କନକ ବ୍ୟୁରୋ : ଦେଶ ସ୍ୱାଧୀନ ହେବାର ୭୮ ବର୍ଷ ବିତିଗଲାଣି । ମଣିଷ ଯାଇ ଚନ୍ଦ୍ରରେ ପହଞ୍ଚିଗଲାଣି । ହେଲେ ଆଜି ଅନେକ ଲୋକ ରାସ୍ତା କ’ଣ ଜାଣନ୍ତିନି । ହଣ୍ଡାରେ ବସି ନଦୀ ପାର ହୋଇ ଦୁନିଆ ଦେଖିବାକୁ ପଡ଼େ । ପ୍ରଶାସନ, ନେତା ମନ୍ତ୍ରୀ ସବୁ ଜାଣିଶୁଣି ଆଖିବୁଜି ଦିଅନ୍ତି ।
ହଣ୍ଡାରେ ଛୋଟ ଛୋଟ ପିଲା ବସି ପାର ହେଉଛନ୍ତି ଭରା ନଦୀ । ଏହା ନିହାତି ଭାବେ ସଭ୍ୟ ସମାଜକୁ ବିଚଳିତ କରିପାରେ, କିନ୍ତୁ ଆଜି ବି ଏମିତି ବଞ୍ଚୁଛନ୍ତି ଲୋକେ । ଜୀବନ ଜୀବିକା ପାଇଁ ଦୈନିକ ଜୀବନକୁ ବାଜି ଲଗାଉଛନ୍ତି । ସେମାନଙ୍କ ଏ ଦୁର୍ଦ୍ଦଶା ସରକାରୀ ବାବୁଙ୍କ ଆଖିରେ ପଡ଼ୁନି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ପଞ୍ଚାୟତର ଡୁମୁରିଗାଟା ଗାଁ । ଗାଁକୁ ରାସ୍ତା ନାହିଁ, କି ବାଘ ନଦୀ ଉପରେ ପୋଲ ନାହିଁ । କେଉଁଠିକି ଯିବାକୁ ହେଲେ ନଦୀ ଭିତରେ ଏମିତି ହଣ୍ଡାରେ ପଶି କିମ୍ବା ରଶି ସାହାଯ୍ୟରେ ଯାତାୟାତ କରନ୍ତି ଲୋକ ।
ପ୍ରଶାସନଠୁ ଆରମ୍ଭ କରି ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଏନେଇ ଅଭିଯୋଗ କରାଯାଇଛି । ହେଲେ କିଛି ସୁଫଳ ମିଳୁନି । ଅନ୍ୟପଟେ ଖୁବଶୀଘ୍ର ବ୍ରିଜ୍ ନିର୍ମାଣ ଆରମ୍ଭ ହେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଫୁଲବାଣୀ ବିଧାୟକ । ବିଧାୟକଙ୍କ ପ୍ରତିଶ୍ରୁତି ବାସ୍ତବ ରୂପ ନେବ ନା ପାଣିର ଗାର ଭଳି ମିଳେଇଯିବ ତାକୁ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/30/roadside-struggles-2025-10-30-18-35-03.jpg)