କନକ ବ୍ୟୁରୋ: ଗୋଟିଏ କି ଦୁଇଟି ନୁହେଁ ୬୦୦ରୁ ଉର୍ଦ୍ଧ୍ବ ଦେଶୀ ବିହନ ଗୋଟିଏ ସ୍ଥାନରେ । କେଉଁଠି ହଳଦିଆ ତ ଆଉ କେଉଁଠି ସବୁଜ ରଙ୍ଗର ଧାନ କ୍ଷେତରେ ହସୁଛି । ସମ୍ପୁର୍ଣ୍ଣ ରୁପେ ଜୈବିକ ପଦ୍ଧତିରେ ଚାଷ କରାଯାଇଛି । ରକ୍ଷଣାବେକ୍ଷଣ ପାଇଁ ରହିଛନ୍ତି ୩୦ରୁ ଅଧିକା ମହିଳା ଓ ପୁରୁଷ । ୧୯୩୬ ମସିହାରେ ଜୟପୁର ମହାରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ଏହି କେନ୍ଦ୍ର । ଯାହା ଆଜି ବି ରାଜାଙ୍କ ଅବଦାନକୁ ମନେ ପକାଉଛି ।
ପ୍ରତିବର୍ଷ ଧାନ ବିହନକୁ ସରଂକ୍ଷଣ କରିବା ପାଇଁ ସବୁ ପ୍ରକାର ଧାନ ଚାଷ କରାଯାଏ । ଆଉ ଏହାକୁ ଅମଳ କରି ସାଇତି ରଖାଯାଏ । ଧାନର କିସମ ଜାଣିବା ପାଇଁ ବାଉଁଶ କାଠିରେ ଲେଖାଯାଇଛି ନମ୍ବର ଓ ନାମ । ଏସବୁ କିସମ ରାଜାଙ୍କ ଅବଦାନ। ଯାହାକି ଅବିଭକ୍ତ କୋରାପୁଟ ଜିଲ୍ଳାର ପ୍ରତେକ କୋଣ ଅନୂକୋଣରୁ ଆଦାୟ କରାଯାଇଥିବା ବିହନ ।
ଧାନର ଉତ୍ପତି ସ୍ଥଳ କୋରାପୁଟକୁ କୁହାଯାଏ । ଆଉ ଏହି ଜିଲ୍ଳାର ଜୟପୁର ହେଉଛି ଧାନର ପେଣ୍ଠସ୍ଥଳି । ୬୦୦ରୁ ଊର୍ଦ୍ଧ୍ୱ ଦେଶି ଓ ବିଦେଶି ବିହନକୁ ସରଂକ୍ଷଣ କରିବା ସହିତ ନୁଆ ପ୍ରଜାତିର ବିହନ ଆବିସ୍କାର କରାଯାଉଛି । ରାଜାଙ୍କ ଅମଳରେ ରହିଥିବା ବିହନ ହେଉଛି କଳାଜିରା, କର୍ପୁରକାନ୍ତି, ନଡ଼ିଆ ରାଶି, ଖୁସାକାନି, ମିଟିମିଟା,ମାଛକଣ୍ଟା, ଚଟିଆନାକି, ଉମୁରିଆଚୁଡ଼ି ଭଳି ଅନେକ ପ୍ରଜାତି । ୨ଟି କିସମର ଧାନ ବିହନ ଗଛକୁ ନେଇ ଗୋଟିଏ ଧାନ ବିହନ କରାଯାଉଛି । ସେଥିରୁ ଅନେକ ପରୀକ୍ଷାମୁଳକ ପରେ ଗୋଟିଏ କିସମର ବିହନ ବାହାରୁଛି ।
ଚଳିତ ବର୍ଷ ଏହି ଅନୁଷ୍ଠାନ ୬ଟି ନୂତନ ଦେଶୀ ବିହନ ଧାନ ଆବିଷ୍କାର କରିଛି । ସେଗୁଡ଼ିକ ହେଲା କଳିଙ୍ଗ ୧୨୦୩, କଳିଙ୍ଗ ୧୨୦୫, ସରିଆ, ଚନ୍ଦ୍ରଗିରି, ମହେନ୍ଦ୍ରଗିରି, କୋଲାବ । ଏହି ବିହନ ଭିତରୁ ୪ଟି ରାଜ୍ୟବାସୀଙ୍କ ପାଇଁ ରହିଥିବା ବେଳେ ଆଉ ୨ଟି କୋଲାବ ଓ କଳିଙ୍ଗ ୧୨୦୫ ପଡ଼ୋଶୀ ରାଜ୍ୟ ପାଇଁ ରହିଛି । ଗୋଟିଏ ବିହନ ଆବିଷ୍କାର କରି ଚାଷୀଙ୍କ ପାଖରେ ପହଚିଂବା ପାଇଁ ୮ ବର୍ଷ ସମୟ ଲାଗିଥାଏ ।
ପ୍ରତିଦିନ ୩୦ ରୁ ୪୦ଜଣ ମହିଳା ଓ ପୁରୁଷ ଶ୍ରମିକ ଏସବୁ ବିହନର ଦେଖାଶୁଣା କରିବା ସହିତ ବିହନକୁ ସଂଗ୍ରହ କରି ଭାଗ ଭାଗ କରି ରଖନ୍ତି । ପରେ ଏହି ସବୁ ବିହନକୁ ନେଇ ବୈଜ୍ଞାନିକ ମାନେ ନୁଆ ବିହନ ଆବିଷ୍କାର କରି ରାଜ୍ୟ ତଥା ଦେଶର ଚାଷୀଙ୍କୁ ଯୋଗାଇଥାଆନ୍ତି ।