା । ଏହି ପକ୍ଷ ଲଗାତାର ୧୫ ଦିନ ପାଳିତ ହେବ । ଏହା ‘ସମ୍ବାଦ’ର ଏକ ବଡ଼ କୀର୍ତ୍ତିମାନ । କାରଣ ଆଗରୁ ଲଗାତାର ୬ଦିନରୁ ଉର୍ଦ୍ଧ୍ବ ସମୟ ଧରି କୌଣସି ସାହିତ୍ୟ ସଭା କରାଯାଇନାହିଁ । ଏଥିପାଇଁ ସମସ୍ତ ଦର୍ଶକ ଓ ସହଯୋଗୀଙ୍କୁ ଶ୍ରୀମତୀ ପଟ୍ଟନାୟକ କୃତଜ୍ଞତା ଜଣାଇଥିଲେ । 

‘ସାହିତ୍ୟ ସମାଲୋଚନା: ସ୍ଥିତି ଓ ସମ୍ଭାବନା’ ବିଷୟକୁ ନେଇ ଲେଖକ ଜ୍ଞାନୀ ଦେବାଶିଷ ମିଶ୍ରଙ୍କ ସଂଚାଳନରେ ‘ଆଲୋଚନା’ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ‌ଲେଖିକା ସଂଘମିତ୍ରା ମିଶ୍ର କହିଲେ, ସମାଲୋଚନା ହେଉଛି ସାହିତ୍ୟର ମସ୍ତିସ୍କ । ଲେଖକ ବାବାଜୀ ପଟ୍ଟନାୟକ କହିଲେ, ସମାଲୋଚନା ସାହିତ୍ୟ କଷ୍ଟକର । ଏଥିପାଇଁ ଗବେଷଣା ଓ ସୃଜନଶୀଳତାର ଆବଶ୍ୟକତା ଅଛି ।  ଲେଖକ ଫଣୀନ୍ଦ୍ର ଭୂଷଣ ନନ୍ଦ ସମାଲୋଚନା ମାଧ୍ୟମରେ ସାହିତ୍ୟ ଉପଯୁକ୍ତ ଦିଗ୍‌ଦର୍ଶନ ପାଇଥାଏ ବୋଲି କହିଥିଲେ । 

VD4aVCbSliQNKBrt3NRt
Photograph: (kanaknews)

 

