କନକ ବ୍ୟୁରୋ : ମୋହନା ଅବକାରୀ ବିଭାଗ ବଡ଼ ଚଢାଉ । ୬୫୦୦ ମହୁଲି ପୋଚ ନଷ୍ଟ ସହ ୫୦୦ ଲିଟର ଦେଶୀ ମହୁଲି ମଦ ଜବତ। ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଦେଶୀ ମହୁଲି ମଦ ରନ୍ଧା ଭାଟିରେ ଚଢ଼ାଉ କରିଛି ଅବକାରୀ ବିଭାଗ । ଅବକାରୀ ବିଭାଗ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଆର୍ ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁରୁ ଓ କେରେଡ଼ାଙ୍ଗ ଗାଁ ନିକଟସ୍ଥ ଘଞ୍ଚ ଜଙ୍ଗଲ ପାହାଡ଼ିଆ ଝରଣା ପାଖରେ ଚଢ଼ାଉ କରିଥିଲା। ଚଢାଉରେ ମହୁଲି ମଦ ରାନ୍ଧୁଥିବା ଲୋକେ ଅବକାରୀ ବିଭାଗର କର୍ମଚାରୀଙ୍କୁ ଦେଖି ସେଠାରୁ ଫେରାର ହୋଇଯାଇଥିଲେ। ଘଟଣା ସ୍ଥଳରେ ପହଞ୍ଚିଲାପରେ ପାଖାପାଖି ୧୪ଟି ୫୦୦ ଲିଟର ବେରେଲରେ ମହୁଲି ପୋଚ ଥିବା ଦେଖିବାକୁ ପାଇଥିଲା। ରନ୍ଧା ପାଇଁ ବ୍ୟବହୃତ ବଡ଼ ବଡ଼ ହାଣ୍ଡିରେ ମହୁଲି ମଦ ଥିବା ଜାଣିବାକୁ ପାଇଥିଲେ। ମହୁଲି ମଦ ପ୍ରସ୍ତୁତି ପାଇଁ ରଖା ଯାଇଥିବା ୬୫୦୦ ଲିଟର ପୋଚ ନଷ୍ଟ କରାଯିବା ସହ ୫୦୦ ଲିଟର ମହୁଲି ମଦ ଜବତ କରିଛି ଅବକାରୀ ବିଭାଗ।

ସେପଟେ ସମ୍ବଲପୁର ହୀରାକୁଦର ଜଙ୍ଗଲରେ ଚାଲିଥିବା ବେଧଡ଼କ ଚୋରା ରନ୍ଧା ମଦ ବ୍ୟବସାୟ ଉପରେ ମଧ୍ୟ ଅବକାରୀ ବିଭାଗର ଚଢ଼ାଉ । ତେବେ ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କିତ ୧୧୧ଟି ମାମଲା ହୋଇଥିବା ବେଳେ ୮୦ ଜଣକୁ ଗିରଫ କରାଯାଇଛି। ଏହାସହ ୨ହଜାର ୬୧୨ ଲିଟର ଦେଶୀ ମଦ ନଷ୍ଟ କରାଯିବା ସହ ୫୭ହଜାର ମହୁଲ ପୋଚ ନଷ୍ଟ କରାଯାଇଛି। ସେହିପରି ଏପର୍ଯ୍ୟନ୍ତ ୫ଟି ବାଇକ୍ ମଧ୍ୟ ଜବତ କରାଯାଇଛି। ଜଙ୍ଗଲ ଭିତରେ ଚୋରା ମଦ ରନ୍ଧା ଯାଉଥିବାବେଳେ ଦୃଶ୍ୟ ଦେଖି ଅବକାରୀ ବିଭାଗ ମଧ୍ୟ ତାଜୁବ ହୋଇଛି।