ପ୍ରତି ଘର ପାଖରେ ନଳ ଲାଗିଛି । କେଉଁଠି ପାଇପ ପୋତାଯାଇଛି ତ କେଉଁଠି କେବଳ ଟେପ ଲାଗିଛି । କେତେକ ଗାଁରେ ସୁଉଚ୍ଚ ଟାଙ୍କି ନିର୍ମାଣ ହୋଇଛି । ହେଲେ ନଳରେ ପାଣି ଆସୁନି । ବର୍ଷ ବର୍ଷ ଧରି ସଂଯୋଗ ହୋଇଥିବା ନଳ ପଡି ରହି ଏବେ କଳଙ୍କି ଲାଗିଲାଣି l ଝାରସୁଗୁଡା ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠିରେ ଆରମ୍ଭ ହୋଇଥିବା ୩ଟି ବୃହତ ପାନୀୟ ଜଳ ପ୍ରକଳ୍ପ ଅଧପନ୍ତରିଆ ହୋଇପଡିରହିଛି । ପ୍ରକଳ୍ପ କାମ ଆରମ୍ଭ ହେବାର ୭ ବର୍ଷ ବିତିଲାଣି । ଏହାରି ଭିତରେ ପ୍ରକଳ୍ପ ବାବଦକୁ ୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଲାଣି, କିନ୍ତୁ ଲୋକଙ୍କୁ ପାଣି ମୁନ୍ଦାଏ ମିଳୁନି । ତେଣୁ ଖଣିଜ ପାଣ୍ଠି ଟଙ୍କାରୁ ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି ।
ଝାରସୁଗୁଡା ଜିଲ୍ଲାର ୭୫ଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ପାଇଁ ଆରମ୍ଭ ହୋଇଥିବା ୩ଟି ବୃହତ ପାନୀୟ ଜଳ ପ୍ରକଳ୍ପ ସରିବାର ନାଁ ନେଉନାହିଁ । ଆଜି ବି ଲୋକ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି । ସକାଳ ହେଲେ ମହିଳାମାନେ ଗରାବାଲ୍ଟି ଧରି ଗାଁ ନଳକୂଅରେ ଭିଡ ଜମାଉଛନ୍ତି । ଆଗକୁ ଖରା ବଢିଲେ ଜଳ ସଂକଟ ଉତ୍କଟ ହେବ । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ଶୀଘ୍ର ପାନୀୟ ଜଳ ପ୍ରକଳ୍ପ ସରିବ ଓ ଲୋକଙ୍କୁ ପାଣି ମିଳିବ । ଜିଲ୍ଲା ଖଣିଜ ପାଣ୍ଠିରୁ ୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବା ସତ୍ତ୍ବେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସରିପାରୁନାହିଁ । ଏହା ବଡ଼ ଦୁର୍ନୀତି ଆଡକୁ ଇସାରା କରୁଛି । ତେଣୁ ଉଚ୍ଚସ୍ତରୀୟ ତଦନ୍ତ କରି ଜିଲ୍ଲା ଖଣି ପାଣ୍ଠିର ହରିଲୁଟ ପଛର ସତ ସାମ୍ନାକୁ ଆଣିବାକୁ ଦାବି ହେଉଛି ।