କନକ ବ୍ୟୁରୋ: ଐତିହ୍ୟ ନଗରୀ କଟକରେ ଲଜ୍ଜା, ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁରୁଷ ବନ୍ଧୁଙ୍କ ସମେତ ୬ଜଣ ଅଭଯୁକ୍ତଙ୍କୁ ବାନ୍ଧିଲା ପୁଲିସ୍। ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ବାଦାମବାଡ଼ି ଥାନାରେ ହୋଇଥିଲା ଅଭିଯୋଗ।
କଟକର ଜଣେ କଲେଜ ଛାତ୍ରୀଙ୍କୁ ବାରଙ୍ଗ ଅଞ୍ଚଳକୁ ନେଇ ବାରମ୍ବାର ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରାଯାଇଛି । ଛାତ୍ରୀଙ୍କ ନଗ୍ନ ଭିଡିଓ ଦେଖାଇ ଦୁର୍ବୃତ୍ତମାନେ ତାଙ୍କୁ ବ୍ଲାକମେଲ୍ କରିବା ସହ ବାରମ୍ବାର ଗଣଦୁଷ୍କର୍ମ କରାଯାଇଥିଲା। ଭିଡିଓ ରେକର୍ଡ କରି ଅଭିଯୁକ୍ତ ମାନେ ଏହାକୁ ଭାଇରାଲ୍ କରିଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ଛାତ୍ରୀଙ୍କ ସହିତ ଆପତ୍ତିଜନକ ଚାଟିଂ ମଧ୍ୟ କରାଯାଇଛି । ଏହି ଘଟଣାରେ ବାଦାମବାଡ଼ି ଥାନା ପୁଲିସ ୬ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଝାଞ୍ଜିରୀମଙ୍ଗଳାର ଆଶୁତୋଷ, ଲକି, ଚନ୍ଦନ, ନୟାଗଡ଼ର ପୀତବାସ ଓ ସୁଶୀଲ, ବାରଙ୍ଗର ସୌମ୍ୟ । ଦଶହରା ସମୟରେ ପୁରୀଘାଟ ଥାନା ଅଞ୍ଚଳରେ ଯୁବତୀ ଜଣ ଜନ୍ମଦିନ ପାଳିବାକୁ ପୁରୁଷ ବନ୍ଧୁ ଆଶୁତୋଷଙ୍କ ପାଖକୁ ଆସିଥିଲେ । ଏହି ସମୟର ଦୃଶ୍ୟକୁ ଆଶୁତୋଷର ଆଉଜଣେ ବନ୍ଧୁ ରେକର୍ଡ କରିନେଇଥିଲା । ଏହି ଭିଡିଓକୁ ଯୁବତୀଙ୍କୁ ଦେଖାଇ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ୬ଜଣ ବ୍ଲାକମେଲ୍ କରିବା ସହ ବିଭିନ୍ନ ସ୍ଥାନକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ କରାଯାଇଛି । କିଛିଦିନ ପୂର୍ବରୁ ଯୁବତୀ ଜଣକ ବାଲିକୁଦା ଛକ ନିକଟରେ ଅଭିଯୁକ୍ତଙ୍କ ସହିତ ଛିଡ଼ା ହୋଇଥିବା ଯୁବତୀଙ୍କ ମାମୁ ଦେଖିବାକୁ ପାଇଥିଲେ । ପଚରାଉଚରା କରିବା ପରେ ସଂପୂର୍ଣ୍ଣ ଘଟଣା ସାମନାକୁ ଆସିଥିଲା।
ଗତ ମଙ୍ଗଳବାର ଦିନ ଏ ସଂକ୍ରାନ୍ତରେ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏହି ଘଟଣାର ତଦନ୍ତ କରି ଉପରୋକ୍ତ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମୋବାଇଲ୍ରୁ ଯୁବତୀଙ୍କ ନଗ୍ନ ଭିଡିଓ ମିଳିଛି। ଏହାକୁ ପରୀକ୍ଷା ପାଇଁ ରାଜ୍ୟ ଫରେନସିକ୍ ସାଇନ୍ସ ଲାବରେଟୋରିକୁ ପଠାଯାଇଛି।
Follow Us