କନକ ବ୍ୟୁରୋ:  ତାତି, ଗ୍ରୀଷ୍ମ ପ୍ରବାହ ନେଇ ବିଶ୍ବବ୍ୟାଙ୍କର ଚେତାବନୀ । ଜଳବାୟୁ ଯନ୍ତ୍ରଣା ଆଗକୁ ଅସହ୍ୟ ହେବ ବୋଲି ଚେତାଇ ଦେଇଛି ବିଶ୍ବବ୍ୟାଙ୍କ । ଜଳବାୟୁ ସଙ୍କଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବ୍ୟବସାୟିକ ସଂସ୍ଥା ପର୍ଯ୍ୟନ୍ତ କେହି ଏଥିରୁ ନିସ୍ତାର ପାଇବେନାହିଁ । 

Advertisment

ବିଶ୍ବବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ, ଗତ ୫ ବର୍ଷ ମଧ୍ୟରେ ୬୦ ପ୍ରତିଶତରୁ ଅଧିକ ପରିବାର ଓ ସଂସ୍ଥା ଜଳବାୟୁ ଜନିତ ଚରମ ଘଟଣାର ପ୍ରଭାବକୁ ଅନୁଭୂତ କରିଛନ୍ତି । ଆସନ୍ତା ଦଶନ୍ଧିରେ ଏଭଳି ଘଟଣା ଦ୍ବାରା ୭୫ ପ୍ରତିଶତରୁ ଅଧିକ ପରିବାର ଓ ସଂସ୍ଥା ପ୍ରଭାବିତ ହେବେ ବୋଲି ଆକଳନ କରିଛି ବିଶ୍ବ ବ୍ୟାଙ୍କ । ବିଶ୍ବବ୍ୟାଙ୍କ ଜଣାଇଛି ଯେ ଦକ୍ଷିଣ ଏସିଆରେ ୯୦ ପ୍ରତିଶତରୁ ଅଧିକ ଲୋକ ଜଳବାୟୁ ପରିବର୍ତ୍ତନ ଦ୍ବାରା ବିଶେଷ ଭାବେ ପ୍ରଭାବିତ ହେବେ । ଗ୍ରୀଷ୍ମ ପ୍ରବାହ ଚରମସୀମାରେ ପହଞ୍ଚିବ । ୨୦୩୦ ସୁଦ୍ଧା ପ୍ରତି ୫ ଜଣରୁ ଜଣେ ବନ୍ୟା ଦ୍ବାରା କ୍ଷତିଗ୍ରସ୍ତ ହେବେ । ଆସନ୍ତା ବର୍ଷମାନଙ୍କରେ ଏହି ଅଞ୍ଚଳର ୮୯ ପ୍ରତିଶତ ଲୋକ ପ୍ରବଳ ଭୀଷଣ ଗରମ ଅନୁଭବ କରିବେ । ୨୨ ପ୍ରତିଶତ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହେବେ । ଗରିବ ଓ ଚାଷ ଉପରେ ନିର୍ଭରଶୀଳ ପରିବାରଗୁଡ଼ିକ ଉପରେ ଅଧିକ ଚାପ ପଡ଼ିବ । 

ଜଳବାୟୁ ପରିବର୍ତ୍ତନ ଦ୍ବାରା ମାନବ ପୁଞ୍ଜି ଓ ସମ୍ପତ୍ତି ନଷ୍ଟ ହେବ । ଲୋକମାନଙ୍କର ଆୟ ହ୍ରାସ ପାଇବ । ଏହି ଗୁରୁତର ସଙ୍କଟ ପୂର୍ବରୁ ଯଦି ଲୋକମାନଙ୍କୁ ଆଗୁଆ ସତର୍କ ସୂଚନା ମିଳିବ, ତେବେ ସେମାନେ  ପଦକ୍ଷେପ ନେଇପାରିବେ ବୋଲି ବିଶ୍ବବ୍ୟାଙ୍କ କହିଛି । ବିଶେଷ କରି ସମ୍ବେଦନଶୀଳ ଉପକୂଳ ଅଞ୍ଚଳ ଓ ନଦୀର ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ପାଇଁ ବାତ୍ୟା ଓ ବନ୍ୟାର ଆଗୁଆ ସୂଚନା ଜରୁରି । କିନ୍ତୁ ଏହି ଅଞ୍ଚଳର ଅଧାରୁ ଅଧିକ ଲୋକଙ୍କ ପାଖରେ ସେହି ସତର୍କ ସୂଚନା ପହଞ୍ଚୁନଥିବାରୁ ବିଶ୍ବବ୍ୟାଙ୍କ ଚିନ୍ତା ପ୍ରକାଶ କରିଛି ।