କନକ ବ୍ୟୁରୋ : ରେଲୱେ କର୍ମଚାରୀଙ୍କୁ ବୋନସ୍ ଏବଂ କୃଷକଙ୍କ ପାଇଁ ୧ ଲକ୍ଷ କୋଟିର ୨ଟି ଯୋଜନା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ଆଜି ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କୃଷକମାନଙ୍କ ଆୟ ବଢାଇବା ପାଇଁ ୨ଟି ବଡ଼ ଯୋଜନାକୁ ଆଜି କ୍ୟାବିନେଟରେ ମଞ୍ଜୁର ମିଳିଛି । ପିଏମ୍ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଏବଂ କୃଷି ଉନ୍ନତି ଯୋଜନା ଅଧୀନରେ କୃଷକମାନଙ୍କ ଆୟ ବଢାଇବା ଓ ମଧ୍ୟମ ବର୍ଗ ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଉପରେ କ୍ୟାବିନେଟ୍ ମୋହର ବାଜିଛି । ଏହି ଦୁଇ ଯୋଜନା ପାଇଁ ୧ ଲକ୍ଷ ୧ ହଜାର ୩୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ରେଲୱେ କର୍ମଚାରୀଙ୍କ ପାଇଁ ଦିୱାଲି ଭେଟି ଘୋଷଣା ହୋଇଛି । ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍ । କେନ୍ଦ୍ର କ୍ୟାବିନେଟରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଥିବା ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି । 

Advertisment

ବୋନସ୍ ବାବଦକୁ ୨ହଜାର ୨୯ କୋଟି ଟଙ୍କା କ୍ୟାବିନେଟରେ ମଞ୍ଜୁର ହୋଇଛି । ଏହାଦ୍ବାରା ଉପକୃତ ହେବେ ୧୧ ଲକ୍ଷ ୭୨ ହଜାର ୨୪୦ ଜଣ ରେଳ କର୍ମଚାରୀ । କର୍ମଚାରୀଙ୍କ ଭଲ ପ୍ରଦର୍ଶନ ଆଧାରରେ ଏହି ବୋନସ୍ ମିଳିବ ବୋଲି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ । ଏହାବ୍ୟତୀତ ଚେନ୍ନାଇ ମେଟ୍ରୋ ଫେଜ୍-ଟୁ’କୁ ମଧ୍ୟ ମଞ୍ଜୁରୀ ମିଳିଛି । ଯେଉଁଥିପାଇଁ ଖର୍ଚ୍ଚ ହେବ ୬୩ ହଜାର ୨୪୬ କୋଟି ଟଙ୍କା । ଆଉ ୫ଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ । ବେଙ୍ଗଲି, ମରାଠୀ, ଅହମିୟା, ପାଲି ଓ ପ୍ରାକୃତ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବ । ପୂର୍ବରୁ ୬ଟି ଭାଷା ଓଡ଼ିଆ, ସଂସ୍କୃତ, ତେଲୁଗୁ, ତାମିଲ, କନ୍ନଡ଼ ଓ ମାଲୟାଲମ୍ ଭାଷାକୁ ଶାସ୍ତ୍ରୀ ମାନ୍ୟତା ଦିଆଯାଇଥିଲା । କ୍ୟାବିନେଟରେ ଅନୁମୋଦନ ମିଳିଥିବା ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଖାଇବା ତେଲ-ତୈଳବୀଜ ଉପରେ ଜାତୀୟ ମିଶନକୁ ଅନୁମୋଦନ । ୨୦୨୪-୨୫ରୁ ୨୦୩୦-୩୧ ଏହି ୭ ବର୍ଷ ମଧ୍ୟରେ ତୈଳବୀଜ ଉତ୍ପାଦନରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଏହି ମିଶନର ଲକ୍ଷ୍ୟ । ଉନ୍ନତ ମାନର ବିହନ ଠିକ୍ ସମୟରେ ଉପଲବ୍ଧ କରାଇବା ପାଇଁ ଅଂଶୀଦାର ମାନଙ୍କ ସହ ସମନ୍ବୟ ରକ୍ଷା କରିବା ଲାଗି ମିଶନ ସାଥୀ ପୋଟାଲ ଆରମ୍ଭ କରିବ ଏହି ମିଶନ୍ ।