Project Lies Defunc Photograph: (Kanak News)
ରନକ ବ୍ୟୁରୋ : ପାଣି ଅଭାବରୁ ଚାଷୀର ଫସଲ ନଷ୍ଟ ନ ହେଉ । ମରୁଡ଼ି ସ୍ଥିତି ଦୂର ହେଉ । ଉଚ୍ଚ ସ୍ଥାନରେ ଥିବା ଚାଷ ଜମିକୁ ବି ପାଣି ସଠିକ ଭାବେ ମାଡ଼ିବ । ଯାହାଦ୍ୱାରା ଚାଷ ଜମିରେ ଉଚିତ ମାତ୍ରରେ ଜଳସେଚନ ହୋଇପାରିବ । ଏଭଳି ଲକ୍ଷ୍ୟ ନେଇ ପାଣି ପଞ୍ଚାୟତ ଯୋଜନା ଆରମ୍ଭ କରିଥିଲେ ତତ୍କାଳୀନ ସରକାର । ହେଲେ କଟକ ଜିଲ୍ଲା ଡମପଡା ବ୍ଲକରେ ଚଳିତ ବର୍ଷ ପାଣି ପଂଚାୟତ ଅଚଳ ହୋଇପଡିବା ଯୋଗୁଁ ଶହଶହ ହେକ୍ଟର ଚାଷଜମି ପଡିଆ ପଡିଛି । ତୁରନ୍ତ ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଇବାକୁ ଚାଷୀ ଦାବି କରିଛନ୍ତି ।
କଟକ ଜିଲ୍ଲା ଡମପଡା ବ୍ଲକ ଅନ୍ତର୍ଗତ କୁଶପଙ୍ଗୀ ପଞ୍ଚାୟତରେ ଅଚଳ ହୋଇପଡ଼ିଛି ପାଣି ପଞ୍ଚାୟତ । ଶହଶହ ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଛି । ପାଣି ଅଭାବରୁ ଚାଷ କରିନପାରି ଚାଷୀ ଏବେ ଚିନ୍ତାରେ । କେମିତି ପରିବାର ଚଳିବ, କେମିତି କରଜ ସୁଝା ହେବ । କୁଶପଙ୍ଗୀର ପାଣି ପଞ୍ଚାୟତ ମେସିନ୍ ବସାଯିବା ସ୍ଥାନରେ ହୋଇଛି ବାଲିର ପାହାଡ଼ । କେଉଁଠି ପାଣି ପାଇପ କଳଙ୍କି ଲାଗିଲାଣି ତ’ ଆଉ କେଉଁଠି ଭାଙ୍ଗିରୁଜି ଗଲାଣି । ସେପଟେ ଜାତମୁଣ୍ଡିଆ ନିକଟ ମହାନଦୀର ଘାସିପୁଟ ଘାଟରେ ଥିବା ଉଠାଜଳସେଚନ ପ୍ରକଳ୍ପ କାମ କରୁନି । ୭୦ ଲକ୍ଷ ଟଙ୍କାର ପ୍ରକଳ୍ପ ୩ ବର୍ଷ ହେଲାଣି ଅଚଳ ହୋଇପଡ଼ିଛି । ଲକ୍ଷାଧିକ ଟଙ୍କାର ପାଇପ ଓ ମେସିନ ନଷ୍ଟ ହୋଇଗଲାଣି । ଟ୍ରାନ୍ସଫର୍ମର ବସିଛି, କିନ୍ତୁ ବିଦ୍ୟୁତ ସଂଯୋଗ କରାଯାଇନି ।
ଅଧିକ ପଢ଼ନ୍ତୁ : ରାସ୍ତା କହୁଛି ଦୁର୍ନୀତିର କଥା; କାମ ଦୁର୍ବଳ, ପିସି ପ୍ରବଳ !
କୁଶପଙ୍ଗୀ ପଞ୍ଚାୟତରୁ ବାଙ୍କୀ ବଜାରକୁ ପନିପରିବା ଯୋଗାଇଥାଏ । କିନ୍ତୁ ଏଠି ଚାଷ ଅଭାବରୁ ପରିବା ଦର ଆକାଶଛୁଆଁ ହୋଇଯାଇଛି । ତୁରନ୍ତ ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାନଗଲେ ରାଜରାସ୍ତାରେ ଧାରଣା ନେଇ ଚେତାବନୀ ଦେଇଛନ୍ତି ଚାଷୀ ।
ଏନେଇ ଡମପଡା ବ୍ଲକର ଉଠା ଜଳସେଚନ ବିଭାଗର ବିଭାଗୀୟ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କୁ ଯୋଗାଯୋଗ କରାଯାଇଥିଲା । ବାଙ୍କୀ ଓ ଡମପଡ଼ାରେ ପ୍ରାୟ ୭୦% ପଞ୍ଚାୟତରେ ପ୍ରକଳ୍ପ ଠିକ ଭାବେ କାମ କରୁଛି । ଯେଉଁ ପଞ୍ଚାୟତରେ ସମସ୍ୟା ଅଛି ତାର ଯଥାଶୀଘ୍ର ସମାଧାନ ହେବ ବୋଲି ଯନ୍ତ୍ରୀ କହିଛନ୍ତି ।
Follow Us