କନକ ବ୍ୟୁରୋ: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ହଇଚଇ । ଆଖି ବୁଜିଲେ ଜଣଙ୍କ ପରେ ଜଣେ ରୋଗୀ । ଭୁଲ ଇଞ୍ଜେକସନ୍ ଯୋଗୁଁ ୬ଜଣଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ୨ ମହିଳା ଓ ୩ ପୁରୁଷ । ଜଣେ ରୋଗୀ ସମ୍ପର୍କୀୟଙ୍କ କହିବା ଅନୁସାରେ ତାଙ୍କ ରୋଗୀ ଜଣଙ୍କ ଭଲ ଥିବାବେଳେ ଖାଇବା ପିଇବା କରୁଥିଲେ । କିନ୍ତୁ ନର୍ସ ଆସି ଇଞ୍ଜେକସନ୍ ଦେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା, ତା ପରେ ମୃତ୍ୟୁ ହୋଇଥିଲା । ଅନ୍ୟ ୪ ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ସମାନ ଅଭିଯୋଗ କରିଛନ୍ତି ।

Advertisment
  • ରୋଗୀ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ
  • କାଲି ସୁଦ୍ଧା ଆସିବ ରିପୋର୍ଟ

ରୋଗୀ ମୃତ୍ୟୁକୁ ନେଇ କଂଗ୍ରେସର ଧାରଣା । ମେଡିକାଲ୍ ଗେଟ୍‌ ଆଗରେ ନାରାବାଜି । ସେପଟେ ରାଜ୍ୟ ସରକାର ଶ୍ୱେତପତ୍ର ଦେବାକୁ ଦାବି କରିଛି ବିଜେଡି । ବଦନାମ ମୁଣ୍ଡାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଏମଇଟି । ଯାଞ୍ଚ ପାଇଁ ଗଠନ ହୋଇଛି ୫ ଜଣିଆ ଟିମ୍‌ । ଏମକେସିଜିର ୩ ଜଣ ଓ ଏସସିବିର ୨ ଜଣିଆ ଟିମ୍‌ ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାଲି ସୁଦ୍ଧା ଦେବେ ରିପୋର୍ଟ । ମୃତକଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ମିଳିଛି ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି । ସେପଟେ ଭୁଲ ଇଞ୍ଜେକସନ୍ ଯୋଗୁଁ ରୋଗୀ ମୃତ୍ୟୁ ଘଟଣାକୁ ଖଣ୍ଡନ କରିଛନ୍ତି ଡିନ୍ । 

ସୂଚନାଯୋଗ୍ୟ ଯେ, ଚିକିତ୍ସା କ୍ଷେତ୍ରରେ ପୂର୍ବରୁ ଅନେକ ଅଭିଯୋଗ ଆସିଛି ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲ ନାଁରେ । କେତେବେଳେ ଡକ୍ଟର ଅଭାବ ତ, ଆଉ କେତେବେଳେ ଚିକିତ୍ସାରେ ଅବହେଳା ପାଇଁ ରୋଗୀ ହନ୍ତସନ୍ତ ହୋଇଛନ୍ତି । ଏବେ ୬ ଜଣ ରୋଗୀଙ୍କ ମୃତ୍ୟୁ ଘଟଣା ପାଇଁ ଆଉ ଏକ ବଦନାମ ମୁଣ୍ଡାଇଛି ଏହି ସରକାରୀ ହସ୍ପିଟାଲ ।