Delhi Blast Photograph: (KanakNews)
କନକ ବ୍ୟୁରୋ: ଦିଲ୍ଲୀ ବିସ୍ଫୋରଣ ପଛରେ ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ଓ ଅନସାର ଗଜୱା ହିନ୍ଦର ହାତ ରହିଛି । ପାକିସ୍ତାନରୁ ପାଣ୍ଠି ଆସିବା ପରେ ଭାରତରେ ବଡ ଆକ୍ରମଣର ଷଡଯନ୍ତ୍ର କରିଥିଲେ ଆତଙ୍କୀ । ତୁର୍କୀରୁ ଏଥିପାଇଁ ପ୍ଲାନ ପ୍ରସ୍ତୁତ ହୋଇଥିଲା । ସିରିଜ ବିସ୍ପୋରଣ କରି ଭାରତରେ ଆତଙ୍କ ରଚିଥାନ୍ତା ଆତଙ୍କୀ । ଏଥିପାଇଁ ତାରିଖ ଓ ଟାର୍ଗେଟ ଧାର୍ଯ୍ୟ ସରିଥିଲା ।
ଦିଲ୍ଲୀ କାର ବିସ୍ଫୋରଣ ଘଟଣାରେ ତଦନ୍ତକାରୀ ଟିମକୁ ମିଳିଛି ସ୍ତବ୍ଧ କରିଦେବା ଭଳି ତଥ୍ୟ । ଖୋଳତାଡରୁ ଜଣାପଡିଛି, କେବଳ ଦିଲ୍ଲୀ ନୁହେଁ ଦେଶର ବଡ ବଡ ସହର ଆତଙ୍କୀଙ୍କ ରାଡାରରେ ରହିଥିଲା। ୫ଟି ପର୍ଯ୍ୟାୟରେ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ-ପ୍ରିଣ୍ଟ। ଟଙ୍କା, ବାରୁଦ ହାତେଇବା ପରେ କେଉଁ କେଉଁ ସ୍ଥାନକୁ ଟାର୍ଗେଟ କରାଯିବ ସେଥିପାଇଁ ଅଗଷ୍ଟରୁ ହୋଇଥିଲା ପ୍ଲାନ୍। ବାବ୍ରି ମସଜିଦ୍ ଭଙ୍ଗାର ପ୍ରତିଶୋଧ ନେବାକୁ ୬ ଡିସେମ୍ବରରେ ଆକ୍ରମଣ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ଏଥିପାଇଁ ୩୨ଟି କାର ଯୋଗାଡ କରିଥିଲେ ଆତଙ୍କୀ । ୩ ଲକ୍ଷ ଟଙ୍କାରେ ୨୬ କ୍ବିଣ୍ଟାଲ ଏନପିକେ ବିସ୍ଫୋରକ କିଣିଥିଲେ । ଅନୁମାନ କରନ୍ତୁ ଏତେ ପରିମାଣର ବିସ୍ଫୋରକରେ କେତେ ଭୟଙ୍କର ବିସ୍ଫୋରଣ କରିଥାନ୍ତେ ଆତଙ୍କୀ । ପାକିସ୍ତାନ ଆତଙ୍କୀଙ୍କ ସହଯୋଗରେ ଉକାସାର ନିର୍ଦ୍ଦେଶରେ ଆକ୍ରମଣର ନୀଳନକ୍ସା ତୁର୍କୀରୁ ପ୍ରସ୍ତୁତ ହୋଇଥିଲା ।
ଅଧିକ ପଢନ୍ତୁ ; ଦିଲ୍ଲୀ ବିସ୍ଫୋରଣ ଘଟାଇଥିଲା ଆତଙ୍କୀ ଉମର; ଡିଏନ୍ଏ ପରୀକ୍ଷାରୁ ସାମ୍ନାକୁ ଆସିଲା ସତ
ମୁଖ୍ୟ ଅଭିଯୁକ୍ତ ଡାକ୍ତର ଉମର ନବୀ ସହ ଅନ୍ୟ ୩ ଅଭିଯୁକ୍ତ ଉକାସା ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ। ଦିଲ୍ଲୀଠୁ ୬୫ କିଲୋମିଟର ଦୂର ହରିୟାଣାର ଅଲ୍-ଫଲାହ୍ ବିଶ୍ୱବିଦ୍ୟାଳୟ ଏହି ଟେରୋରିଷ୍ଟ ମଡ୍ୟୁଲର କେନ୍ଦ୍ରସ୍ଥଳୀ ଥିଲା । ଆତଙ୍କୀ ଆଦିଲ, ମୁଜମ୍ମିଲ, ଉମର, ଶାହିନ ଓ ଅନ୍ୟ ସହଯୋଗୀ ଏଠାରେ ଏକାଠି ହେଉଥିଲେ । ବିଶ୍ୱବିଦ୍ୟାଳୟର ୧୭ ନମ୍ବର ବିଲ୍ଡିଂର ୧୩ ନମ୍ବର ରୁମରେ ଅତି ଗୁପ୍ତ ଢଙ୍ଗରେ ପ୍ରସ୍ତୁତ ହୋଇଥିଲା ଷଡଯନ୍ତ୍ର । ଏପରିକି ବିସ୍ଫୋରଣକୁ ଘାତକ କରିବାକୁ ବିଶ୍ବବିଦ୍ୟାଳୟ ଲ୍ୟାବରୁ କେମିକାଲ ଚୋରି କରିଥିଲେ ଆତଙ୍କୀ । ଅନ୍ୟପଟେ ଆତଙ୍କୀଙ୍କୁ ଏନପିକେ ଉର୍ବରକ ବିକିଥିବା ଦୋକାନରେ ପହଞ୍ଚି ଖୋଳତାଡ କରିଛି ତଦନ୍ତକାରୀ ଦଳ ।
ଦିଲ୍ଲୀ କାର ବିସ୍ଫୋରଣ ପରେ ଗୁଇନ୍ଦା ଏଜେନ୍ସି ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ବିସ୍ଫୋରଣ ଘଟଣାରେ ସନ୍ଦେହ କରି ଉତ୍ତରପ୍ରଦେଶର ଡାକ୍ତର ଫାରୁକ ଅହମ୍ମଦଙ୍କୁ ପଚରାଉଚରା କରୁଛି ପୁଲିସ ।
Follow Us