କନକ ବ୍ୟୁରୋ : ଓଡ଼ିଶା ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏବେ ଓଡ଼ିଆ ଭାଷା ବିଲୁପ୍ତ ପ୍ରାୟ । ଗାଁର ୭୦ ପ୍ରତିଶତ ଲୋକେ ତେଲୁଗୁ ଓ ପାରମ୍ପରିକ କନ୍ଧ ଭାଷା କହୁଥିବା ବେଳେ ଓଡ଼ିଆ ଭାଷା ବୁଝିବା ଓ କହିବା ସେମାନଙ୍କ ପାଇଁ କଷ୍ଟକର । ପ୍ରାଶାସନିକ ଅବହେଳା ଓ ଗାଁରେ ଅଙ୍ଗନବା ଡ଼ି କି ସ୍କୁଲ ନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ସୁନାମଗୋଇ ଗାଁ । ୩୦ରୁ ଅଧିକ ପରିବାର ବସବାସ କରୁଥିବା ଗାଁରେ ନାହିଁ ପକ୍କାଘର । ମାଟି ଟିଣ ଛପର କୁଡ଼ିଆରେ କଟେ ସମସ୍ତଙ୍କ ଜୀବନ । ଆନ୍ଧ୍ର ସୀମାରେ ଥିବାରୁ ୭୦% ଲୋକେ ତେଲୁଗୁ ଭାଷାରେ କଥା ହୁଅନ୍ତି । ଓଡ଼ିଶା ଗାଁରେ କେହି ଓଡ଼ିଆ ଭାଷାରେ କଥା ହୁଅନ୍ତିନି କି ବୁଝନ୍ତିନି ।
ସୁନାମଗୋଇ ଗାଁରେ ୧୦ରୁ ୧୫ ଜଣ ବୃଦ୍ଧବୃଦ୍ଧା ଅଛନ୍ତି । ସେମାନଙ୍କୁ ମିଳିପାରୁନି ବାର୍ଦ୍ଧକ୍ୟ ଭତ୍ତା । ଅନେକ ହିତାଧିକାରୀଙ୍କ ପାଖରେ ନାହିଁ ରାସନକାର୍ଡ । ଏଠାରେ ୩୦ ବର୍ଷ ତଳୁ ବିଦ୍ୟାଳୟ ରହିଛି । ହେଲେ ବର୍ଷବର୍ଷ ଧରି ଶିକ୍ଷକମାନେ ଆସୁନଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ଛୋଟରୁ ବଡ଼ ସମସ୍ତେ ଓଡ଼ିଆ ଭାଷା ଜ୍ଞାନରୁ ବଞ୍ଚିତ ହୋଇ ତେଲୁଗୁ ଓ ସ୍ଥାନୀୟ ଭାଷାରେ କଥା ହୁଅନ୍ତି । କେବଳ ସୁନାମଗୋଇ ଗାଁ ନୁହେଁ, ପାଖରେ ଥିବା ଶୁଆପାଲି, କାଞ୍ଚନପେଟା, ନେରୁଡ଼ପାଲି ଗାଁରେ ଏବେ ତେଲୁଗୁ ଭାଷା ହିଁ ମୁଖ୍ୟ ଭାଷା ! ବେଳ ଥାଉଥାଉ ଏସବୁ ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରଚାରପ୍ରସାର କରାନଗଲେ, ଓଡ଼ିଆ ଲୋକଙ୍କୁ ଆନ୍ଧ୍ର ଭାଷାଠୁ ଦୂରେଇବା କଷ୍ଟକର ହୋଇପଡ଼ିବ ।