କନକ ବ୍ୟୁରୋ: ଆର୍ଥିକ ବର୍ଷ ସରି ଆସୁଛି, ପାଖରେ ପ୍ରଚୁର ଟଙ୍କା ବି ଅଛି। ବିଭିନ୍ନ ବିଭାଗ ପାଇଁ ବଜେଟରେ ଟଙ୍କା ବ୍ୟୟବରାଦ ମଧ୍ୟ ସରିଛି। ଏହି ବଜେଟ ଖର୍ଚ୍ଚ ହେଲେ ବିକାଶ କ୍ଷେତ୍ରରେ ଆଗକୁ ବଢିବ ଓଡ଼ିଶା। କିନ୍ତୁ ବଜେଟ ଖର୍ଚ୍ଚ ପାଇଁ ସତେ ଯେପରି ସରକାରଙ୍କର ମନ ଲାଗୁନି। ଯାହା ରାଜ୍ୟର ବିକାଶ ପ୍ରକ୍ରିୟାକୁ ଧୀମା କରି ଦେଇଛି। 

Advertisment
  • ଧନ ଅଛି, କିନ୍ତୁ ମନ ନାହିଁ !
  • ୭ ମାସ ବିତିଲାଣି, ବଜେଟ ଅଧା ବି ସରିନି
  • ଲୋକଙ୍କ ସରକାରରେ ଲୋକଙ୍କ ପାଇଁ କାହିଁକି ହେଉନି ଖର୍ଚ୍ଚ?

୨୪ ବର୍ଷ ପରେ ନୂଆ ସରକାର ଦେଖିଲା ଓଡ଼ିଶା। ନୂଆ ନୂଆ ଯୋଜନା ଆଣି ଲୋକଙ୍କ ପାଖରେ ପହଞ୍ଚିବାକୁ ଅହରହ ଉଦ୍ୟମ ଜାରି ରଖିଛି ମୋହନ ମାଝୀଙ୍କ ସରକାର। ଏଥିପାଇଁ ନୂଆ ସରକାରରେ ୨.୬୫ ଲକ୍ଷ କୋଟି ଐତିହାସିକ ବଜେଟ ଆସିଥିଲା। କିନ୍ତୁ ଉଦବେଗର କଥା ହେଉଛି ଆର୍ଥିକ ବର୍ଷ ଶେଷ ହେବାକୁ ବସିଥିବାବେଳେ ଏହି ବଜେଟ ଲୋକଙ୍କ ପାଇଁ ଆକାଶ କଇଁଆ ଚିଲିକା ମାଛ ପରି ହୋଇଛି। ରାଜ୍ୟର ବିକାଶ କ୍ଷେତ୍ରରେ ଅନେକ ବିଭାଗରେ ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଥିଲେ ମଧ୍ୟ ନୂଆ ସରକାରର ଆଭିମୁଖ୍ୟ ଏବେ ବି ଅସ୍ପଷ୍ଟ। ସରକାରୀ ତଥ୍ୟ ଅନୁଯାୟୀ...

  • ଏବେ ସୁଦ୍ଧା ବଜେଟର ୩୧ ପ୍ରତିଶତରୁ କମ ଅର୍ଥ ଖର୍ଚ୍ଚ ହୋଇଛି
  • ୧୧ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ବଜେଟର ୩୦%ରୁ କମ ଖର୍ଚ୍ଚ କରିଛନ୍ତି
  • ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସବୁଠୁ କମ ଖର୍ଚ୍ଚ କରିଛି

ବଜେଟ ଖର୍ଚ୍ଚରେ ନୂଆ ସରକାରର ଏଭଳି ଧୀମାପଣକୁ ନେଇ ବର୍ଷିଛନ୍ତି ଦୁଇ ବରିଷ୍ଠ ନେତା। ବିଜୟ ମହାପାତ୍ର କହିଛନ୍ତି, ବଜେଟ ଖର୍ଚ୍ଚ କରିବାରେ ସମ୍ପୂର୍ଣ୍ଣ ବିଫଳ ସରକାର। ସେହିଭଳି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କ ମତ, ନୂଆ ସରକାରଙ୍କ ମନଲୋଭା ଯୋଜନା ରାଜ୍ୟରେ ମୁଣ୍ଡପିଛା ଋଣ ବଢାଇବ।ତେବେ ନୂଆ ସରକାର ଆଶାନୁରୂପକ ଭାବେ ବଜେଟ ଖର୍ଚ୍ଚ କରିପାରୁନଥିବା ବେଳେ ଏହାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି। ବିଜେଡି ବିଧାୟକ ଅରୁଣ ସାହୁ ମୋହନ ସରକାରକୁ ବଜେଟ ବାଣ ମାରିଛନ୍ତି। ସିଧାସଳଖ କହିଛନ୍ତି, ବଜେଟ ଖର୍ଚ୍ଚ କରିବା ଜ୍ଞାନ ଆହରଣ ବଦଳରେ ବୁଲାବୁଲିରେ ସମୟ ସାରୁଛନ୍ତି ମନ୍ତ୍ରୀ। ଅନ୍ୟପଟେ ଆଇନ ମନ୍ତ୍ରୀ ସରକାରକୁ ସୁରକ୍ଷା ଦେବାକୁ ଯାଇ କହିଛନ୍ତି, ବିରୋଧୀ ଏତେ ଧୖର୍ଯ୍ୟହରା ନ ହୁଅନ୍ତୁ। ଧାର୍ଯ୍ୟ ସମୟ ପୂର୍ବରୁ ହିଁ ବିକାଶ ପାଇଁ ଖର୍ଚ୍ଚ ହେବ ବଜେଟ। 

ସୂଚନାଯୋଗ୍ୟ ଯେ, ରାଜ୍ୟର ବିକାଶ ପାଇଁ ବ୍ୟୟବରାଦ ହୋଇଥିବା ବଜେଟର ଖର୍ଚ୍ଚ ବେଶ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଗୃହିତ ହୋଇଥିବା ବଜେଟର ଅଧା ଭାଗ ବି ଖର୍ଚ୍ଚ ନ କରିପାରିବା ଏବେ ନୂଆ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଚିହ୍ନ ଛିଡା କରିଛି।