କନକ ବ୍ୟୁରୋ: ଭୂରାଜନୈତିକ ତଥା ନିୟାମକ ସମସ୍ୟା ଯୋଗୁଁ ଚଳିତ ବର୍ଷ ପ୍ରଥମ ୬ ମାସ ଅର୍ଥାତ ଜୁନ ୩୦ ସୁଦ୍ଧା ୫,୭୦୬ ଟି ବିମାନର ଉଡ଼ାଣ ବାତିଲ ହୋଇଛି । ଯାହାକି ସେହି ସମୟ ମଧ୍ୟରେ ମୋଟ ଉଡ଼ାଣର ଏକ ପ୍ରତିଶତ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟସଭାରେ ତଥ୍ୟ ରଖାଯାଇଛି । ସୋମବାର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି ।
ଏହି ବିମାନଗୁଡ଼ିକ ମଧ୍ୟରେ ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ଇଣ୍ଡିଗୋ, ଆକାଶା ଏୟାର, ସ୍ପାଇଶ ଜେଟ ଏବଂ ଆଲିଆନ୍ସ ଏୟାର ରହିଛି । ଚଳିତ ବର୍ଷ ପ୍ରାରମ୍ଭରୁ ୩୦ ଜୁନ ସୁଦ୍ଧା ମୋଟ ୫,୭୨,୦୭୯ଟି ବିମାନ ଉଡ଼ାଣ କରିଥିବାବେଳେ ୫,୭୦୬ ବାତିଲ ହୋଇଥିଲା । ବିମାନ ଉଡ଼ାଣରେ ବିଳମ୍ବ ଏବଂ ବାତିଲ ଯୋଗୁଁ ଏୟାରଲାଇନ୍ସ କ୍ଷତି ସହିଛି । ଅଧିକ ଇନ୍ଧନ ଖର୍ଚ୍ଚ, କ୍ରିଉ ସଦସ୍ୟଙ୍କ ଓଭରଟାଇମ, ରକ୍ଷଣାବେକ୍ଷଣ, ବିମାନବନ୍ଦର ଦେୟ ଏବଂ ଆଉଥରେ ବୁକିଂ ଖର୍ଚ୍ଚ ଯୋଗୁଁ ଏୟାରଲାଇନ୍ସକୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି । ଅଧିକ ବିଳମ୍ବ କିମ୍ବା ବାତିଲ ହେବା ପାଇଁ ଯାତ୍ରୀଙ୍କୁ କ୍ଷତିପୂରଣ ମଧ୍ୟ ଦେବାକୁ ପଡ଼ୁଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଜାନୁଆରରୁ ଜୁନ୍ ମଧ୍ୟରେ ଘରୋଇ ଏୟାରଲାଇନ୍ସରେ ୭.୩୪ ପ୍ରତିଶତ ଯାତ୍ରୀ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା ।
ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଜୁଲାଇ ୨୦୨୩ରୁ ଏୟାର ଇଣ୍ଡିଆ ୨୪ଟି ଆନ୍ତର୍ଜାତିକ ମାର୍ଗରେ ବିମାନ ଉଡ଼ାଣ ଆରମ୍ଭ କରିଛି । ତେବେ ସେଥିରୁ ୪ଟି ମାର୍ଗକୁ ବ୍ୟବସାୟିକ କାରଣରୁ ବନ୍ଦ କରାଯାଇଛି । ଏୟାର ଇଣ୍ଡିଆର ଗୋଆ-ଲଣ୍ଡନ (ଗାଟୱିକ) ବିମାନ ସେବା ସାମୟିକ ଭାବେ ବନ୍ଦ ରହିଥିବାବେଳେ ଚଳିତ ବର୍ଷ ଶେଷ ଆଡ଼କୁ ଆରମ୍ଭ ହେବ ବୋଲି କୁହାଯାଇଛି ।