କନକ ବ୍ୟୁରୋ: ବିଧାନସଭା ଶୀତ ଅଧିବେଶନରେ ଉଠିଲା ଆବାସ ପ୍ରସଙ୍ଗ । ମଙ୍ଗଳବାର ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନ ଥିବାବେଳେ, ଗୃହରେ ଉଠିଛି ଗରିବଙ୍କୁ ଆବାସ ଘର ବଣ୍ଟନ ପ୍ରସଙ୍ଗ । ତେବେ ଏ ସଂକ୍ରାନ୍ତରେ ମନ୍ତ୍ରୀ ଯେଉଁ ଉତ୍ତର ଦେଇଛନ୍ତି, ତାହା ଆପଣଙ୍କୁ ଆଶ୍ଚର୍ୟ୍ୟ କରିଦେବ । ପୂର୍ବ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନଦେବାରୁ ଫେରିଯାଇଛି ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର । ୨୦୧୬ରୁ ୨୦୨୪ ମଧ୍ୟରେ ତତ୍କାଳୀନ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନେଇ ନପାରିବା କାରଣରୁ ଏହି ଘର ଫେରି ଯାଇଥିବା ଗୃହରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଏଥିସହ ଚଳିତ ବର୍ଷ ୧ ଲକ୍ଷ ୧୧ ହଜାର ୮୧୮ ଘର ନିର୍ମାଣ କରିବା ଟାର୍ଗେଟ ରଖି କାର୍ୟ୍ୟାଦେଶ ଦିଆଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।
ତେବେ ଏ ସଂକ୍ରାନ୍ତରେ ଆଜି ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଅନ୍ୟପଟେ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ, ଅଯୋଗ୍ୟ ପରିବାରକୁ ବାଦ୍ ଦେଇ କେବଳ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ମଞ୍ଜୁରୀ କରିବା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଗତ ୫ଟି ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୨ ଲକ୍ଷ ୬୨୧ ଗୃହର ଧାର୍ୟ୍ୟଲକ୍ଷ୍ୟ ପ୍ରାପ୍ତ ହେଇଛି ବୋଲି ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି । ତା ଭିତରୁ ୧୧ ଲକ୍ଷ ୭୬ ହଜାର ୫୩ଟି ଗୃହ ମଞ୍ଜୁର ହେଇଥିବାବେଳେ, ୭ ଲକ୍ଷ ୪୩ ହଜାର ୩୨୧ ଗୃହର ନିର୍ମାଣ କାର୍ୟ୍ୟ ଶେଷ ହେଇଛି ଏବଂ ୪ ଲକ୍ଷ ୩୨ ହଜାର ୭୩୨ ଖଣ୍ଡ ଗୃହ ନିର୍ମାଣାଧୀନ ଅଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।