କନକ ବ୍ୟୁରୋ: ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ । ଛତିଶଗଡ଼ ବିଜାପୁର ଏସ୍ପିଙ୍କ ନିକଟରେ ୫୦ ମାଓବାଦୀଙ୍କ ଆତ୍ମସମର୍ପଣ । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ନାଁ ରେ ରହିଛି ୬୮ଲକ୍ଷ ଟଙ୍କା ପୁରସ୍କାର । ସୁକୁମାରେ ଏନକାଉଣ୍ଟରରେ ୧୭ ନକ୍ସଲ ନିହତ ହେବାର ୨୪ ଘଣ୍ଟା ନପୁରୁଣୁ ୫୦ ମାଓବାଦୀ ଆତ୍ମସମର୍ପଣ କରିବା ମାଓ ସଂଗଠନକୁ ଶକ୍ତ ଝଟକା ଦେଇଛି । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ପିଏଲଜିଏ ସଦସ୍ୟ, ଏସିଏମ, ଜନତାନା ସରକାର ଅଧ୍ୟକ୍ଷ, କେଏଏମଏସ ଅଧ୍ୟକ୍ଷ, ସିଏନଏମ ଅଧ୍ୟକ୍ଷ, ମିଲିସିଆ କମାଣ୍ଡର, ଡେପୁଟି କମାଣ୍ଡର, ମିଲିସିଆ ପ୍ଲାଟୁନ ସଦସ୍ୟ ରହିଛନ୍ତି ।
ସୁରକ୍ଷାକର୍ମୀଙ୍କ ଲଗାତାର ଚଢ଼ାଉ ଓ ଏନକାଉଣ୍ଟର ଯୋଗୁଁ ଜୀବନ ବଞ୍ଚାଇବାକୁ ମାଓବାଦୀମାନେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଚଳିତ ବର୍ଷ ୧୫୩ ନକ୍ସଲ ଗିରଫ ହୋଇଥିବା ବେଳେ ୧୫୭ ଜଣ ଆତ୍ମସମର୍ପଣ କରିଛନ୍ତି । ଦାନ୍ତେୱାଡା ଡିଆଇଜି, ବିଜାପୁର ଏସ୍ପିଙ୍କ ନିକଟରେ ୫୦ ମାଓବାଦୀ ଆତ୍ମସମର୍ପଣ କରିବା ପରେ ସରକାରଙ୍କ ନୀତି ଅନୁସାରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଥିସହ ସରକାରଙ୍କ ନୀତି ଅନୁସାରେ ସମସ୍ତଙ୍କୁ ଆତ୍ମନିର୍ଭରଶୀଳ କରାଯିବ ବୋଲି ବିଜାପୁର ପୋଲିସ କହିଛି ।