କନକ ବ୍ୟୁରୋ: ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ଭିତର ଦର୍ଶନ। ଶ୍ରୀମନ୍ଦିର ଭିତରେ ଥିବା ନାଟମଣ୍ଡପରେ ସବୁ ଭକ୍ତ ଏଥର ମହାପ୍ରଭୁଙ୍କ ଆଖି ସହ ଆଖି ମିଶାଇ ଦର୍ଶନ କରିପାରିବେ।  ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ପାଇଁ  ଭକ୍ତଙ୍କ ପାଇଁ  ହେବ ଧାଡ଼ି ବ୍ୟବସ୍ଥା। ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଓ ମହିଳାଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା। ଶୀତତାପ ନିୟନ୍ତ୍ରିତ ହେବ ନାଟମଣ୍ଡପ।

Advertisment
  • ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ଭିତର ଦର୍ଶନ
  • ଶୃଙ୍ଖଳିତ ଦର୍ଶନ ପାଇଁ ୬ଟି ଧାଡ଼ି ବ୍ୟବସ୍ଥା

ଶ୍ରୀମନ୍ଦିରରେ ପ୍ରଥମେ ବାହାର ଶୃଙ୍ଖଳା ପରେ ଏବେ ଭିତରେ ଶୃଙ୍ଖଳା ଆଣିବାକୁ ଯାଉଛନ୍ତି ସରକାର । କାର୍ତ୍ତିକ ମାସ ପରେ ନାଟମଣ୍ଡପରେ ହେବ ଧାଡି ବ୍ୟବସ୍ଥା। ମହାପ୍ରଭୁଙ୍କୁ ସ୍ପଷ୍ଟ ଦେଖିବା ପାଇଁ ବାହାର କାଠ ପାଖରେ ଭକ୍ତଙ୍କ ପାଇଁ ପଡ଼ିବ କାଠର ରାମ୍ପ୍ ।  ଭକ୍ତଙ୍କ ସୁବିଧା ପାଇଁ ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରାଯିବ । ଏନେଇ ଛତିଶାନିଯୋଗ ସହ ଆଲୋଚନା ହୋଇ ସକରାତ୍ମକ ମନ୍ତବ୍ୟ ଆସିଛି। ପରମ୍ପରା ଓ ସେବା ପୂଜାରେ ବିଘ୍ନ ନ ଘଟାଇ ଏହି ବ୍ୟବସ୍ଥା କରାଯିବ। 

ଭକ୍ତମାନେ ଧାଡ଼ି ବ୍ୟବସ୍ଥାରେ ସାତପାହାଚ ଦେଇ ପ୍ରବେଶ ଓ ଦର୍ଶନ ସାରି ଘଣ୍ଟିଦ୍ଵାର ଦେଇ ବାହାରିବେ। ମୋଟ ୬ଟି ଧାଡ଼ି ରହିବ। ପୁରୁଷମାନଙ୍କ ପାଇଁ ୩ଟି, ବୟସ୍କ, ବୃଦ୍ଧବୃଦ୍ଧା, ମହିଳା, ଶିଶୁ, ଦିବ୍ୟାଙ୍ଗଙ୍କ ପାଇଁ ଅଲଗା ତିନିଟି ଧାଡ଼ି ବ୍ୟବସ୍ଥା ହେବ। ବାହାର କାଠ ପାଖରେ ଏକ ଉଚ୍ଚ କାଠ ରାମ୍ପ ରହିବ। ଏହାଦ୍ବାରା ଭକ୍ତମାନେ ମହାପ୍ରଭୁଙ୍କୁ ସ୍ପଷ୍ଟ ଦେଖିପାରିବେ । ଅବଢ଼ା ଯୋଜନାରେ ଏହି ସବୁ କାମ ହେବ। କାର୍ତ୍ତିକ ମାସ ପରେ ଏହି କାମ ଆରମ୍ଭ ହେବ ଏହାକୁ କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପିଙ୍କୁ ଦାୟିତ୍ବ ଦିଆଯାଇଛି । 

ଶ୍ରୀମନ୍ଦିର ଭିତରେ ଅର୍ଥାତ ନାଟମଣ୍ଡପରେ ସବୁ ବର୍ଗର ଭକ୍ତଙ୍କ ପାଇଁ ସହଜ ଦର୍ଶନ ସହ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ଶ୍ରୀମନ୍ଦିର ଭିତରେ ଏଭଳି ବ୍ୟବସ୍ଥା ଲାଗୁ କଲେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ଭିଡ ହଟିବ ବୋଲି ଆଶା କରାଯାଉଛି।