କନକ ବ୍ୟୁରୋ : ଜୁନ ୧୩ ତାରିଖରୁ ଇସ୍ରାଏଲ ଓ ଇରାନ ମଧ୍ୟରେ ଆରମ୍ଭ ହୋଇସାରିଛି ଯୁଦ୍ଧ । ଏହି ଯୁଦ୍ଧକୁ ଦେଖି ଏବେ ସାରା ବିଶ୍ୱ ଚକିତ ହୋଇପଡିଛି । ଏହା ପୂର୍ବରୁ ମଧ୍ୟ ଋଷ-ୟୁକ୍ରେନ, ଭାରତ-ପାକିସ୍ତାନ, ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧକୁ ନେଇ ବିଶ୍ୱ ଅଶାନ୍ତ ହୋଇପଡିଥିଲା । ଏଭଳି ଯୁଦ୍ଧ ଭିତରେ ଏକ ରିପୋର୍ଟ ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ଖଲିଜ ଟାଇମ୍ସରରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ ସାରା ବିଶ୍ୱର ୫୯ ଟି ଦେଶ ମଧ୍ୟରେ ଏବେ ଘମାଘୋଟ ଲଢେଇ ଜାରି ରହିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ସବୁଠାରୁ ଯୁଦ୍ଧ ବୋଲି କୁହାଯାଉଛି ।
ଗତବର୍ଷ ତୁଳନାରେ ୩ ଗୁଣା ବଢିଛି ଯୁଦ୍ଧ
ଗ୍ଲୋବାଲ ପିସ୍ ଇଣ୍ଡେକ୍ସ ର ସଦ୍ୟ ରିପୋର୍ଟ ମୁତାବକ ଗତବର୍ଷ ତୁଳନାରେ ଚଳିତ ବର୍ଷ ବିଶ୍ୱରେ ୩ ଗୁଣା ଯୁଦ୍ଧ ବୃଦ୍ଧି ପାଇଛି । ଇନଷ୍ଟିଚ୍ୟୁଟ୍ ଫର ଇକୋନୋମିକସ ଆଣ୍ଡ ପିସ୍ ତରଫରୁ ଜାରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି କି, ଏବେ ବିଶ୍ୱର ୭୮ ଟି ଦେଶ କୌଣସି ନା କୌଣସି କାରଣକୁ ନେଇ ପରସ୍ପର ମଧ୍ୟରେ ଲଢେଇ ଜାରି ରଖିଛନ୍ତି । ଏସବୁ ଯୁଦ୍ଧର ପ୍ରମୁଖ କାରଣ ରହିଛି ସୀମା ବିବାଦ । ସାରା ବିଶ୍ୱର ନଜର ଏବେ ଋଷ-ୟୁକ୍ରେନ, ଇସ୍ରାଏଲ-ପାଲେଷ୍ଟାଇନ, ଆମେରିକା-ଋଷ, ଚୀନ-ଆମେରିକା, ଇରାନ-ଆମେରିକା, ଇସ୍ରାଏଲ-ସିିରିୟା, ଆର୍ମେନିଆ-ଅଜରବୈଜାନ, ୟମେନ-ସାଉଦିଆରବ, ଆମେରିକା-ଋଷ, ଆମେରିକା-ଭେନଜୁଏଲା, ଭାରତ-ପାକିସ୍ତାନ, ତୁର୍କୀ-ଆମେରିକା, ଉତ୍ତରକୋରିଆ-ଆମେରିକା, ଜର୍ମାନ-ଋଷ, ଚୀନ-ତାଇୱାନ ଓ ଅନେକ ଆଫ୍ରିକୀୟ ଦେଶ ଯୁଦ୍ଧରେ ସାମିଲ ଅଛନ୍ତି ।
କ'ଣ କହୁଛି ରିପୋର୍ଟ ?
