କନକ ବ୍ୟୁରୋ: ଫେଲ ମାରିଛି ତାଳସାରି ବେଳାଭୂମି-ଚନ୍ଦନେଶ୍ୱର ଶୈବପୀଠ-ଉଦୟପୁର ବେଳାଭୂମି ଆଲୋକୀକରଣ ଯୋଜନା। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ବ୍ୟୟ ହୋଇଥିବା ୭ କୋଟି ୧୦ଲକ୍ଷ ଟଙ୍କା ନଷ୍ଟ ହେବାକୁ ବସିଛି । ୩୮୪ଟି ଖୁଣ୍ଟରେ ଲାଇଟ ଲାଗିଛି । କିନ୍ତୁ ୨ ବର୍ଷ ମଧ୍ୟରେ ସବୁ ବନ୍ଦ ହୋଇଯାଇଛି । ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ସମସ୍ୟା ଉପୁଜୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। 

Advertisment

ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବାଲେଶ୍ୱରର ତାଳସାରି-ଚନ୍ଦନେଶ୍ଵର-ଉଦୟପୁର ଆଲୋକିକରଣ ପାଇଁ ପୂର୍ବତନ ସରକାର 

୭ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ୨୦୧୧ରେ ଅନୁଦାନ ଆସିଲା, ଦିଲ୍ଲୀର ଏକ ଘୋରେଇ ସଂସ୍ଥା ଏହାର ଦାୟିତ୍ୱ ନେଇଥିଲା। 
୨୦୨୧ରୁ ଆରମ୍ଭ ହୋଇ ୨୨ରେ ସରିଥିଲା ଆଲୋକିକରଣ କାମ
ଚନ୍ଦନେଶ୍ଵରରୁ ସାହାବାଜିପୁର ମଧ୍ୟରେ ୧୬୩ଟି ଖୁଣ୍ଟ
ସାହାବାଜିପୁରରୁ ଉଦୟପୁରରେ ୬୩ଟି ଖୁଣ୍ଟ
ତାଳସାରିରୁ ଚନ୍ଦନେଶ୍ଵର ରାସ୍ତାରେ ୧୫୮ଟି ଖୁଣ୍ଟ ପୋତା ଯାଇଛି 
ଉଦୟପୁରରୁ ତାଳସାରି ବେଳାଭୂମି ପର୍ୟ୍ୟନ୍ତ ବିଲକୁଲ୍ ଖୁଣ୍ଟ ନାହିଁ

ଯେଉଁ ବିଦ୍ୟୁତ ଖୁଣ୍ଟ ସବୁ ପୋତା ଯାଇଛି, ସେଥିରୁ ୭୦ ଭାଗ ଖୁଣ୍ଟରେ ଲାଇଟ୍ ଜଳୁନାହିଁ। ୧୪ଟି ଖୁଣ୍ଟରୁ ଲାଇଟ ଚୋରି ହୋଇ ଯାଇଥିବା ବେଳେ ଏଯାଏଁ ତାହା ଲାଗିନାହିଁ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସାହାବାଜିପୁର, ବାଜିତପୁର ଓ ହୁଗୁଳି ପଞ୍ଚାୟତକୁ ଦେଇଛି ପ୍ରଶାସନ। ଜିଲ୍ଲା ପ୍ରଶାସନ ତରବରିଆ ଭାବେ ଦାୟିତ୍ୱ ଦେଇଥିବା ବେଳେ ପଂତାୟତସ୍ତରରେ ଏହାକୁ ସମ୍ଭାଳିବା ସମ୍ଭବ ନୁହେଁ ବୋଲି କହିଛନ୍ତି ତିନି ପଂଚାୟତ ପ୍ରତିନିଧି। 

ତତ୍କାଳୀନ ଜିଲ୍ଲାପାଳ ଆଲୋକୀକରଣ ରକ୍ଷଣାବେକ୍ଷଣ ବାବଦକୁ ବର୍ଷକୁ ୫ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ, ତାହା ଏପର୍ଯ୍ୟନ୍ତ ମିଳିନାହିଁ। ସାହାବାଜିପୁର ପଞ୍ଚାୟତ ପକ୍ଷରୁ ଲାଇଟ ମରାମତି ବାବଦରେ ଖର୍ଚ୍ଚ ହୋଇଥିବା ୫୨ ହଜାର ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି। ସେପଟେ କାମର ଦାୟିତ୍ୱ ନେଇଥିବା ସଂସ୍ଥା ନିମ୍ନମାନ କାମ କରିଥିବାରୁ ପର୍ଯ୍ୟଟନସ୍ଥଳୀ ରାସ୍ତା ଅନ୍ଧର ପାଲଟିଥିବା କହିଛନ୍ତି ସ୍ଥାନୀୟ ବ୍ୟବସାୟୀ। 

ଉଦୟପୁର ସୀମାକୁ ଲାଗି ରହିଥିବା ପଶ୍ଚିମବଙ୍ଗ ଦିଘା ବେଳାଭୂମି ଆଲୋକିତ ହେଉଥିବା ବେଳେ ଉଦୟପୁର ଓ ତାଳସାରୀ ବେଳାଭୂମି ଅନ୍ଧକାରମୟ। ଫଳରେ ଅନେକ ସମୟରେ ବେଳାଭୂମିରେ ଚୋରି ଡକାୟତି ଓ ଦୁର୍ଘଟଣା ଘଟୁଛି।