କନକ ବ୍ୟୁରୋ: ପାର୍ଥସାରଥୀ ଓରଫ୍ ବାବା ଚୈତନ୍ୟାନନ୍ଦଙ୍କୁ ବାନ୍ଧିଲା ଦିଲ୍ଲୀ ପୁଲିସ । ଦିଲ୍ଲୀରେ ଏକ ଶିକ୍ଷାନୁଷ୍ଠାନରେ ସେ ଛାତ୍ରୀଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା। ଏହାପରେ ଫେରାର ହୋଇଯାଇଥିଲେ ଆତ୍ମଘୋଷିତ ବାବା ଚୈତନ୍ୟାନନ୍ଦ । ତାଙ୍କୁ ଆଗ୍ରାରୁ ଗିରଫ କରିବା ପରେ ଜେରା ପାଇଁ ପୁଲିସ ରିମାଣ୍ଡରେ ନେଇଛି ।

Advertisment

ଆଶ୍ରମରେ ୧୭ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଅଭିଯୁକ୍ତ ସ୍ବାମୀ ଚୈତନ୍ୟାନନ୍ଦଙ୍କ ଆଗ୍ରାରୁ ଗିରଫ । କୋର୍ଟ ଚାଲାଣ ପରେ ତାଙ୍କୁ ୫ ଦିନିଆ ପୁଲିସ ରିମାଣ୍ଡରେ ପଠାଇ ଦିଆଯାଇଛି । ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଅଛନ୍ତି ବାବା । ତାଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର, ମହିଳାଙ୍କୁ ଅଶ୍ଳୀଳ ମେସେଜ୍ ପଠାଇବା ଏବଂ ଜୋର୍ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଭଳି ଅଭିଯୋଗ ରହିଛି ।

ଏହି ତଥାକଥିତ ବାବାଙ୍କ ଘର ଓଡ଼ିଶାରେ । ଦିଲ୍ଲୀରେ ଦୀର୍ଘ ୧୨ ବର୍ଷ ଧରି ରହିଆସୁଥିଲେ । ଗେରୁଆ ବସ୍ତ୍ର ପିନ୍ଧି ଫୁଲ୍ ବାବା ବେଶରେ ଜମାଇଥିଲେ ଖାଲି ଶିକ୍ଷାନୁଷ୍ଠାନ ଚଳାଉନଥିଲେ, ଥିଲେ ଆଶ୍ରମର ଅପରେଟର୍ ଓ କେୟାରଟେକର୍ । ଗରିବ ଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ ନାଁରେ ବନାଉଥିଲେ ନିଜ କୁକର୍ମର ଶିକାର । ବିଳମ୍ବିତ ରାତି ପ୍ରାୟ ୩ଟା ୩୦ ସମୟରେ ଆଗ୍ରାର ତାଜ ଗଞ୍ଜର ହୋଟେଲରୁ ତାଙ୍କୁ ଗିରଫ କରାଯାଇଛି।

ସଙ୍ଗିନ ଅଭିଯୋଗ ଆସିବା ପରେ ଫେରାର୍ ହୋଇଯାଇଥିଲେ ଅଭିଯୁକ୍ତ ଚୈତନ୍ୟାନନ୍ଦ ସରସ୍ବତୀ ଓରଫ୍ ପାର୍ଥସାରଥି । ତାଙ୍କ ନାଁରେ ଲୁକ୍ ଆଉଟ ସର୍କୁଲାର୍ ଜାରି କରି ୫ ରାଜ୍ୟରେ ଘାଣ୍ଟୁଥିଲା ଦିଲ୍ଲୀ ପୁଲିସ ।