5G services slow in Odisha Photograph: (KanakNews)
କନକ ବ୍ୟୁରୋ: ଓଡ଼ିଶାରେ ଧିମେଇଛି ଫାଇଭ-ଜି ସେବା । ଲୋକଙ୍କ ପାଖରେ ଫାଇଭ-ଜି ସେବା ପହଞ୍ଚାଇବା ପାଇଁ ସରକାର ଯେଉଁ ଯୋଜନା ରଖିଥିଲେ, ତାହା ସଠିକ୍ ଭାବେ ରୂପାୟନ ହୋଇନଥିବା ଦେଖିବାକୁ ମିଳିଛି। ଏବେ ବି ରାଜ୍ୟ ପ୍ରାୟ ୪୦ ପ୍ରତିଶତ ଅଞ୍ଚଳରେ ଏହି ସେବା ପହଞ୍ଚି ପାରିନାହିଁ। ୨୦୨୩ ଜାନୁଆରି ୫ ତାରିଖରେ ଓଡ଼ିଶାରେ ଆରମ୍ଭ ହୋଇଥିଲା ପାଇବ-ଜି ସେବା । ତତ୍କାଳୀନ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବରଠାରେ ଏହି ସେବାର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ । ରାଜ୍ୟରେ ୫ଜି ମୋବାଇଲ ସେବାକୁ ୩ ବର୍ଷ ପୂରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ବର ଓ କଟକ ସହରରେ ଏହି ସେବା ଉପଲବ୍ଧ କରାଯାଇଥିଲା । ୨ ବର୍ଷ ମଧ୍ୟରେ ସାରା ରାଜ୍ୟରେ ୫ଜି ସେବା ପହଞ୍ଚିବ ବୋଲି ମନ୍ତ୍ରୀ ସେବା ଆରମ୍ଭ ଅବସରରେ ଘୋଷଣା କରିଥିଲେ ।
ମନ୍ତ୍ରୀଙ୍କ ଘୋଷଣାକୁ ଇତିମଧ୍ୟରେ ୩ ବର୍ଷ ପୂରଣ ହୋଇଥିଲେ ବି ରାଜ୍ୟର ପ୍ରାୟ ୪୦ ପ୍ରତିଶତ ଅଞ୍ଚଳରେ ଏହା ପହଞ୍ଚି ପାରିନାହିଁ । ବିଶେଷଜ୍ଞଙ୍କ କହିବାନୁଯାୟୀ ଭୌଗୋଳିକ ଦୃଷ୍ଟିରୁ ପ୍ରାୟ ୬୦ ପ୍ରତିଶତ ଅଞ୍ଚଳରେ ୫ଜି ସେବା ପହଞ୍ଚି ପାରିଛି। ଲୋକସଂଖ୍ୟା ଦୃଷ୍ଟିରୁ ରାଜ୍ୟର ପ୍ରାୟ ୭୦ରୁ ୭୫ ପ୍ରତିଶତ ଲୋକଙ୍କ ପାଖରେ ଏହି ସେବା ପହଞ୍ଚିଥିବାବେଳେ ଆହୁରି ୨୫ ପ୍ରତିଶତ ଲୋକ ଏହି ସେବାର ପହଞ୍ଚ ବାହାରେ ଅଛନ୍ତି । ୨ ବର୍ଷରେ ସାରା ରାଜ୍ୟରେ ପହଞ୍ଚାଇବା ପାଇଁ ରଖାଯାଇଥିବା ଲକ୍ଷ୍ୟ ୩ ବର୍ଷରେ ମଧ୍ୟ ପୂରଣ ହୋଇ ନପାରିବା ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଇଛି । ୫ଜି ସେବା ଆସିବା ଫଳରେ କୃଷିଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ ଓ ଶିଳ୍ପ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ । ଲୋକଙ୍କୁ ଟେଲିକମ୍ ପ୍ରଯୁକ୍ତିରେ ହୋଇଥିବା କ୍ରାନ୍ତିର ଉପକାରିତା ମିଳିବ। ଲୋକେ ଅନେକ ଅତ୍ୟାବଶ୍ୟକ ସେବା ଏହି ପ୍ରଯୁକ୍ତି ଜରିଆରେ ଶୀଘ୍ର ଓ ସହଜରେ ପାଇପାରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସେବାକୁ ୩ ବର୍ଷ ପୂରିଥିଲେ ମଧ୍ୟ ଲୋକଙ୍କ ସେହି ଆଶା ଆଶାରେ ରହିଯାଇଛି ।
ଓଡ଼ିଶାରେ ଧିମେଇଛି 5ଜି ସେବା!
ରାଜ୍ୟରେ ୫ଜି ମୋବାଇଲ ସେବାକୁ ପୂରିଛି ୩ ବର୍ଷ
୩ ବର୍ଷ ପରେ ବି ୪୦% ଅଞ୍ଚଳରେ ପହଞ୍ଚିନି ୫ଜି
୨୦୨୩ ଜାନୁଆରି ୫ରେ ରାଜ୍ୟରେ ଆରମ୍ଭ ହୋଇଥିଲା ୫ଜି
ଆରମ୍ଭ ଦିନ ୫ଜି ବିଟିଏସ୍ ବା ବେସ୍ ଟ୍ରାନ୍ସିଭର ଷ୍ଟେସନ୍ ସଂଖ୍ୟା ଥିଲା ୬୨୪
୨୦୨୩ ଶେଷକୁ ୫ଜି ବିଟିଏସ୍ ସଂଖ୍ୟା ୧୧୨୬୪ରେ ପହଞ୍ଚିଥିଲା
୨୦୨୪ ଓ ୨୦୨୫ରେ ବିଟିଏସ୍ ସଂଖ୍ୟା ପ୍ରଥମ ବର୍ଷ ଭଳି ବୃଦ୍ଧି ପାଇନାହିଁ
୨୦୨୪ ଶେଷକୁ ୧୨୬୭୮ ଥିଲା ବିଟିଏସ୍
୨୦୨୫ ଶେଷବେଳକୁ ୧୪୩୬୧ରେ ପହଞ୍ଚିଥିଲା ବିଟିଏସ୍
ରାଜ୍ୟରେ ୫ଜି ସେବା ସଂପ୍ରସାରଣ ଧିମେଇଥିବା ଟେଲିକମ୍ ବିଭାଗ ରିପୋର୍ଟରୁ ସ୍ପଷ୍ଟ
Follow Us