କନକ ବ୍ୟୁରୋ: ରାସନକାର୍ଡ ହିତାଧିକାରୀଙ୍କ ତଣ୍ଟିରେ କଣ୍ଟା ସାଜିଲାଣି ଇ-କେୱାଇସି । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପାଖାପାଖି ୭୦ ଲକ୍ଷ ହିତାଧିକାରୀ ଏପର୍ଯ୍ୟନ୍ତ କରିନାହାଁନ୍ତି ଅପଡେଟ । ଖାଉଟି କାର୍ଡ ତାଲିକାରୁ ବାଦ ପଡିବା ନେଇ ଆଶଙ୍କା ବଢ଼ିଲା । ଏପଟେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ କରିବାର ସମୟ ସୀମା ଶେଷ ହୋଇଆସୁଛି । ଏତିକିବେଳେ ଲକ୍ଷାଧିକ ହିତାଧିକାରୀ ବାଦ ପଡ଼ିବା ନେଇ ଆଶଙ୍କା ଉପୁଜିଛି ।
କାରଣ ଅନେକ ଲୋକ ଏ ବାବଦରେ ସଚେତନ ନଥିବା କହିଛନ୍ତି । ସେପଟେ ନେଟୱାର୍କ ସମସ୍ୟା ମଧ୍ୟ ଇ-କେୱାଇସ ଅପଡେଟ୍ କରିବାରେ ବଡ଼ ବାଧକ ସାଜିଛି । ଏବେ ବି ୬୯ ଲକ୍ଷ ୪୯ ହଜାର ୯୮୦ ଜଣ ଇ-କେୱାଇସି ଅପଡେଟ୍ କରିନାହାନ୍ତି । ରାଜ୍ୟରେ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮ ରାସନକାର୍ଡ ହିତାଧିକାରୀ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୨ କୋଟି ୬୬ ଲକ୍ଷ ୮୫ ହଜାର ୯୩୮ ଇ-କେୱାଇସି ଅପଡେଟ୍ କରିଛନ୍ତି । ରାଜ୍ୟର ଦାଦନପ୍ରବଣ ଜିଲ୍ଲା ଗଂଜାମରେ ଏଯାଏଁ ୫ ଲକ୍ଷ ୪୨ ହଜାର ୮୧ ଜଣ ଏହି ପ୍ରକ୍ରିୟାରେ ସାମିଲ ହୋଇ ନଥିବା ଜଣାପଡିଛି ।