କନକ ବ୍ୟୁରୋ: ମୁମ୍ବାଇର କଲ୍ୟାଣରେ ବଡ଼ ଧରଣର ଅଘଟଣ । ବିଲ୍ଡିଂର ସ୍ଲାବ୍ ଭୁଶୁଡ଼ି ୬ ମୃତ । ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲା ଗୋଟିଏ ପରିବାର ତିନି ଜଣ ଥିବା ସୂଚନା । ଏକ ଆବାସିକ କୋଠାର ଛାତ ଭୁଶୁଡ଼ି ଜଣେ ଶିଶୁ ସମେତ ଅନ୍ୟ ଛଅ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ୪ ଜଣ ଆହତ ହୋଇଛନ୍ତି । କଲ୍ୟାଣ ଡୋମ୍ବିଭାଲି ମ୍ୟୁନିସିପାଲ କର୍ପୋରେସନର ଅଧିକାରୀ ଏହି ଘଟଣା ନେଇ ସୂଚନା ଦେଇଛନ୍ତି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ଚାଙ୍ଗୁଡିଆ ପଦର ନୂଆ ଗାଁର ମାଆ ସହ ଦୁଇ ଝିଅ ରହିଥିବା ସୂଚନା ମିଳିଛି । ଦୀର୍ଘ ବର୍ଷ ଧରି ସ୍ୱାମୀ ସହ ଦୁଇ ଝିଅ ଓ ପୁଅକୁ ନେଇ ପ୍ରମିଳା ସାହୁ ମୁମ୍ବାଇରେ ନିଜ ପରିବାର ସହିତ ରହି ଆସୁଥିଲେ । କୋଠାର ସ୍ଲାବ୍ ଭୁଶୁଡ଼ି ପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀମାନେ କହିଛନ୍ତି । ଏବେ ବି ଜଣେ ବ୍ୟକ୍ତି ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି ଏବଂ ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । କେଡିଏମସି ସୂତ୍ରରୁ ଜଣାପଡିଛି ଯେ କୋଠାଟିକୁ 'ବିପଜ୍ଜନକ' ଘୋଷଣା କରାଯାଇଥିଲା ଏବଂ ବର୍ଷା ଋତୁ ପୂର୍ବରୁ ଏହାକୁ ଖାଲି କରାଯିବାକୁ  କୁହାଯାଇଥିଲା । ସୂତ୍ର ଅନୁଯାୟୀ, ବର୍ଷା ପୂର୍ବରୁ ଘର ଖାଲି କରିବା ପାଇଁ ଏକ ନୋଟିସ ଜାରି କରାଯାଇଥିଲା, କିନ୍ତୁ ଦୁର୍ଘଟଣା ସମୟରେ ଲୋକମାନେ କୋଠାରେ ଥିଲେ ।