କନକ ବ୍ୟୁରୋ: ସରକାର ବଦଳିବା ପରେ ଭୂତ ରାସନକାର୍ଡ ଚିହ୍ନଟ ପାଇଁ ଇ-କେୱାଇସି ଅପଡେଟ୍ ଚାଲଛି। ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ଡିଲର ପାଖକୁ ଯାଇ ଇ-କେୱାଇସି ଅପଡେଟ୍ କରୁଛନ୍ତି। କିନ୍ତୁ ବିଭିନ୍ନ ସମସ୍ୟା କାରଣରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଇ-କେୱାଇସି ଅପଡେଟ୍ କରିବା ସମ୍ଭବ ହେଉନି। ତେବେ ଯେଉଁମାନଙ୍କର ଇ-କେୱାଇସି ଅପଡେଟ୍ ହୋଇନି ସେମାନେ ଟେନସନରେ ପଡିଛନ୍ତି। 

Advertisment
  • ଶେଷ ହେଉନି ରାସନକାର୍ଡ ଇ-କେୱାଇସି ଦ୍ୱନ୍ଦ୍ୱ
  • ଏବେ ବି ୫୬ ଲକ୍ଷରୁ ଅଧିକ ରହିଛି ବାକି

ରାଜ୍ୟରେ ଭୂତ ରାସନ କାର୍ଡକୁ ଚିହ୍ନଟ ପାଇଁ ଗତ ଅଗଷ୍ଟ ମାସରୁ ଇ-କେୱାସି ଅପଡେଟ୍ କରାଯାଉଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏ ପ୍ରକ୍ରିୟା ସାରିବାକୁ ମଧ୍ୟ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର । ହେଲେ ଏ ଯାଏଁ ୫୬ ଲକ୍ଷ ୩୬ ହଜାର ଲୋକ ନିଜର ଇ- କେୱାଇସି କରି ନାହାନ୍ତି । ଯାହାକି ସରକାରଙ୍କର ମୁଣ୍ଡ ବିନ୍ଧା ପାଲଟିଛି । 

ତଥ୍ୟ ଅନୁସାରେ, ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ଲକ୍ଷ ୧୭ ହଜାର ବାକି ରହିଛନ୍ତି । ସେହିପରି ମୟୁରଭଞ୍ଜରୁ ୩ ଲକ୍ଷ ୫୦ ହଜାର, ନବରଙ୍ଗପୁରରୁ ୩ ଲକ୍ଷ ୧୨ ହଜାର, କୋରାପୁଟରୁ ୩ ଲକ୍ଷ ୧୧ ହଜାର, ବଲାଙ୍ଗିରରୁ  ୨ ଲକ୍ଷ ୫୦ ହଜାର ଲୋକ ଏଯାଏଁ ଇ- କେୱାଇସି କରିନାହାନ୍ତି । ଅନ୍ୟପଟେ ଦେବଗଡ ଜିଲ୍ଲାରୁ ସର୍ବନିମ୍ନ ୨୭ ହଜାର ୪୦୦ ଜଣ ବାକି ରହିଛନ୍ତି । ଏପଟେ ମନ୍ତ୍ରୀ କହିଛନ୍ତି ଖୁବ ଶିଘ୍ର ଏ ପ୍ରକ୍ରିୟାକୁ ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । 

ରାସନ କାର୍ଡ  ମାଧ୍ୟମରେ ସାଧାରଣ ଲୋକ ଉପକୃତ ହେଉଥିବା ବେଳେ ଇ- କେୱାଇସିକୁ ପାଇଁ ଅନେକ ଲୋକ ହଇରାଣ ହେଉଥିବା ଅଭିଯୋଗ ଆଣିଛି ବିଜେଡି । ସେପଟେ ନେଟୱାର୍କ ସମସ୍ୟା, ବୟସ୍କ ବର୍ଗ, ରୋଗଗସ୍ତ ବ୍ୟକ୍ତି ଓ ୧୦ ବର୍ଷରୁ କମ ବର୍ଗଙ୍କର ଇ- କେୱାଇସିରେ ଅନେକ ସମସ୍ୟା ଦେଖା ଦେଉଛି । ଏମିତି କି ଅନେକ ସ୍ଥାନରେ ଲୋକ ଇ- କେୱାଇସି କରି ସାରିଥିଲେ ମଧ୍ୟ ପରବର୍ତ୍ତି ସମୟରେ ଏହା ସଫଳ ହେଉ ନାହିଁ । ଯାହା ଫଳରେ ବର୍ତ୍ତମାନ ମଧ୍ୟ ଲକ୍ଷ ଲକ୍ଷ ଲୋକ ଏହି ପ୍ରକିୟାରେ ସାମିଲ ହୋଇ ପାରୁ ନଥିବା କହିଛନ୍ତି ଡିଲର ସଂଘ । 

ତେବେ ଦେଖିବାକୁ ବାକି ରହିଲା କେବେ ଇ- କେୱାଇସି ଶେଷ ହେଉଛି ଓ କେତେ ଭୂତ ରାସନ କାର୍ଡ ଚିହ୍ନଟ ହେଉଛନ୍ତି । ହେଲେ ଏହାରି ଭିତରେ ପ୍ରଶ୍ନ ଉଠୁଛି, ଯେଉଁ ଯୋଗ୍ୟ ହିତାଧିକାରୀ ରାଜ୍ୟ  ବାହାରେ ରହୁଛନ୍ତି, ସେମାନେ ଏହି ତାଲିକାରୁ ବାଦ ପଡିବେ ନାହିଁ ତ ?