କନକ ନ୍ୟୁଜ: ପୁଣି ଅଙ୍ଗନବାଡ଼ି, ପୁଣି ଜାତିଆଣ ଭେଦଭାବ । ଏଥର କିନ୍ତୁ ଘଟଣା ଅଧିକ ସଂଗିନ । ଅନୁସୂଚିତ ଜାତିର ସହାୟିକାଙ୍କୁ ପିଲାଙ୍କ ରୋଷେଇ ପାଇଁ ବାରଣ କରାଯିବା ପରେ, ସେ ନିଜ ଦରମାର ଅଧାରୁ ଅଧିକ ଟଙ୍କା ଦେଇ ଅନ୍ୟ ଜଣେ ରୋଷେୟାଙ୍କୁ ନିୟୋଜିତ କରିଥିବା ଅଭିଯୋଗ ହୋଇଛି । ମାସେ ଅଧେ ନୁହେଁ, ଦୀର୍ଘ ୭ ବର୍ଷ ଧରି ଏଭଳି ମାନସିକ ଓ ଆର୍ଥିକ ଦୁଶ୍ଚିନ୍ତା ଭିତରେ ରହୁଥିବା ସହାୟିକା, ଏବେ ଗଣମାଧ୍ୟମ ଆଗରେ ମୁହଁ ଖୋଲିବା ପରେ ଘଟଣା ସାମ୍ନାକୁ ଆସିଛି ।  

Advertisment

ଏହା ବି ପଢ଼ନ୍ତୁ: ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ, ଭବିଷ୍ୟତ ପାଇଁ ସଂଘର୍ଷ କରିବାକୁ ପଡୁଛି

ପ୍ରଥମେ କେନ୍ଦ୍ରାପଡ଼ା ରାଜନଗର... ନୂଆପଡ଼ାର ସିନାପାଲି... ଆଉ ଏବେ ସେଇ ନୂଆପଡ଼ା ଜିଲ୍ଲାର କୋମନା । ଦୀର୍ଘ ୭ ବର୍ଷ ଧରି ଜାତିଗତ ଭେଦଭାବର ଶିକାର ଅଙ୍ଗନବାଡ଼ି ସହାୟିକା ! ପିଲାଙ୍କ ପାଇଁ ରୋଷେଇ କରିବାକୁ ମନା! ଆଉ ଜଣେ ରୋଷେୟାଙ୍କୁ ନିୟୋଜିତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ! ନିଜ ଦରମାରୁ କାଟି ରୋଷେୟାଙ୍କୁ ଟଙ୍କା ଦେଉଛନ୍ତି ସହାୟିକା! ଅଭିଯୋଗ ଅନୁସାରେ, କୋମନା ବ୍ଲକ୍ କରଙ୍ଗାଭଟା ଅଙ୍ଗନବାଡ଼ି କେନ୍ଦ୍ରରେ ୨୦୧୮ ଏପ୍ରିଲ ୫ରେ ସହାୟିକା ନିଯୁକ୍ତି ପାଇଥିଲେ ଜଣେ ଅନୁସୂଚିତ ଜାତିର ଯୁବତୀ । କିଛି ଗାଁ ଲୋକ ତାଙ୍କ ହାତ ତିଆରି ଖାଦ୍ୟ ନିଜ ପିଲାଙ୍କୁ ଖୁଆଇବାକୁ ରାଜି ହୋଇନଥିଲେ । ଏହାପରେ ବହୁ ଶିଶୁ ଦୀର୍ଘ ଦିନ ଧରି ଅଙ୍ଗନବାଡ଼ିକୁ ଆସୁନଥିଲେ । ଘଟଣାକୁ ନେଇ ବିବାଦ ଦେଖାଦେବା ପରେ, ତତ୍କାଳୀନ ସିଡିପିଓ ଓ ସୁପରଭାଇଜର ଗାଁ ଲୋକଙ୍କ ସହ ବୈଠକ କରିଥିଲେ। ସମାଧାନ ନାଁରେ ବାହାର କରିଥିଲେ ଉଦ୍ଭଟ ଉପାୟ । ଦଳିତ ଯୁବତୀଙ୍କୁ ନିଜ ଦରମା ଟଙ୍କାରୁ ଆଉ ଜଣେ ତଥାକଥିତ ଉଚ୍ଚ ଜାତିର ମହିଳାଙ୍କୁ ରୋଷେୟା ଭାବେ ନିୟୋଜିତ କରିବାକୁ କୁହାଯାଇଥିଲା । ନିରୁପାୟ ସହାୟିକା ନିଜ ଚାକିରି ବଞ୍ଚାଇବାକୁ ବାଧ୍ୟ ହୋଇ ହଁ ଭରିଥିଲେ । ଆଉ ୨୦୧୯ ମାର୍ଚ୍ଚ ମାସ ଠାରୁ ନିଜ ଦରମା ୫ହଜାର ଟଙ୍କାରୁ ରୋଷେୟାଙ୍କୁ ପ୍ରତି ମାସ ୩୫୦୦ ଟଙ୍କା ଲେଖାଏଁ ଦେଇ ଆସୁଛନ୍ତି ବୋଲି କହିଛନ୍ତି । 
 
ଅଙ୍ଗନବାଡ଼ି କର୍ମୀଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଛନ୍ତି, ଏହା ଗାଁ ଲୋକଙ୍କ ନିଷ୍ପତ୍ତି ଥିଲା  । କିଛି ଦିନ ପୂର୍ବରୁ ସିଡିପିଓ ଓ ସୁପରଭାଇଜର ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଆଜି ନିଜେ ସହାୟିକା ପିଲାଙ୍କ ପାଇଁ ରୋଷେଇ କରିଛନ୍ତି । 

ରାଜନଗର ଘଟଣା ରାଜ୍ୟସଭା ଯାଏଁ ଯିବା ପରେ, ସେଠି ବଦଳିଛି ଲୋକଙ୍କ ମାନସିକତା । ହେଲେ ଏବେ ବି ରାଜ୍ୟର ଅନେକ ସ୍ଥାନରେ ବଞ୍ଚିଛି ଛୁଆଁ ଅଛୁଆଁ ଭଳି କୁତ୍ସିତ ପ୍ରଥା । ଅଙ୍ଗନବାଡ଼ିରେ ପଢ଼ୁଥିବା କୋମଳମତି ଶିଶୁଙ୍କୁ ଏଭଳି ମାନସିକତାରେ ସାମିଲ କରି, ଶୈଶବରୁ ସେମାନଙ୍କ ମନରେ ଜାତିଆଣ ବିଷମଞ୍ଜି ବୁଣୁଛନ୍ତି ଅଭିଭାବକ ।