କନକ ବ୍ୟୁରୋ : କନକ ନ୍ୟୁଜରେ ଖବର ବାଜିଲା, ପ୍ରଶାସନ ତତ୍ପରତା ଦେଖାଇଲା । ଝାରସୁଗୁଡ଼ାର କୋଲାବିରା ବ୍ଲକରେ ଡିଏମଏଫ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ୫-ଟି ସ୍କୁଲର ଅବସ୍ଥା କେତେ ଶୋଚନୀୟ ସେନେଇ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ୍ । ସ୍କୁଲ ନିର୍ମାଣରେ ଦୁର୍ନୀତି ଅଭିଯୋଗ ଆସିଥିଲା । ଯାହାର ତଦନ୍ତ ପାଇଁ ବିଇଓଙ୍କୁ ନିର୍ଦ୍ଦେଶ ଦେବା ସହ ଏଥିରେ ଦୁର୍ନୀତିର ଗନ୍ଧ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

Advertisment

ଝାରସୁଗୁଡ଼ା ଡିଏମଏଫ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, ଆଉ ତା ପୁଣି ୫-ଟି ସ୍କୁଲର ନୂତନ ଶ୍ରେଣୀଗୃହ ପାଇଁ । କିନ୍ତୁ ନିର୍ମାଣର ବର୍ଷ କେଇଟାରେ କେଉଁ ସ୍କୁଲର ଛାତ ଫାଟି ଆଁ କରିଥିଲା ତ ପୁଣି କେଉଁଠି ଛାତର ସିଲିଂ ଉଡିଯାଇଥିଲା । ବର୍ଷା ହେଲେ ପାଠ ପଢ଼ାଇବା ହୋଇପଡୁଥିଲା ମୁସକିଲ୍ । ସେତେବେଳେ ମନକୁ ସ୍ୱାଭାବିକ ଭାବେ ପ୍ରଶ୍ନ ଆସୁଥିଲା,

- ୫-ଟି ସ୍କୁଲ ନିର୍ମାଣରେ ଏତେ ନିମ୍ନମାନର କାମ କେମିତି?

- ଦୁର୍ନୀତି ପାଇଁ ୫-ଟି ସ୍କୁଲ କାମ ସାଜିଥିଲା କି ମାଧ୍ୟମ?

- ଡିଏମଏଫ ପାଣ୍ଠିକୁ ହରିଲୁଟ୍ ପାଇଁ ହୋଇଥିଲା କି ପ୍ରୟାସ?

ଏସବୁ ପ୍ରଶ୍ନ ଭିତରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ । ସ୍କୁଲର ଭାଙ୍ଗିଥିବା କାନ୍ଥ ଓ ଛାତର ମରାମତି କରିବାକୁ ସେ କହିଛନ୍ତି ।

ଡିଏମଏଫ ଫଣ୍ଡରେ ନିମ୍ନମାନର କାମ କେବଳ ସ୍କୁଲ ନିର୍ମାଣରେ ସୀମିତ ରହିଛି ନା ଅନ୍ୟ କ୍ଷେତ୍ରର ନିର୍ମାଣକୁ ମଧ୍ୟ ଏହାର ଚେର ବ୍ୟାପିଛି । ତାହାର ବିଧିବଦ୍ଧ ତଦନ୍ତ କରିବା ଆବଶ୍ୟକ ହୋଇପଡିଛି ।