କନକ ବ୍ୟୁରୋ : ଆଫଗାନିସ୍ତାନରେ ଏକ ଭୟଙ୍କର ବସ୍ ଦୁର୍ଘଟଣାରେ ୭୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁସାରେ, ବସଟି ପ୍ରବାସୀମାନଙ୍କୁ ନେଇ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ପରେ ନିଆଁ ଲାଗି ଜଳି ଯାଇଥିଲା । ସ୍ଥାନୀୟ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ, କିନ୍ତୁ ନିଆଁ ସେତେବେଳକୁ ବସରେ ଅଧିକ ମାତ୍ରାରେ ବ୍ୟାପୀ ଯାଇଥିଲା । ଆଫଗାନ୍ କର୍ତ୍ତୃପକ୍ଷ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ମୃତକ ଓ ଆହତ ପରିବାରଙ୍କୁ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ତାଲିବାନ ମୁଖପାତ୍ର ଅହମଦୁଲ୍ଲା ମୁତାକି କହିଛନ୍ତି, ଇରାନରୁ ଫେରୁଥିବା ଆଫଗାନୀ ନାଗରିକ, ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍ ଏକ ଟ୍ରକ୍ ଏବଂ ମୋଟରସାଇକେଲ ସହିତ ଧକ୍କା ହେବା ପରେ ବସରେ ନିଆଁ ଲାଗିଯାଇଥିଲା । ହେରାତ ପୁଲିସ କହିଛି, ବସର ଅତ୍ୟଧିକ ଗତି ଏବଂ ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିଛି । ଆଫଗାନିସ୍ତାନରେ ଦୁର୍ଘଟଣା କିଛି ନୂଆ ନୁହେଁ, ଗତ ବର୍ଷ ଡିସେମ୍ବରରେ କେନ୍ଦ୍ରୀୟ ଆଫଗାନିସ୍ତାନର ରାଜପଥରେ ଏକ ବସ୍, ଏକ ଇନ୍ଧନ ଟ୍ୟାଙ୍କର୍ ଏବଂ ଏକ ଟ୍ରକ୍ ସହିତ ହୋଇଥିବା ଦୁଇଟି ଦୁର୍ଘଟଣାରେ ଅତି କମରେ ୫୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ନାଇଜେରିଆରେ ଘଟିଥିବା ଗୁଳିକାଣ୍ଡ ଘଟଣା ସମଗ୍ର ବିଶ୍ବକୁ ସ୍ତବ୍ଧ କରିଦେଇଛି । ଉତ୍ତର ନାଇଜେରିଆର ବୋର୍ନୋ ରାଜ୍ୟରେ ଏକ ମସଜିଦ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଅତି କମରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଦୁର୍ବୃତ୍ତ ଆକ୍ରମଣକାରୀ ମସଜିଦରେ ନମାଜ ପଢ଼ୁଥିବା ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ରିପୋର୍ଟ ହୋଇଛି । ସ୍ଥାନୀୟ ପୁଲିସ ଓ ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଆକ୍ରମଣ ପଛରେ କାହାର ହାତ ଅଛି ତାହା ଏପର୍ଯ୍ୟନ୍ତ  ସ୍ପଷ୍ଟ ହୋଇନାହିଁ। ସ୍ଥାନୀୟ ଲୋକମାନେ ଏହି ଘଟଣାକୁ ନିନ୍ଦା କରିଛନ୍ତି ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି ।