କନକ ବ୍ୟୁରୋ: ନାମିବ୍ୟାରେ ଭୟଙ୍କର ହେଉଛି ଅନାହାର ସ୍ଥିତି । ଦୁର୍ଭିକ୍ଷରୁ ଲୋକଙ୍କ ଜୀବନ ବଞ୍ଚାଇବାକୁ ହତ୍ୟା କରାଯିବେ ଜଙ୍ଗଲି ଜୀବ । ପରିସ୍ଥିତି ଭୟଙ୍କର ହେବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସେଠାକାର ସରକାର ।
ଅନାହାର ମୃତ୍ୟୁ ରୋକିବାକୁ ୭୨୩ଟି ଜଙ୍ଗଲୀ ଜୀବଙ୍କୁ ହତ୍ୟା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୮୩ ହାତୀ, ୩୦୦ ଜେବ୍ରା, ୩୦ ଜଳହସ୍ତୀ, ୬୦ ମଇଁଷି, ହରିଣ ଭଳି ୭୨୩ ଜୀବଙ୍କୁ ହତ୍ୟା କରାଯିବ । ୧୦୦ ବର୍ଷ ମଧ୍ୟରେ ଏହା ହେଉଛି ସବୁଠୁ ବଡ଼ ମରୁଡ଼ି ପରିସ୍ଥିତି ।
ବର୍ଷା ଅଭାବରୁ ଖାଦ୍ୟ ଅଭାବ ଦେଖାଦେଇଛି । ଲୋକଙ୍କୁ ପାଣି ମୁନ୍ଦେ ମଧ୍ୟ ପିଇବାକୁ ମିଳୁ ନାହିଁ । ଦେଶର ଶୀତଳ ଭଣ୍ଡାର ଓ ଗୋଦାମ ମଧ୍ୟ ଖାଲି ହୋଇ ସାରିଲାଣି । ଅନାହାର ଯୋଗୁଁ ଖାଇବାକୁ ନପାଇ ଲୋକେ ପ୍ରାଣ ହରାଉଛନ୍ତି । ତେଣୁ ଜଙ୍ଗଲି ଜୀବଙ୍କୁ ମାରି ନିଜ ଦେଶର ନାଗରିକଙ୍କ ଜୀବନ ରକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।
ତେବେ ନାମିବ୍ୟା ପରିବେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଯେଉଁ ଜୀବ ଦୁର୍ବଳ ଥିବେ କେବଳ ସେମାନଙ୍କୁ ହିଁ ମରାଯିବ । ଖୁବଶୀଘ୍ର ଏହି ଦୁର୍ବଳ ଜୀବଙ୍କୁ ଚିହ୍ନଟ କରିବା ସହ ଏମାନଙ୍କୁ ମାରିବା ପାଇଁ ତାଲିମପ୍ରାପ୍ତ ଶିକାରୀଙ୍କୁ ନିଯୁକ୍ତ କରାଯିବ । ଏଥିପାଇଁ କିଛି କମ୍ପାନି ଗଡ଼ିକୁ ମଧ୍ୟ ଠିକା ଦିଆଯିବ । ବର୍ତ୍ତମାନ ସୁଦ୍ଧା ୧୫୭ ଜୀବଙ୍କ ଶିକାର କରାଯାଥିବା ମଧ୍ୟ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଏହି ଶିକାର ଫଳରେ ସରକାରଙ୍କୁ ୫୬ ହଜାର ୮୦୦ କିଲୋଗ୍ରାମ ମାଂସ ମିଳିଛି ।