(ସ୍ତମ୍ଭ)ରେ ‘ବିମର୍ଶର ଦୃଷ୍ଟିପାତ’ ବିଷୟ ଉପରେ ସ୍ତମ୍ଭକାର ନେତାଜୀ ଅଭିନନ୍ଦନଙ୍କ ସଂଯୋଜନାରେ ୪ ଜଣ ଆଗଧାଡ଼ିର ସ୍ତମ୍ଭକାର ତଥା ସ୍ତମ୍ଭକାର ନିଜର ମତ ଉପସ୍ଥାପନ କରିଥିଲେ । ଲେଖକ ଅସିତ ମହାନ୍ତି କହିଲେ, ସମକାଳୀନ ଓ ସାଂପ୍ରତିକ ଘଟଣା ସ୍ତମ୍ଭରେ ପ୍ରତିଫଳନ ହେବା ଉଚିତ । ଅପ୍ରିୟତାର ସାମ୍ନା କଲେ ଭଲ ସ୍ତମ୍ଭ ଲେଖିହେବ । ସ୍ତମ୍ଭକାର ଅରବିନ୍ଦ ଦାସ କହିଲେ, ଏବେ ପ୍ରଜ୍ଞ‌ା ଜଗତ କବଳିତ । ରାଜନେତା ମାନେ ସ୍ତମ୍ଭରେ ଜାଗା ନେଉଛନ୍ତି । ଏଭଳି ସମୟରେ ସ୍ତମ୍ଭକାର ବା ବୁଦ୍ଧିଜୀବୀମାନେ ସତର୍କ ହେବାକୁ  ପଡ଼ିବ । ସରଳ ଭାଷାରେ ନୂଆ ନୂଆ ପ୍ରସଙ୍ଗକୁ ସ୍ତମ୍ଭକୁ ଆଣିବାକୁ ପଡ଼ିବ ଏବଂ ସ୍ତମ୍ଭକାରମାନେ ଡିଜିଟାଲ୍‌ ମାଧ୍ୟମକୁ କବଳିତ କରିବାକୁ ପଡ଼ିବ । ସ୍ତମ୍ଭକାର ସରଳ ଦାସ କହିଲେ, ସ୍ତମ୍ଭ ଲେଖିବା ପୂର୍ବରୁ ଗବେଷଣାର ଆବଶ୍ୟକତା ରହିଛି । ବିଷୟ, ଭାଷା ଓ ଉପସ୍ଥାପନା ଠିକ୍‌ ରହିଲେ ସ୍ତମ୍ଭ ଆଦୃତ ହେବ । ସ୍ତମ୍ଭକାର ଅଭିରାମ ବିଶ୍ବାଳ କହିଲେ, ସମ୍ଭର ଅନେକ ଆହ୍ବାନ ରହିଛି । ସ୍ତମ୍ଭ ସୃଜନଶୀଳ ଦୃଜନଶୀଳ ନୁହେଁ । ସ୍ତମ୍ଭରେ ଉଭୟ ପଦ୍ୟର କୋମ ସ୍ପର୍ଷ ଓ ଗଦ୍ୟର ଅନୁଶୀଳନ ଥାଏ । ହେଲେ ଉଭୟ ବରିଷ୍ଠ ଓ ତରୁଣମାନେ ସ୍ତମ୍ଭ ଆଡ଼କୁ ବିଶେଷ ଆଗ୍ରହ ପ୍ରକାଶ ନକରିବା ଚିନ୍ତାର ବିଷୟ । ଆଜି ସନ୍ଧ୍ୟାରେ ସଙ୍ଗୀତ ଗୁରୁ ଲକ୍ଷ୍ମୀକାନ୍ତ ପାଲିତ ସଙ୍ଗୀତ ପରିବେଷଣ କରିଥିବା ବେଳେ ପୁରୀର ଉଦିତ ନାରାୟଣ ବାରିକ ‘ନାଗାନୃତ୍ୟ’ ପରିବେଷଣ କରିଥିଲେ । 

ଏହି ଅବସରରେ ସମ୍ବାଦରେ ସ୍ତମ୍ଭ ଲେଖୁଥିବା ୫ ଜଣ ଲୋକପ୍ରିୟ ସ୍ତମ୍ଭକାର ଭଗବାନ ପ୍ରକାଶ (ବିକଳ୍ପ ବିଶ୍ବ), ଚିନ୍ମୟ ହୋତା (ଚିନ୍ମୟ ଚେତନା), ସୁଭାଷ ପଟ୍ଟନାୟକ (ସରସ ରସ), ଧନଞ୍ଜୟ ସ୍ବାଇଁ (ସୁରଞ୍ଜନଙ୍କ ଡାଏରି) ଏବଂ ଗୌରାଙ୍ଗ ଚରଣ ପରିଡ଼ା (ଗାନ୍ଧୀ ଦୃଷ୍ଟି)ଙ୍କୁ ସମ୍ମାନିତ କରାଯାଇଥିଲା । ‘ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ, ‘କନକ ନ୍ୟୁଜ୍‌’ର ସିଇଓ ରତିକାନ୍ତ ଶତପଥୀ ଓ ‘ସମ୍ବାଦ’ ଡିଜିଏମ୍‌ (ଫିଚର) ସିଦ୍ଧାର୍ଥ ମହାପାତ୍ର ଅତିଥିଙ୍କୁ ସମ୍ମାନିତ କରିଥିଲେ । ‘ସମ୍ବାଦ’ର ଡେପୁଟି ଏଡିଟର ଧୃତିକାମ ମହାନ୍ତି ଧନ୍ୟବାଦ ଦେଇଥିଲେ । 

ଆର୍‌ଜେ ଅନିଲ୍‌ ପ୍ର‌ଶ୍ନ-ଉତ୍ତର ପରିଚାଳନା କରିଥିବାବେଳେ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଆସନ୍ତାକାଲି ‘ସମ୍ବାଦ ସାହିତ୍ୟପକ୍ଷ’ର ଅଷ୍ଟମ ଦିନର ବିଷୟ ରହିଛି ‘ଜୀବନୀ ଆତ୍ମଜୀବନୀ’ ।