କନକ ବ୍ୟୁରୋ: ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ସମାନ୍ତରାଳ ରାସ୍ତାକାମ ଆଉ ପାଦେ ଆଗେଇଛି । ଏହି ୨୦୦ ଫୁଟିଆ ରାସ୍ତା ନକ୍ସାରେ କୌଣସି ପରିବର୍ତ୍ତନ ହେବନାହିଁ । ସାଲିଆସାହି ଭିତରେ ହିଁ ଯିବ । ପ୍ରଭାବିତ ହେବାକୁ ଥିବା ୨୭ ଘରୋଇ ଜମି ମାଲିକଙ୍କୁ କ୍ଷତିପୂରଣ ବାବଦରେ ଶହେ କୋଟିରୁ ଅଧିକ ଟଙ୍କା ଦିଆସରିଛି । ସେମାନେ ପୂର୍ତ୍ତ ବିଭାଗକୁ ଜମି ହସ୍ତାନ୍ତର କରିଥିବାରୁ ଆଉ ୧୦ରୁ ୧୫ ଦିନ ମଧ୍ୟରେ ୨୭ଟି ଯାକ ଘର ଭାଙ୍ଗିବାକୁ ରୂପରେଖ ପ୍ରସ୍ତୁତ ହୋଇଛି । ଅନ୍ୟପଟେ ସାଲିଆସାହିରେ ପ୍ରଭାବିତ ହେବାକୁ ଥିବା ବସ୍ତିବାସିନ୍ଦାଙ୍କୁ କ୍ଷତିପୂରଣ ସହ ଥଇଥାନ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଇଛି ।
ବିଡିଏ, ବିଏମସି ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଆଜି ବସ୍ତିବାସିନ୍ଦାଙ୍କ ସର୍ଭେ କରିଛନ୍ତି । ଏକାଧିକ ଟିମ୍ ଘରକୁ ଘର ବୁଲି ଲୋକଙ୍କ ସମ୍ପର୍କରେ ପଚାରି ବୁଝିଥିଲେ । ପୂର୍ବରୁ ହୋଇଥିବା ସର୍ଭେ ଆଧାରରେ ଆଜି ଯାଞ୍ଚ ହୋଇଥିଲା । ପୂର୍ତ୍ତ ବିଭାଗ, ବିଡିଏ ଓ ବିଏମସିର ୨୦ରୁ ଅଧିକ ଟିମ୍ ଘରକୁ ଘର ବୁଲି ସର୍ଭେ କରିଥିଲେ । ସନ୍ଧ୍ୟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ଦିନରେ ସମସ୍ତ ଘର ସର୍ଭେ ଶେଷ ହୋଇଛି । ଏହି ୨୦୦ ଫୁଟିଆ ରାସ୍ତା ଦ୍ବାରା ୫୨୧ ପରିବାର ପ୍ରଭାବିତ ହେବେ । ତେଣୁ ସେମାନଙ୍କୁ କିଭଳି ଥଇଥାନ କରାଯିବ ସେନେଇ ବ୍ୟବସ୍ଥା ହୋଇଛି ।
ସାଲିଆସାହି ଜମି ହାତେଇବା ପୂର୍ବରୁ ପ୍ରଥମେ ବସ୍ତିବାସିନ୍ଦାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ରାସ୍ତା ଯିବାକୁ ଥିବା ଅଞ୍ଚଳରେ ପ୍ରଭାବିତ ହେବାକୁ ଥିବା ପରିବାରଙ୍କୁ ଆବାସ ଗୃହରେ ଥଇଥାନ କରାଯିବ । ପର୍ଯ୍ୟାୟକ୍ରମେ ସେମାନଙ୍କୁ ବୁଦ୍ଧ ବିହାର ଆବାସରେ ନିର୍ମାଣ ସରିଥିବା ଘରଗୁଡ଼ିକ ଆବଣ୍ଟନ କରାଯିବ । ହାତିଆସୁଣୀ ପଡ଼ିଆ ନିକଟ ବସ୍ତିବାସିନ୍ଦାଙ୍କୁ ପ୍ରଥମେ ବୁଦ୍ଧବିହାରକୁ ଯିବେ । ରାସ୍ତା କାମ ଯେତେ ଆଗେଇବ ସେହି ଅନୁଯାୟୀ ଅନ୍ୟ ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯିବ । ଏବେ ବୁଦ୍ଧବିହାରରେ ପ୍ରାୟ ୮୦୦ ପରିବାର ରହିବାକୁ ଘରଗୁଡ଼ିକ ପ୍ରସ୍ତୁତ ହୋଇସାରିଛି । ବିଭିନ୍ନ ବ୍ଲକକୁ ରାସ୍ତା ନିର୍ମାଣ ସହ ଆପାର୍ଟମେଣ୍ଟକୁ ପାନୀୟ ଜଳ ଓ ବିଜୁଳି ସଂଯୋଗ ହୋଇଛି । ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଆସନ୍ତା ମାସକ ମଧ୍ୟରେ ଶେଷ କରି ରାସ୍ତା କାମ ଆଗେଇ ନେବାକୁ ଲକ୍ଷ୍ୟ ରଖାଯାଇଛି ।
ସୂଚନାଯୋଗ୍ୟ ଯେ ଏକାମ୍ରକାନନ ଛକରୁ ହାତିଆସୁଣୀ ପଡ଼ିଆ ମଧ୍ୟରେ ସାଲିଆସାହି ଭିତରେ ୮୭୭ ମିଟର କାମ ବାକି ରହିଛି । ବସ୍ତିବାସିନ୍ଦାଙ୍କ ପ୍ରବଳ ବିରୋଧ ଯୋଗୁଁ ତିନି ବର୍ଷ ହେଲା ଏହି କାମ ଅଧପନ୍ତରିଆ ହୋଇ ପଡ଼ିରହିଛି । ରାସ୍ତାରେ ଥିବା ୨୭ଟି ଘରୋଇ ଜମି ମାଲିକ ପଞ୍ଜୀକରଣ କରି ସାରିଛନ୍ତି । ନିୟମ ଅନୁଯାୟୀ କେତେକ ଜମି ମାଲିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଆଉ କିଛିଜଣଙ୍କୁ ଜମି ଯୋଗାଇ ଦିଆଯାଇଛି । ତେଣୁ ଏବେ ସେଠାରେ କୌଣସି ପ୍ରକାର ବାଧା ସୃଷ୍ଟି ହେବ ନାହିଁ । ଏକାମ୍ରକାନନ ପାର୍ଶ୍ବରୁ ୨୫୦ ମିଟର ରାସ୍ତା କାମ ଖୁବ୍ଶୀଘ୍ର ଆରମ୍ଭ ହେବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେପଟେ ପୁଲିସ ଉପସ୍ଥିତିରେ ପୂର୍ତ୍ତ ବିଭାଗ, ବିଡିଏ ଓ ବିଏମସି ସର୍ଭେ କରିଥିଲେ ମଧ୍ୟ ସାଲିଆସାହିରେ କୌଣସି ପ୍ରକାର ପ୍ରତିବାଦର ସ୍ବର ଉଠିନାହିଁ । ବରଂ ୫ ବର୍ଷ ହେଲା ଏହି ରାସ୍ତାକୁ ବିରୋଧ କରି ଆସୁଥିବା ବସ୍ତିବାସିନ୍ଦା ପ୍ରଶାସନକୁ ସହଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ ଦୀର୍ଘବର୍ଷ ହେଲା ଏହି ରାସ୍ତା ନିର୍ମାଣକୁ ବିରୋଧ ହେଉଥିଲା । ସାଲିଆସାହିରେ ପ୍ରବେଶ କରିବାକୁ ପ୍ରଶାସନ ବାରମ୍ବାର କଳବଳ କୌଶଳ ପ୍ରୟୋଗ କରୁଥିଲେ ମଧ୍ୟ ସଫଳ ହୋଇପାରି ନାହିଁ । ଏକାଧିକ ଥର ପୁଲିସ ଓ ବସ୍ତିବାସିନ୍ଦା ମୁହାଁମୁହିଁ ହୋଇଥିଲେ । ଯେଉଁଥିପାଇଁ ଦୁଇ ବର୍ଷ ହେଲା ହାତିଆସୁଣୀ ପଡ଼ିଆଠାରୁ ଗୋଟିଏ ମିଟର ବି ରାସ୍ତା ନିର୍ମାଣ ହୋଇପାରି ନାହିଁ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନେତାମାନେ ବସ୍ତିବାସିନ୍ଦାଙ୍କ ସୁରକ୍ଷା, ଜମି ପଟ୍ଟା ପ୍ରଦାନ ପରି ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ । ଇତିମଧ୍ୟରେ ୮ ମାସ ବିତିଯାଇଥିଲେ ମଧ୍ୟ ପ୍ରତିଶ୍ରୁତି ଅନୁଯାୟୀ ବସ୍ତିବାସିନ୍ଦାଙ୍କୁ କୌଣସି ପଟ୍ଟା ମିଳିନାହିଁ । ଏବେ ବସ୍ତିବାସିନ୍ଦାଙ୍କୁ ଉଠାଇବାକୁ ପ୍ରଶାସନ ଯେଉଁ ଯୋଜନା କରିଛି ତାହା କେତେଦୂର ସଫଳ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।