ଏହି ରିପୋର୍ଟରେ ୧୬୩ ଟି ସ୍ୱତନ୍ତ୍ର ରାଜ୍ୟ ଓ କ୍ଷେତ୍ରର ଶାନ୍ତି ସ୍ତରକୁ ନେଇ ରାକିଂ କରାଯାଇଛି । ଯେଉଁଥିରେ ବିଶ୍ୱର ୯୯.୭ ପ୍ରତିଶତ ଜନତାଙ୍କୁ ସାମିଲ କରାଯାଇଛି । ଏଥିରେ କୁହାଯାଉଛି କି, ଯୁଦ୍ଧ ଦିନକୁ ଦିନ ଅଧିକ ଅନ୍ତରାଷ୍ଟ୍ରୀୟ ହେବାରେ ଲାଗିଛି । ଫଳରେ ସମାଧାନର ରାସ୍ତା କଠିନ ହେବାରେ ଲାଗିଛି । ଅଧିକାଂଶ ଦେଶ ଏବେ ସୀମା ବିବାଦକୁ ନେଇ ଯୁଦ୍ଧରେ ମାତିଛନ୍ତି । ଯେଉଁଥିରେ ଭୂ ରାଜନୈତିକ ବିଖଣ୍ଡନ, ପ୍ରମୁଖ ଶକ୍ତି ବୋଲି ପ୍ରତିପାଦିତ କରିବା ।
କେଉଁଠି ଯୁଦ୍ଧ କେଉଁଠି ଶାନ୍ତି
ଚଳିତ ବର୍ଷ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ ଗତବର୍ଷ ତୁଳନାରେ ଚଳିତ ବର୍ଷ ବିଶ୍ୱରେ ଶାନ୍ତିର ସ୍ତର ୦.୩୬ ପ୍ରତିଶତ ହ୍ରାସ ପାଇଛି । ଏଥିରେ ୭୪ ଟି ଦେଶରେ ଶାନ୍ତି ବୃଦ୍ଧି ପାଇଛି ଓ ୭୮ ଟି ଦେଶରେ ଶାନ୍ତି କମିଛି । ଆଇସିଲ୍ୟାଣ୍ଡ ବିଶ୍ୱର ସବୁଠାରୁ ଶାନ୍ତିପୂର୍ଣ୍ଣ ଦେଶ । ୨୦୦୮ ରୁ ଏହି ସ୍ଥାନ ବଜାୟ ରହିଛି । ଶାନ୍ତି ସୂଚକାଙ୍କ ଶୀର୍ଷରେ ଆୟରଲ୍ୟାଣ୍ଡ, ଅଷ୍ଟ୍ରିଆ, ନ୍ୟୁଜିଲ୍ୟାଣ୍ଡ, ଓ ସୁଇଜରଲ୍ୟାଣ୍ଡ ସାମିଲ । ସେପଟେ ଅଶାନ୍ତି ବଢିଥିବା ଦେଶ ଭିତରେ ଏବେ ଋଷ ସବୁଠାରୁ ଶୀର୍ଷରେ ରହିଛି । ଏହା ତଳକୁ ୟୁକ୍ରେନ, ସୁଦାନ, କଙ୍ଗୋ, ଓ ୟେମନ ରହିଛି । କ୍ଷେତ୍ରୀୟ ଭାବେ ପଶ୍ଚିମ ଓ ମଧ୍ୟ ୟୁରୋପୀୟ ଦେଶ ବିଶ୍ୱର ସବୁଠାରୁ ଶାନ୍ତିପୂର୍ଣ୍ଣ ଦେଶ ଏବଂ ମଧ୍ୟପୂର୍ବ ଓ ଉତ୍ତର ଆଫ୍ରିକୀୟ ଦେଶଗୁଡିକରେ ଶାନ୍ତି ହ୍ରାସ ପାଇବାରେ ଲାଗିଛି । ଯଦି ଏସିଆ ମହାଦେଶ କଥା ଦେଖିବା ତେବେ ଦକ୍ଷିଣ ଏସିଆ ଏବେ କମ୍ ଶାନ୍ତିପୂର୍ଣ୍ଣ ଦେଶ ।