କନକ ବ୍ୟୁରୋ: ଦେଶରେ ବଢ଼ୁଛି ବୟସ୍କଙ୍କ ସଂଖ୍ୟା
ଆଗକୁ ଧିମେଇଯିବ କି ଜନସଂଖ୍ୟା?
ୟଙ୍ଗ ଇଣ୍ଡିଆ ବା ୟଙ୍ଗିସ୍ତାନ ଭାବେ ଜଣା ଯାଉଥିବା ଭାରତ ଏବେ ବୁଢ଼ା ହେବାରେ ଲାଗିଛି । ଦେଶରେ ମୋଟ ଜନସଂଖ୍ୟାର ପାଖାପାଖି ୧୦ ପ୍ରତିଶତ ଲୋକଙ୍କ ବୟସ ୬୦ ବର୍ଷ ଅତିକ୍ରମ କରିଛି । ପ୍ରକାଶ ପାଇଥିବା ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ ବା (ଆରଜିଆଇ) ରିପୋର୍ଟ ମୁତାବକ, ଦେଶରେ ୧୪ ବର୍ଷରୁ କମ୍ ବୟସ୍କ ପିଲାଙ୍କ ସଂଖ୍ୟା ଆଶାତୀତ ଭାବେ କମୁଛି ।
ପ୍ରତି ୧୦ ଜଣରେ ଜଣେ ୬୦ର ଅଧିକ ବର୍ଷର
୬.୪ ପ୍ରତିଶତ ଲୋକ ୬୫ରୁ ଅଧିକ ବୟସର
୨୦୧୧-ବୟସ୍କଙ୍କ ସଂଖ୍ୟା ୮.୬ %
୨୦୨୪- ବୟସ୍କଙ୍କ ସଂଖ୍ୟା ୯.୭%
ରିପୋର୍ଟ କହୁଛି, ଆଜିକା ଦିନରେ ଭାରତରେ ପ୍ରତି ୧୦ ଜଣରେ ଜଣେ ୬୦ ବ୍ୟକ୍ତି ୬୦ ବର୍ଷରୁ ଅଧିକ । ୬.୪ ପ୍ରତିଶତ ଲୋକଙ୍କ ବୟସ ୬୫ର ଅଧିକ । ୨୦୧୧ ଜନଗଣନା ସମୟରେ ୬୦ ବୟସରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୮.୬ ପ୍ରତିଶତ ଥିଲା । ୨୦୨୪ରେ ଏହା ୯.୭ ପ୍ରତିଶତକୁ ଅତିକ୍ରମ କରିଛି । କେବଳ ସେତିକି ନୁହେଁ ଗୋଟେପଟେ ଲୋକଙ୍କ ଜୀବନକାଳ ବୃଦ୍ଧି ଅନ୍ୟପଟେ ଯବୁକ ଗୋଷ୍ଠୀଙ୍କଠାରେ ପ୍ରଜନନ କ୍ଷମତା ହ୍ରାସ ପାଉଥିବା ଜଣାପଡ଼ିଛି, ଯାହା ଭାରତକୁ ବୟସ୍କ ,ଦେଶରେ ପରିଣତ କରିବ ବୋଲି ଆଶଙ୍କା କରାଯାଉଛି ।
ରିପୋର୍ଟକୁ ଦେଖି ଆକଳନ କରାଯାଉଛି, ଦେଶ ନିକଟ ଭବିଷ୍ୟତରେ ବୟସ୍କ ଜନସଂଖ୍ୟାର ଚାପରେ ଆହୁରି ସମ୍ମୁଖୀନ ହେବ । ଫଳରେ ବାର୍ଦ୍ଧକ୍ୟ ସ୍ବାସ୍ଥ୍ୟସେବାଠାରୁ ଆରମ୍ଭ କରି ପେନସନ୍ ଓ ସାମାଜିକ କଲ୍ୟାଣ କାମରେ ଆବଶ୍ୟକତା ଅଧିକ ପଡ଼ିବ । ଏବେ କେରଳରେ ବୟସ୍କ ନାଗରିକଙ୍କ ମାତ୍ରା ସାରା ଦେଶରେ ସବୁଠୁ ଆଗୁଆ । ଏଠାରେ ୧୫.୧ ପ୍ରତିଶତ ବୟସ୍କ ଅଛନ୍ତି । ଏହାପରେ ଅଛନ୍ତି ତାମିଲନାଡ଼ୁ ଓ ହିବାଚଳପ୍ରଦେଶ । ଏହାବ୍ୟତୀତ ପଞ୍ଜାବ ଓ ମହାରାଷ୍ଟ୍ରରେ ମଧ୍ୟ ବୟସ୍କ ନାଗରିକଙ୍କ ସଂଖ୍ୟା ଅନ୍ୟ ରାଜ୍ୟଙ୍କ ତୁଳନାରେ ଅଧିକ ।
ଅନ୍ୟପଟେ ଦକ୍ଷିଣ ଓ ପଶ୍ଚିମ ଭାରତରେ ପ୍ରଜନନ ହାର ହ୍ରାସ ପାଇଛି । ଯାହା ଭବିଷ୍ୟତରେ ଦେଶର ଜନସଂଖ୍ୟାକୁ ନେଇ ଆଶଙ୍କା ସୃଷ୍ଟି କରିଛି । ଗୋଟେପଟେ ଦେଶରେ ଲୋକଙ୍କ ହାରାହାରି ଆୟୁ ବଢ଼ିଥିବାବେଳେ କମ୍ ଶିଶୁ ଜନ୍ମ ଦେଶକୁ ବୟସ୍କ କରିଦେଉଛି। ବୟସ୍କଙ୍କ ସଂଖ୍ୟା ବୃଦ୍ଧି ଜନ୍ମ ହାର କମିବା ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଇବ ବୋଳି ଆଶଙ୍କା କରୁଛନ୍ତି ସମାଜତତ୍ତ୍ବବିତ୍ ।
ବୟସ୍କ ଲୋକଙ୍କ ପାଇଁ ଅଧିକ ଚିକିତ୍ସାର ଆବଶ୍ୟକତା ସହ ଡାଇବେଟିସ୍, ହୃଦରୋଗ, ଆର୍ଥରାଇଟସ୍, ପରି ଦୀର୍ଘକାଳୀନ ରୋଗର ଚିକିତ୍ସା ସହ ପେନସନରେ ଅଧିକ ଖର୍ଚ୍ଚ ଦେଶର ଅର୍ଥନୀତିକୁ ଚାପଗ୍ରସ୍ତ କରିପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟ ଯୁବ ଶକ୍ତିର ଅଭାବ ଦେଶର ଶ୍ରମ ଶକ୍ତିକୁ ପ୍ରଭାବିତ ବି କରିପାରେ । ତେଣୁ ୟଙ୍ଗିସ୍ତାନ ଆଗକୁ ବୟସ୍କ ହୋଇଯିବ ବୋଲି କୁହାଯାଉଛି ।