କନକ ବ୍ୟୁରୋ: ହିମାଚଳପ୍ରଦେଶରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ବାଦଲଫଟା ବର୍ଷା, ଅଚାନକ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ହିମାଚଳରେ ୬୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୭ ଜଣ ନିଖୋଜ ଅଛନ୍ତି । ୧୧୦ ଜଣ ଆହତ ହୋଇଛନ୍ତି । ଏହି ମୌସୁମୀ ବିପର୍ଯ୍ୟୟ ପାଇଁ ରାଜ୍ୟରେ ୭୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଶୁକ୍ରବାର ଅପରାହ୍ନରେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୁଚନା ଜାରି କରିଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମୌସୁମୀ ଆରମ୍ଭ ହେବା ପରଠାରୁ ୧୪ଟି ବାଦଲଫଟା ବର୍ଷା ରେକର୍ଡ କରାଯାଇଛି । ଏଥିଯୋଗୁଁ ୫ ଶହରୁ ଅଧିକ ରାସ୍ତାର ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ସୁଖୁ କହିଛନ୍ତି, ତାଙ୍କ ସରକାର ରାଜ୍ୟର ବିପର୍ଯ୍ୟୟ ପ୍ରଭାବିତ ପରିବାର ସହ ଅଛନ୍ତି ଏବଂ ଘର ଛାଡ଼ି ବାହାରେ ରହୁଥିବାରୁ ପ୍ରତି ପରିବାରକୁ ଘର ଭଡ଼ା ବାବଦକୁ ୫ ହଜାର ଟଙ୍କା ପ୍ରଦାନ କରାଯିବ । ସୁଖୁ କହିଛନ୍ତି, ରିଲିଫ୍ ଓ ଉଦ୍ଧାର ଅପରେସନ୍ ଜାରି ରହିଛି। ବିଶେଷ କରି ମଣ୍ଡି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥିବାରୁ ଏଠାରେ ଉଦ୍ଧାର ଅପରେସନ୍ ତ୍ବରାନ୍ବିତ ହୋଇଛି । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏବଂ ହିମାଚଳପ୍ରଦେଶ ସମେତ ବର୍ଷା ପ୍ରଭାବିତ ଅନ୍ୟ ରାଜ୍ୟ ତଥା ଗୁଜରାଟ, ରାଜସ୍ଥାନକୁ ରିଲିଫ୍ ଓ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି । ପ୍ରଭାବିତଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଶାହ କହିଛନ୍ତି ।
ଜୁନ୍ ୨୦ରେ ହିମାଚଳରେ ମୌସୁମୀ ପ୍ରବେଶ କଲା ଏବଂ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମୌସୁମୀ ବର୍ଷା ଯୋଗୁଁ ଅନେକ ଜୀବନହାନି ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । କେବଳ ମଣ୍ଡି ଜିଲ୍ଲାରେ ୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କାଙ୍ଗ୍ରାରେ ୧୩, ଚାମ୍ପାରେ ୬ ଏବଂ ଶିମ୍ଲାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ମଣ୍ଡିରେ ସର୍ବାଧିକ ପ୍ରଭାବିତ ଅଞ୍ଚଳ ଗୁଡ଼ିକ ହେଉଛି ଥୁନାଗ ଓ ବାଗସୟେଦ । ମଣ୍ଡିର ୩୦ ଜଣ ଏ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ବିଳାସପୁର, ହମିରପୁର, କିନୌର, କୁଲ୍ଲୁ, ଲାହୌଲ ସ୍ପିତି, ସିରମୌର, ସୋଲନ ଓ ଉନା ଜିଲ୍ଲାରେ ମଧ୍ୟ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି ।